ପଲିଥିନ ଘେରିରେ ‘ଆମ ବସ୍ତିର ଚାଟଶାଳୀ’ : ମାଗଣାରେ ପଢୁଛନ୍ତି ବସ୍ତି ପିଲା

‘ଆମ ବସ୍ତିର ଚାଟଶାଳୀ’

ରାଉରକେଲା: ସମାଜରେ ନୈତିକତା ଓ ଦାୟିତ୍ୱବୋଧରୁ ଯୁବବର୍ଗ ହଟିଯାଉଥିବା ଅନେକ ସମୟରେ ଆଲୋଚନା ହୁଏ। କିନ୍ତୁ ଏହି ଉକ୍ତିକୁ ସଂପୂର୍ଣ୍ଣ ମିଥ୍ୟା ପ୍ରମାଣିତ କରିଛନ୍ତି ରାଉରକେଲା ନେହରୁପଲ୍ଲୀ ବସ୍ତିର ୪ ଜଣ ଉଚ୍ଚ ଶିକ୍ଷିତ ଯୁବକ, ଯୁବତୀ। ଏହି ଚାରି ଯୁବକଯୁବତୀ ନିଜେ ଚାକିରୀ ପାଇଁ ପ୍ରସ୍ତୁତି ଚଲାଇଛନ୍ତି। ତେବେ ଏସବୁ ଭିତରେ ସମାଜପ୍ରତି ନିଜର କର୍ତ୍ତବ୍ୟବୋଧକୁ ଭୁଲିଯାଇନାହାନ୍ତି। ସେମାନେ ବସ୍ତି ପିଲାଙ୍କ ଭବିଷ୍ୟତ ଗଢ଼ିବାକୁ ମାଗଣା ଶିକ୍ଷାଦାନ କରୁଛନ୍ତି। ନିଜ ବସ୍ତିରେ ନୀଳରଙ୍ଗର ପଲିଥିନ ଘେରି ତିଆରିଛନ୍ତି ‘ଆମ ବସ୍ତିର ଚାଟଶାଳୀ’। ପ୍ରାୟ ୫୦ରୁ ଉର୍ଦ୍ଧ୍ବ ବସ୍ତିପିଲାଙ୍କୁ ମାଗଣା ଶିକ୍ଷାଦାନ ଜାରି ରଖିଛନ୍ତି। ସେକ୍ଟର-୨୦ ସ୍ଥିତ ନେହେରୁପାଲ୍ଲୀ ବସ୍ତିରେ ରୁହନ୍ତି ଏହି ୪ ଜଣ ଶିକ୍ଷିତ ଯୁବକ ଯୁବତୀ। ସେମାନେ ହେଉଛନ୍ତି କରମ ସିଂ, ମହେଶ ନାଗ, କଲ୍ୟାଣି ବାଗ ଓ ରୂପାଲି ସିଂ। ଏମାନଙ୍କ ମଧ୍ୟରୁ କରମ ଓ କଲ୍ୟାଣି ସ୍ନାତକ କରିଥିବାବେଳେ ରୂପାଲି ସ୍ନାତକୋତ୍ତର କରିଛନ୍ତି। ଇଞ୍ଜିୟରିଂ ଡିପ୍ଲୋମାଧାରୀ ମହେଶ ସଂପ୍ରତି ଆର୍‌ଏସ୍‌ପିରେ ଏକ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟରତ। ନେହରୁପଲ୍ଲୀ ବସ୍ତିକୁ ଲାଗିରହିଛି ଆଜାଦ ବସ୍ତି ଓ ମିଶ୍ର ଖଟାଲ ବସ୍ତି। ଏସବୁ ଅଞ୍ଚଳରେ ପ୍ରାୟତଃ ଗରିବ ଶ୍ରେଣୀ ଲୋକ ବସବାସ କରୁଛନ୍ତି। ଏଣୁ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ଏମାନଙ୍କର ପୁଅଝିଅ କେବଳ ସରକାରୀ ସ୍କୁଲରେ ପଢ଼ୁଛନ୍ତି। ତେବେ କରୋନା କାଳରେ ସ୍କୁଲରେ ଶିକ୍ଷାଦାନ ବନ୍ଦ ହୋଇଯିବାରୁ ପିଲାଙ୍କ ପାଠପଢ଼ାରେ ଏକପ୍ରକାର ଡୋରି ଲାଗିଯାଇଥିଲା। ଏତିକିବେବେଳ ଏହି ବସ୍ତି ପିଲାଙ୍କୁ ଶିକ୍ଷାଦାନ ଜାରି ରଖିବାକୁ ଆଗେଇ ଆସିଥିଲେ ଏହି ଚାରି ଜଣ। ଗତ ଦୁଇ ବର୍ଷ ହେଲା ମାଗଣା ଶିକ୍ଷାଦାନ ଜାରି ରଖିଛନ୍ତି। ତେବେ ପିଲାଙ୍କୁ ପଢ଼ାଇବାକୁ ଏମାନଙ୍କ ପାଖରେ ସୁବିଧା ନ ଥିବାରୁ ଖୋଲା ଆକାଶ ତଳେ ପଲିଥିନ ଘେରା କରାଯାଇଛି। ସେଠାରେ ପର୍ଯ୍ୟାୟକ୍ରମେ ପ୍ରଥମରୁ ଦଶମ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଉଛନ୍ତି। ବର୍ତ୍ତମାନ ୫୦ ରୁ ଉର୍ଦ୍ଧ୍ୱ ପିଲା ଏଠାରେ ପାଠ ପଢୁଛନ୍ତି।
ନିଜ ବସ୍ତିର ଏହି ଶିକ୍ଷିତ ଯୁବକ ଯୁବତୀ ନିରକ୍ଷରତା ଦୂର କରିବାର ପ୍ରୟାସକୁ ଖୁବ ପ୍ରଶଂସା କରୁଛନ୍ତି ପିଲାଙ୍କ ଅଭିଭାବକ। ଲକଡାଉନ ଯୋଗୁଁ ସ୍କୁଲ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବାପରେ ପିଲା ପାଠପଢ଼ାରୁ ଏକପ୍ରକାର ମୋହ ତୁଟାଇ ଦେଇଥିଲେ। ଲକ୍‌ଡାଉନରେ ଯେଉଁ କାମ କରୁଥିଲୁ, ତାହା ବି ବନ୍ଦ ହୋଇଯିବାରୁ ଆୟ ଠପ୍‌ ହୋଇଯାଇଥିଲା। ଏଣୁ ଏହି ସମୟରେ ପିଲାଙ୍କୁ ଟ୍ୟୁସନ ପଠାଇବା ବି ସମ୍ଭବ ନ ଥିଲା। ଠିକ ସେତିକିବେଳେ ଭଗବାନ ଭାବେ ଉଭା ହୋଇଥିଲେ ଏହି ୪ ଜଣ। ଏମାନେ ଏକ ଶୈକ୍ଷିକ ପରିବେଶ ତିଆରି ପିଲାଙ୍କୁ ପାଠପଢ଼ା ପ୍ରତି ଆକୃଷ୍ଟ କରିଛନ୍ତିବୋଲି ଅଭିଭାବକ କହିଛନ୍ତି। ଏନେଇକରମ, ମହେଶ, କଲ୍ୟାଣୀ ଓ ପୁନମ କହିଛନ୍ତି, ‘ଆମେ ହେଉଛୁ ବସ୍ତିର ପିଲା। ପିତାମାତାଙ୍କ ଦୁଃଖ ଦେଖିଛୁ, ଆଉ ପାଠ ପଢି ଭଲ ଚାକିରୀ ଖଣ୍ଡେ ପାଇବା ପାଇଁ ପ୍ରସ୍ତୁତି କରୁଛୁ। ଏସବୁ ଭିତରେ ସମୟ ବାହାର କରି ଆମ ବସ୍ତିର ପିଲାଙ୍କୁ ପାଠ ପଢ଼ାଉଛୁ। ଏଥିପାଇଁ ଆମେ କୌଣସି ପାରିଶ୍ରମିକ ନେଇ ଗରିବ ପିତାମାତାଙ୍କ ଉପରେ ବୋଝ ଲଦିବାକୁ ଚାଁହୁନାଁହୁ। ପ୍ରାୟ ଦୁଇ ବର୍ଷ ତଳେ ୨୦/୨୫ ପିଲା ପାଠ ପଢୁଥିଲେ। ଏବେ ୫୦/୬୦ ପିଲା ଆଗ୍ରହର ସହ ଆସି ପଢୁଛନ୍ତି ବୋଲି କହିଛନ୍ତି।

Share Now:

Kalinga News Beuro

Next Post

ବିଧାୟକ ରବି ରାଣା ଏବଂ ତାଙ୍କ ସାଂସଦ ପତ୍ନୀ ନବନୀତ୍ ରାଣାଙ୍କୁ ଗିରଫ କଲା ମୁମ୍ବାଇ ପୁଲିସ

Sat Apr 23 , 2022
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତକୁ ନେଇ ମହାରାଷ୍ଟ୍ର ବିଧାନସଭା ସଦସ୍ୟ ରବି ରାଣା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ କରିବାକୁ ଥିବା ବିକ୍ଷୋଭକୁ ବନ୍ଦ କରି ଦେଇଥିଲେ। ହେଲେ ବିକ୍ଷୋଭ ବନ୍ଦ ପରେ ବି ଉଭୟ ରବି ରାଣା ଏବଂ ତାଙ୍କ ସାଂସଦ ପତ୍ନୀ ନବନୀତ୍ ରାଣାଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ। ବର୍ତ୍ତମାନ ଦୁହେଁ ଆସନ୍ତାକାଲି ବାନ୍ଦ୍ରା କୋର୍ଟରେ ହାଜର ହେବେ। ତାଙ୍କ ବିରୋଧରେ […]
ବିଧାୟକ ରବି ରାଣା ଏବଂ ତାଙ୍କ ସାଂସଦ ପତ୍ନୀ ନବନୀତ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial