ଭୁବନେଶ୍ବର: ଡେପୁଟି ମେୟର ପ୍ରାର୍ଥୀଙ୍କୁ ନେଇ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଜାରି ରହିଥିଲା ସସ୍ପେନ୍ସ। କନ୍ଫରେନ୍ସ ହଲ୍ରେ ବସିବା ପର୍ଯ୍ୟନ୍ତ ମଧ୍ୟ କାହାରି ପାଖରେ କିଛି ବି ସୁରାକ୍ ନଥିଲା। ଶପଥ ଗ୍ରହଣ ଉତ୍ସବ ସରିବା ପରେ ପ୍ରାର୍ଥିପତ୍ର ଦାଖଲ କରିବାକୁ ବିଧିବଦ୍ଧ ଭାବରେ ଘୋଷଣା ହୋଇଥିଲା। ଏଜେଣ୍ଟ ଭାବେ ଯୋଗ ଦେଇଥିବା ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ପକେଟ୍ରେ ଥିଲା ମାଟିଆ ଖାମ୍। ଯେଉଁଥିରେ ବନ୍ଦ ରହିଥିଲା ଡେପୁଟି ମେୟର ପ୍ରାର୍ଥୀଙ୍କ ନାଁ। ସେ ଖାମ୍ ବାହାର କରି ନାଁ ଘୋଷଣା କଲେ। ଯାହା ଅନୁମାନ କରାଯାଉଥିଲା, ତାହା ହେଲା। ନବୀନ ଚକ୍ମା ଦେଲେ। ଯାହାଙ୍କ କଥା ବିଲ୍କୁଲ ଚର୍ଚ୍ଚାରେ ନଥିଲା, ତାଙ୍କ ନାମ ବାହାରିଲା। ସେ ହେଲେ ୨୨ ନମ୍ବର ୱାର୍ଡ କର୍ପୋରେଟର ମଞ୍ଜୁଲତା କହଁର। ସେ ବିଧିବଦ୍ଧ ଭାବରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ଏବଂ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ହେଲେ ଯେଉଁମାନେ ଆଶାୟୀ ଥିଲେ ବା ପୁରୁଖା ତଥା ହେଭିୱେଟ୍ଙ୍କ ମୁହଁ ଶୁଖି ଯାଇଥିଲା। ଦଳ ମୁଖିଆଙ୍କର ଏଭଳି ନିଷ୍ପତ୍ତିକୁ ସେମାନେ ସହଜରେ ଗ୍ରହଣ କରିପାରୁ ନଥିବା ଭଳି ପ୍ରତୀୟମାନ ହେଉଥିଲା। ଖୋଦ୍ ମଞ୍ଜୁଲତା ବି ଏହାକୁ ବିଶ୍ବାସ କରିପାରିନଥିବା ଭଳି ଲାଗୁଥିଲା। ସମସ୍ତଙ୍କର ପ୍ରତିକ୍ରିୟାରୁ ଏହା ସ୍ପଷ୍ଟ ହେଉଥିଲା ଯେ କେହି ବି ଏଭଳି ଏକ ନିଷ୍ପତ୍ତି ସମ୍ବନ୍ଧରେ ସୂଚନା ପାଇନଥିଲେ। ମେୟର ମହିଳା ଥିବାରୁ ଡେପୁଟି ମେୟର ଭାବେ ଜଣେ ପୁରୁଷଙ୍କୁ ସୁଯୋଗ ମିଳିବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା ଓ ସେହି ଅନୁସାରେ ଚର୍ଚ୍ଚା ହେଉଥିଲା। ତେବେ କଟକ ଡେପୁଟି ମେୟର ପ୍ରାର୍ଥୀ ବଛାଯିବା ପରେ ସମୀକରଣ ବଦଳିଥିଲା। ବସ୍ତି କିମ୍ବା ଅନୁସୂଚିତ ଜାତି ବର୍ଗର ପୁରୁଷଙ୍କୁ ଏହି ପଦ ଦିଆଯିବା ନେଇ ଚର୍ଚ୍ଚା ହେଉଥିଲା। ଏକାଧିକଥର କର୍ପୋରେଟର୍ ଭାବେ ବିଜୟୀ ହୋଇ ରାଜଧାନୀର ବିଜେଡି ସଂଗଠନରେ ନିଜର ପତିଆରା ଜାହିର କରିଥିବା କିଛି ନେତାଙ୍କ ନାମ ଡେପୁଟି ମେୟର ପଦ ପାଇଁ ଆଗରେ ରହିଥିଲା। ଏଥିରେ ରହିଥିଲେ ଅମରେଶ ଜେନା, ବିରଞ୍ଚି ନାରାୟଣ ମହାସୂପକାର, ନୃପେଶ ନାୟକ ଓ ମିହିର କୁମାର ରାଉତ। ଏହି କର୍ପୋରେଟର୍ମାନେ ମଧ୍ୟ ନିଜ ନିଜ ବାଟରେ ଲବି ଚଳାଇଥିଲେ। ତିନି ବିଧାୟକଙ୍କ ସମେତ ଦଳର କିଛି ବରିଷ୍ଠ ନେତାଙ୍କ ପାଖରେ ନିଜ ନିଜର ପକ୍ଷ ରଖିଥିଲେ। କିନ୍ତୁ ସେମାନଙ୍କୁ ଉପର ମହଲରୁ ଶେଷ ପର୍ଯ୍ୟନ୍ତ ସବୁଜ ସଙ୍କେତ ମିଳି ନ ଥିଲା।
ଏଣେ ପ୍ରମୁଖ ଆଶାୟୀଙ୍କ ମଧ୍ୟରୁ ଜଣଙ୍କୁ ଡେପୁଟି ମେୟର ପଦବିରେ ବସାଇଲେ, ଅନ୍ୟମାନେ ଅସନ୍ତୁଷ୍ଟ ହେବା ଆଶଙ୍କା ଥିବାରୁ ସମସ୍ତଙ୍କୁ ଚକ୍ମା ଦେଖାଇ ଆଦୌ ଆଲୋଚନାରେ ନ ଥିବା ଜଣେ ନୂଆ କର୍ପୋରେଟର୍ଙ୍କୁ ଡେପୁଟି ମେୟର କରାଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।
‘ହାତୀ ଢାଳିଲା ସୁନା କଳସ’
ବିଏମ୍ସିର ପ୍ରଥମ ମହିଳା ଡେପୁଟି ମେୟର ଭାବରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ଅନୁସୂଚିତ ଜନଜାତି ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ୨୨ ନମ୍ବର ୱାର୍ଡ କର୍ପୋରେଟର ମଞ୍ଜୁଲତା କହଁର। ସ୍ବାମୀ ସୌରଭ କୁମାର ଜାନି ଜଙ୍ଗଲ ବିଭାଗରେ ଚାକିରି କରନ୍ତି। ୩ ବର୍ଷ ହେବ ସେ ବିବାହ କରିଛନ୍ତି। ସେ ନିଜେ ମଧ୍ୟ ଉଚ୍ଚଶିକ୍ଷିତା। ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସେ ପିଜି କରିଛନ୍ତି। ନା ରାଜନୀତିରେ ପରିବାରରୁ କେହି ଥିଲେ, ନା ସେ ରାଜନୀତି କରିବେ ବୋଲି କେବେ ଚିନ୍ତା କରିଥିଲେ। ତାଙ୍କ ସ୍ବାମୀ ମଧ୍ୟ ରାଜନୀତିରେ ନଥିଲେ। ୨୨ନମ୍ବର ୱାର୍ଡ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ହେଲା, ସେଠାରୁ ପ୍ରାର୍ଥୀ ହେବାକୁ ସୁଯୋଗ ମିଳିଲା ଏବଂ ଲୋକମାନେ ଏଭଳି ପସନ୍ଦ କଲେ ଯେ ମାତ୍ରାଧିକ ଭୋଟ୍ ବ୍ୟବଧାନରେ ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କୁ ହରାଇଲେ। ଶେଷରେ ବିଜେଡି ସୁପ୍ରିମୋ ମଧ୍ୟ ତାଙ୍କ ଉପରେ ପ୍ରୀତ ହେଲେ। ତାଙ୍କୁ ଡେପୁଟି ମେୟର ଭାବେ ଏକ ଗୁରୁତ୍ବପୂର୍ଣ୍ଣ ପଦବି ମିଳିଲା। କନ୍ଧମାଳରୁ ଭୁବନେଶ୍ବର ଯାତ୍ରା ଭିତରେ ଅଚାନକ ବିଏମ୍ସିର ଡେପୁଟି ମେୟର ହୋଇଯିବା ପରେ ହାତୀ ତାଙ୍କ ଉପରେ ସୁନା କଳସ ଢାଳିବା ସଦୃଶ ହୋଇଛି।
ଚକ୍ମା ଦେଲା ଡେପୁଟି ମେୟର ପ୍ରାର୍ଥୀ ଘୋଷଣା

Share Now: