ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ

ନୀତୀଶଙ୍କ ଆଉ ଏକ ଇନିଂସ୍

ତାରକିଶୋର ପ୍ରସାଦ, ରେଣୁଦେବୀ ଉପମୁଖ୍ୟମନ୍ତ୍ରୀ

ପାଟନା: ଲଗାତାର ଚତୁର୍ଥ ଥର ପାଇଁ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଗତକାଲି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଅନୁଷ୍ଠିତ ସମାରୋହରେ ରାଜ୍ୟପାଳ ଫାଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ମୁଖ୍ୟମନ୍ତ୍ରୀ ଭାବେ ଏହା ଏହା ଥିଲା ନୀତୀଶଙ୍କ ସପ୍ତମ ଶପଥ ଗ୍ରହଣ। ଗତକାଲି ନୀତୀଶଙ୍କ ସହିତ ବିଜେପି ନେତା ତାରକିଶୋର ପ୍ରସାଦ ଏବଂ ରେଣୁ ଦେବୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ମୋଟ ୧୪ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଜେଡିୟୁ କୋଟାରୁ ଅଶୋକ ଚୌଧାରୀ, ବିଜୟ ଚୌଧାରୀ, ମେୱାଲାଲ ଚୌଧାରୀ, ବିଜୟେନ୍ଦ୍ର ପ୍ରସାଦ ଏବଂ ଶୀଲା ମଣ୍ଡଳ ମନ୍ତ୍ରୀ ପଦର ଶପଥ ଗ୍ରହଣ କରିଥିବା ବେଳେ ବିଜେପିରୁ ମଙ୍ଗଳ ପାଣ୍ଡେ, ଜୀବେଶ ମିଶ୍ରା, ରାମପ୍ରୀତ ପାଶୱାନ, ଅମରେନ୍ଦ୍ର ପ୍ରସାଦ ସିଂହ ଏବଂ ରାମସୁରତ ରାୟ ଶପଥ ଗ୍ରହଣ କରିଛନ୍ତି। ଏହା ବ୍ୟତୀତ ‘ହମ୍‌’ ଦଳରୁ ସନ୍ତୋଷ ମାଂଝୀ ଏବଂ ଭିଆଇପିରୁ ମୁକେଶ ଶାହଣି ଶପଥ ନେଇଛନ୍ତି। ସନ୍ତୋଷ ମାଂଝି ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଜୀତନରାମ ମାଝିଂଙ୍କ ପୁଅ। ଜୀତନରାମ ଏଥର ‘ହମ୍‌’ ଟିକଟରେ ନିର୍ବାଚନ ଜିତିଥିଲେ। ଶପଥ ଗ୍ରହଣ ଉତ୍ସବରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସମେତ ଦଳର ଶୀର୍ଷ ନେତାମାନେ ଉପସ୍ଥିତ ଥିଲେ। ଏଥର ବିହାର ବିଧାନସଭା ନିର୍ବାଚନରେ କ୍ଷମତାସୀନ ଏନ୍‌ଡିଏ ମେଣ୍ଟ ୧୨୫ ଆସନ ପାଇ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଅନ୍ୟପକ୍ଷରେ ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କ ନେତୃତ୍ବରେ ମହାମେଣ୍ଟକୁ ୧୧୦ ଆସନ ମିଳିଛି।

Share Now:

Kalinga News Beuro

Next Post

ସ୍ୱାଭିମାନ ଅଞ୍ଚଳରେ ନବୀନଙ୍କ ନକ୍ସା: ସବୁ ପରିବାରକୁ ମିଳିବ ସ୍ମାର୍ଟ ଫୋନ

Wed Nov 18 , 2020
ସ୍ବତନ୍ତ୍ର ପ୍ୟାକେଜ୍ ୨୧୫ କୋଟିକୁ ବୃଦ୍ଧି ଭୁବନେଶ୍ବର/ମାଲକାନଗିରି/ଚିତ୍ରକୋଣ୍ଡା, ୧୭/୧୧ (ଇମିସ): ନକ୍ସଲ ଅଧ୍ୟୁଷିତ ସ୍ବାଭିମାନ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ନୂଆ ନକ୍ସା ତିଆରି କରିଛନ୍ତି ରାଜ୍ୟ ସରକାର। ବିକାଶ ଯୋଜନାର ଅଂଶ ‌ସ୍ବରୂପ ସ୍ବାଭିମାନ ଅଞ୍ଚଳର ସବୁ ପରିବାରକୁ ସ୍ମାର୍ଟ ଫୋନ୍ ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ପିଲାଙ୍କ ଅନ୍‌ଲାଇନ୍ ଶିକ୍ଷାରେ ସୁବିଧା ହେବ ଓ ସ୍ଥାନୀୟ ଲୋକେ ଅନ୍ୟ ଅଞ୍ଚଳ ସହିତ ନିଜକୁ ଯୋଡ଼ିବାରେ ସକ୍ଷମ ହେବେ। […]
ନକ୍ସଲ ଅଞ୍ଚଳରେ ନବୀନଙ୍କ ନକ୍ସା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial