ହାତରୁ ଖସୁଛି ସ୍ଲମ୍‌ କ୍ୱାଟର୍ସ : ୪ବର୍ଷ ପରେ ହାଇକୋର୍ଟରେ ଆବେଦନ କରି ହାରିଲା ବିଏମ୍‌ସି

ଭୁବନେଶ୍ୱର: ସ୍ଲମ୍‌ କ୍ୱାଟର୍ସ ପ୍ରସଙ୍ଗରେ ବିଏମ୍‌ସିକୁ ଆଉ ଥରେ ଝଟ୍‌କା ଲାଗିଛି। କ୍ୱାଟର୍ସରେ ରହୁଥିବା ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ବିରୋଧରେ ହାଇକୋର୍ଟ ଯାଇଥିବା ବିଏମ୍‌ସିର ଆବେଦନ ଖାରଜ ହୋଇଛି। ୨୦୧୯ ମସିହାରେ ରିଟ୍‌ ପିଟିସନ ଦାଖଲ ପାଇଁ କୋର୍ଟ କହିଥିଲେ ମଧ୍ୟ ୪ ବର୍ଷ ପରେ ବା ୨୦୨୩ରେ କୋର୍ଟରେ ରିଟ୍‌ ଆବେଦନ କରିବାରୁ ବିଏମ୍‌ସିକୁ ଭୋଗିବାକୁ ପଡ଼ିଛି। ବିଏମ୍‌ସିର ରିଟ୍‌ ନାକଚ ହେବା ଫଳରେ ନିଜ ନାମରେ କ୍ୱାଟର୍ସ କରିଦେବା ପାଇଁ ମୂଳ ଆବେଦନକାରୀଙ୍କର ଆବେଦନ କାଏମ ରହିଛି। ଏହି କ୍ୱାଟର୍ସକୁ ବିଏମ୍‌ସି ଆବେଦନକାରୀଙ୍କ ନାମରେ ନ କରି ସୁପ୍ରିମ୍‌କୋର୍ଟ ଯିବ ବୋଲି ଜଣାପଡ଼ିଛି। ତେବେ ବିଏମ୍‌ସିର ଯେଉଁ ସବୁ ତ୍ରୁଟି ରହିଛି ସୁପ୍ରିମକୋର୍ଟରେ ବି ବିଏମ୍‌ସି ହାରିବ ବୋଲି ଜଣେ ବରି‌ଷ୍ଠ ଆଇନଜୀବୀ କହିଛନ୍ତି। ନାରାୟଣ ପାତ୍ର ନାମକ ଜଣେ ହିତାଧିକାରୀ ହାଇକୋର୍ଟ ଯାଇଥିଲେ। ୨୦୧୯ ମସିହାରେ କୋର୍ଟ ବିଏମ୍‌ସିକୁ ରିଟ୍‌ ପିଟିସନ ଦାଖଲ କରିବାକୁ କହିଥିଲେ। ହେଲେ ବିଏମ୍‌ସି ୪ ବର୍ଷ ପରେ ଅର୍ଥାତ୍‌ ୨୦୨୩ରେ ପିଟିସନ ଦାଖଲ କରିବାରୁ ମାମଲା ହାରି ଯାଇଛି। ଓକିଲଙ୍କ ଖର୍ଚ୍ଚ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଜଣେ ଡିଏଲ୍‌ଆର କର୍ମଚାରୀ ଏହି ହାଇକୋର୍ଟ ମାମଲାଗୁଡ଼ିକର କାଗଜପତ୍ର ରକ୍ଷଣାବେକ୍ଷଣ କରୁଛନ୍ତି। ନିକଟ ଅତୀତରେ ସମ୍ପୃକ୍ତ କର୍ମଚାରୀଙ୍କ ପରିଚାଳନାଗତ ତ୍ରୁଟି କାରଣରୁ କମିସନରଙ୍କୁ ହାଇକୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ପଡ଼ିଥିଲା। କିନ୍ତୁ ‌ସମ୍ପୃକ୍ତ କର୍ମଚାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏବେ ଏହି ସ୍ଲମ୍‌ କ୍ୱାଟର୍ସ ମାମଲା ପୁଣି ଥରେ ବିଏମ୍‌ସିକୁ ଭାରି ପଡ଼ିବାକୁ ଯାଉଛି। ଯେଉଁମାନେ ଏଠାରେ ରହୁଛନ୍ତି ସେମାନଙ୍କ ନାମରେ ଏହି କ୍ୱାଟର୍ସ ଗୁଡ଼ିକ କରିବାକୁ ବିଏମ୍‌ସି ବାଧ୍ୟ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। କାରଣ ପୂର୍ବରୁ ଏକ ଆବେଦନର ବିଚାର କରି ହାଇକୋର୍ଟ ସମ୍ପୃକ୍ତ ଆବେଦନକାରୀଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଏହାକୁ ବିଏମ୍‌ସି ଚାଲେଞ୍ଜ କରିବାକୁ ବସିଛି।
୧୯୫୬ ମସିହାରେ କେନ୍ଦ୍ର ସରକାର ‘ସ୍ଲମ୍‌ କ୍ଲିୟରାନ୍ସ ସ୍କିମ୍‌’ରେ ୟୁନିଟ୍‌-୩ ମାଳିସାହି, ପୁରୁଣା ଭୁବନେଶ୍ୱର ହାଡ଼ିପୋଖରୀ ଓ ଶ୍ରୀରାମନଗରରେ ସାଧାରଣ ପ୍ରଶାସନ(ଜିଏ) ବିଭାଗ ଜମିରେ ୧୮୫ଟି କ୍ୱାଟର୍ସ ତିଆରି କରିଥିଲେ। ସ୍ୱଳ୍ପ ଭଡ଼ାରେ ଘରଗୁଡ଼ିକୁ ବସ୍ତିବାସିନ୍ଦା ଓ ସ୍ୱଳ୍ପ ଆୟକାରୀ ଲୋକଙ୍କୁ ଦେବା ପାଇଁ ନିୟମ ରହିଥିଲା। ଗୃହ ଓ ନଗର ଉନ୍ନୟନ ବିଭାଗ, ଗୃହ ବିଭାଗ, ପୂର୍ତ୍ତ ବିଭାଗ, ଭୁବନେଶ୍ୱର ମ୍ୟୁନିସିପାଲିଟି(ଏବେ ବିଏମ୍‌ସି) ଅଧିକାରୀଙ୍କୁ ନେଇ ୧୯୭୩ ମସିହା ଅକ୍ଟୋବର ୧୦ରେ ‘ସ୍ଲମ୍‌ କ୍ୱାଟର୍ସ ଆଲଟ୍‌ମେଣ୍ଟ କମିଟି’ ଗଠନ ହୋଇଥିଲା। କମିଟିର ପ୍ରଥମ ବୈଠକ ୧୯୭୪ ଜୁନ୍‌ ୨୪ ତାରିଖରେ ବସିଥିଲା। ବସ୍ତିବାସିନ୍ଦାଙ୍କୁ ବାଣ୍ଟିଲେ ଭଡ଼ା ମିଳିବ ନାହିଁ ବା ସମସ୍ୟା ହେବା ଆଶଙ୍କା କରି ସରକାରୀ କର୍ମଚାରୀଙ୍କୁ ଏହି କ୍ୱାଟର୍ସ ବାଣ୍ଟିବା ପାଇଁ କମିଟି ଯୋଜନା କରି କିଛି କର୍ମଚାରୀମାନଙ୍କୁ ବାଣ୍ଟି ଦେଇଥିଲା। ଚାକିରି ସରିବା ପରେ କ୍ୱାଟର୍ସ ଫେରାଇବେ ଓ ତାଙ୍କର କୌଣସି ପରିବାରବର୍ଗଙ୍କୁ କ୍ୱାର୍ଟର ସ୍ଥାନାନ୍ତର ହୋଇପାରିବ ନାହିଁ ବୋଲି ସର୍ତ୍ତ ରହିଥିଲା। କିଛି ଦିନ ଭଡ଼ା ଆଦାୟ କରିବା ପରେ ବିଏମ୍‌ସି ଆଉ ଭଡ଼ା ଆଦାୟ କରିନଥିଲା। ଭଡ଼ା ଆଦାୟ କରିଥିଲେ ହୁଏତ ଭଡ଼ାଟିଆଙ୍କୁ ଘରୁ ହଟାଇବା ଭଳି ସେମାନଙ୍କୁ ବିଏମ୍‌ସି ହଟାଇ ପାରିଥାନ୍ତା। କିନ୍ତୁ ସେ ସୁଯୋଗ ଏବେ ନାହିଁ। ସରକାରୀ କର୍ମଚାରୀଙ୍କୁ ବାଣ୍ଟି ଏହି କମିଟି ସ୍ଲମ୍‌ କ୍ୱାଟର୍ସ ପାଇଁ ଧାର୍ଯ୍ୟ ନିୟମାବଳୀକୁ ଉଲ୍ଲଂଘନ କରିଥିବା ବେଳେ ବିଏମ୍‌ସିର ଆଉ ଏକ ତ୍ରୁଟି ଆବେଦନକାରୀଙ୍କୁ ସୁହାଇଥିଲା। ଏହାର ସୁଯୋଗ ନେଇ ପରବର୍ତ୍ତୀ ସମୟରେ କ୍ୱାଟର୍ସରେ ରହୁଥିବା ଅଧିକାଂଶ ଲୋକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ତାଙ୍କ ସପକ୍ଷରେ ରାୟ ଆସିଥିଲା।
ପ୍ରଥମେ କମିଟି ଏଭଳି ତ୍ରୁଟି କରିବା ପରେ ବିଏମ୍‌ସିର କେତେକ ଅଧିକାରୀ ଦାଇତ୍ୱରେ ଥିବା ବେଳେ ନିଜ ଇଚ୍ଛାରେ ନିଜ ଲୋକଙ୍କୁ କ୍ୱାଟର୍ସ ବାଣ୍ଟିଦେଲେ। ବଡ଼କଥା ହେଲା ଚାକିରିରୁ ଅବସର ନେବା ପରେ କ୍ୱାଟର୍ସ ଛାଡ଼ିବାକୁ ଯେଉଁ ସର୍ତ୍ତ ରଖାଯାଇଥିଲା ତାହା ମଧ୍ୟ ପାଳନ ହେଲା ନାହିଁ। ଅବସର ପୂର୍ବରୁ କର୍ମଚାରୀଙ୍କୁ ଏହି କ୍ୱାଟର୍ସ ବାବଦରେ ବିଏମ୍‌ସି ଅବଗତ କଲା ନାହିଁ। ଏହାର ସୁଯୋଗ ନେଇ ମଧ୍ୟ ଅନେକେ କୋର୍ଟର ଦ୍ୱାରସ୍ଥ ହେଲେ। ଫଳରେ ବିଏମ୍‌ସି ବାରମ୍ବାର ମାମଲା ହାରିଥିଲା ଓ ଆବେଦନକାରୀଙ୍କ ସପକ୍ଷରେ ରାୟ ଯାଇଥିଲା। ବଡ଼କଥା ହେଉଛି ବିଏମ୍‌ସି ଗୃହ ଓ ନଗର ଉନ୍ନୟନ ବିଭାଗକୁ ଦେଇଥିବା ‌ଏକ ଚିଠିରେ ସ୍ୱୀକାର କରିଥିଲା କି, ଏଠାରେ କ୍ୱାଟର୍ସ ପାଇଥିବା ଅଧିକାଂଶ ବସ୍ତିବାସିନ୍ଦା ନୁହନ୍ତି ଓ ଅନେକ ଅଯୋଗ୍ୟ ବ୍ୟକ୍ତି ଏଠାରେ ରହୁଛନ୍ତି। କିନ୍ତୁ ସେମାନଙ୍କୁ ବାହାର କରିବାକୁ ବିଏମ୍‌ସି ପାଖରେ ଆଉ ବାଟ ନାହିଁ।

Share Now:

Kalinga News Beuro

Next Post

ଶୀତରେ ଥରୁଛି ରାଜଧାନୀ ଭୁବନେଶ୍ୱର

Fri Dec 22 , 2023
ଭୁବନେଶ୍ୱର: କାଲୁଆ ପବନ ବା‌ଜିଲେ ଦେହ ଥରି ଉଠୁଛି। ଶୀତବସ୍ତ୍ର ନ ପିନ୍ଧିଲେ ପଦାକୁ ବାହାରି ହେଉନାହିଁ। ସନ୍ଧ୍ୟାଠାରୁ ସହରବାସୀ ଶୀତରେ ଥରୁଛନ୍ତି। ରାତି ଯେତେ ବଢ଼ୁଛି, ପାରଦ ସେତେ ତଳକୁ ଖସୁଛି। ଗତ ୩ ଦିନ ହେଲା ହାଡ଼ଭଙ୍ଗା ଶୀତ ଏମିତି ଭାବେ ରାଜଧାନୀବାସୀଙ୍କୁ ଥରାଉଛି। ରାଜଧାନୀ‌ରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରି କମ୍‌ ରହୁଥିବାରୁ ଲୋକଙ୍କ ସମସ୍ୟା ବଢ଼ି ଯାଇଛି। ବୟସ୍କ ଓ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial