ଜଗତସିଂହପୁର: ଉପନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ଦଳଡିଆଁ ପର୍ବ। ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ବିଜେପି ଛାଡ଼ିଛନ୍ତି ରମାକାନ୍ତ ଭୋଇ। ୨୦୧୯ ନିର୍ବାଚନରେ ତିର୍ତ୍ତୋଲରୁ ବିଜେପି ପ୍ରାର୍ଥୀ ଭାବେ ଲଢିଥିବା ରମାକାନ୍ତ ଆଜି ନିଜ ସମର୍ଥକଙ୍କ ସହ ପଦ୍ମ ଶିବିରରୁ ପରିତ୍ୟାଗ କରିଛନ୍ତି। ଦଳ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣି ବିଜେପି ଛାଡିଛନ୍ତି ରମାକାନ୍ତ,ଯାହା ଜଗତସିଂହପୁର ଜିଲ୍ଲରେ ଦଳରେ ଥିବା କନ୍ଦଳକୁ ପଦାରେ ପକାଇଛି। ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାଜକିଶୋର ବେହେରା ଦଳ ଛାଡି ବିଜେପିରେ ଯୋଗଦେବା ପରେ ରମାକାନ୍ତଙ୍କ ଶିବିର ଏହାକୁ ସହଜରେ ଗ୍ରହଣ କରି ନଥିଲା। ଏପରିକି ଦଳ ପକ୍ଷରୁ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣିଥିଲେ ରମାକାନ୍ତଙ୍କ ଗୋଷ୍ଠୀ। ତିର୍ତ୍ତୋଲରେ ବିଜେପିରୁ ପୁଣି ଥରେ ପ୍ରାର୍ଥୀ ହେବାକୁ ରମାକାନ୍ତ ଆଶା ବାନ୍ଧି ବସିଥିବା ବେଳେ ଦଳରେ ରାଜକିଶୋରଙ୍କ ଯୋଗଦାନ ଟିକେଟ ରେସରେ ରମାକାନ୍ତଙ୍କୁ ପଛକୁ ଠେଲି ଦେଇଥିଲା। ତିର୍ତ୍ତୋଲ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଥିବା ବେଳେ ଏଯାଏଁ ୩ ପ୍ରମୁଖ ଦଳ ନିଜର ପ୍ରାର୍ଥୀ ଘୋଷଣା କରିନାହାନ୍ତି। ବିଜେଡି ନିଜ ଗଡ ବଞ୍ଚାଇବା ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଥିବା ବେଳେ ବିଜେପି ଏହି ଆସନକୁ ଅକ୍ତିଆର କରିବାକୁ ରଣନୀତି କରୁଛି। ସେହିଭଳି କଂଗ୍ରେସ ପୁଣିଥରେ ଏହି ଆସନ ଫେରିପାଇବାକୁ ଉଦ୍ୟମ ଆରମ୍ଭ କରିଛି।
ତିର୍ତ୍ତୋଲରୁ ବିଜେପି ଛାଡ଼ିଲେ ରମାକାନ୍ତ ଭୋଇ

Share Now: