ନିଷ୍ଠା ଆଗରେ ହାର ମାନିଲା ଦାରିଦ୍ର୍ୟ : କଳାରେ ଶ୍ରେଷ୍ଠ ଦଶ ମଧ୍ୟରେ ଟ୍ରଲି ଚାଳକଙ୍କ ଝିଅ

ପୁରୀ : କଠିନ ଅଧ୍ୟବସାୟ ଓ ନିଷ୍ଠା ଆଗରେ ଦାରିଦ୍ର୍ୟ ହାର ମାନିଥାଏ। ଏ କଥାକୁ ପ୍ରମାଣ କରି ଦେଖାଇଛନ୍ତି ଚଳିତ ବର୍ଷ ଯୁକ୍ତ ଦୁଇ କଳା ପରୀକ୍ଷାରେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବା ପୁରୀର ସାମନ୍ତ ଚନ୍ଦ୍ରଶେଖର (ଏସ୍‌ସିଏସ୍‌) ମହାବିଦ୍ୟାଳୟର ଛାତ୍ରୀ ଶକୁନ୍ତଳା ନାୟକ। ପୁରୀ ସହରର ଟ୍ରଲି ଚାଳକ ଘନ ନାୟକଙ୍କ ଝିଅ ଶକୁନ୍ତଳା କଳାରେ ୫୨୩ ନମ୍ବର ରଖି ଏବେ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲିଟିଛନ୍ତି। ତେବେ ଏଥିପାଇଁ ତାଙ୍କୁ କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ତାଙ୍କ ମା’ ମଧ୍ୟ ପର ଘରେ ବାସନ ମାଜନ୍ତି। ଶକୁନ୍ତଳା ନିଜେ ମଧ୍ୟ ପିଲାଙ୍କୁ ଟ୍ୟୁସନ୍‌ କରି ପାଠପଢ଼ନ୍ତି। ବାପା, ମା’ଙ୍କ ସ୍ୱଳ୍ପ ରୋଜଗାରରେ ତାଙ୍କ ସାନ ଭଉଣୀ ଓ ଭାଇ ପାଠ ପଢ଼ନ୍ତି।

ଶକୁନ୍ତଳାଙ୍କ ପରିବାର ପୁରୀ ସହରର ସିଦ୍ଧ ମହାବୀର ଅଞ୍ଚଳ କୁମୁଟିପାଟଣା ଅଞ୍ଚଳରେ ଏକ ଘରେ ଭଡ଼ାରେ ରହନ୍ତି। ପିଲାଙ୍କୁ ଭଲ ମଣିଷ କରିବା ଓ ଶିକ୍ଷା ଦେବା ପାଇଁ ବାପା ଘନ ନାୟକ ଓ ମା’ ବାସନ୍ତି ନିଜ ପୈତୃକ ଗ୍ରାମ ବୀରପ୍ରତାପପୁର ଅଞ୍ଚଳର ଦାମୋଦରପୁର ଛାଡ଼ି ପୁରୀରେ ରହୁଛନ୍ତି। ଶକୁନ୍ତଳା ପିଲାଟି ଦିନରୁ ମେଧାବୀ ବୋଲି ଶିକ୍ଷକମାନେ କହନ୍ତି। ମ୍ୟାଟ୍ରିକ ପରୀକ୍ଷାରେ ଶକୁନ୍ତଳା ୮୬ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ପରେ ଉଚ୍ଚଶିକ୍ଷା ଦେବା ପାଇଁ ଅର୍ଥାଭାବ ଥିବାରୁ ବାପା ଚିନ୍ତାରେ ପଡିଯାଇଥିଲେ। ଶକୁନ୍ତଳା ଏସ୍‌ସିଏସ୍‌ କଲେଜରେ କଳାରେ ନାମ ଲେଖାଇଥିଲେ। ଏବେ ସେ ୮୭ ପ୍ରତିଶତ ନମ୍ବର ରଖିଛନ୍ତି। ଶକୁନ୍ତଳା ଦୈନିକ ୬ ଘଣ୍ଟାରୁ ଅଧିକ ପାଠ ପଢୁଥିଲେ। ସେ ଘରର ବଡ ଝିଅ ହୋଇଥିବା ବେଳେ ସାନ ଭଉଣୀ ଏବେ ଦଶମ ଓ ସାନ ଭାଇ ସପ୍ତମ ଶ୍ରେଣୀରେ ପଢୁଛନ୍ତି। ସଫଳତା ପାଇଁ ସେ ତାଙ୍କ ବାପା, ମା ଓ କୋଚିଂ ସେଣ୍ଟରର ଅଧ୍ୟାପକମାନଙ୍କୁ ଶ୍ରେୟ ଦେଇଛନ୍ତି। ସେ ଜଣେ ଶିକ୍ଷକ ହେବାର ଲକ୍ଷ୍ୟ ରଖିଛନ୍ତି ।

Share Now:

Kalinga News Beuro

Leave a Reply

Next Post

ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପି.କେ. ଜେନାଙ୍କ ସ୍ଥାନରେ ପ୍ରଦୀପ୍ତ ମହାପାତ୍ର

Mon Jun 11 , 2018
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ ଜେନାଙ୍କ ସ୍ଥାନରେ ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ନିଯୁକ୍ତ କରିଛନ୍ତି । ଶ୍ରୀ ଜେନାଙ୍କ ସମୟରେ ବିଭିନ୍ନ କାରଣରୁ ଶ୍ରୀମନ୍ଦିରକୁ ନେଇ ବିବାଦ ଦେଖାଦେଇଥିଲା । ଏହା ମଧ୍ୟରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପର୍ଯ୍ୟବେକ୍ଷଣ, ଚାବି ହଜିବା, ଶ୍ରୀମନ୍ଦିର ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିବା ଅନ୍ୟତମ । ସରକାର ଗତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial