ଖୋଲିଲା ଆଚାର୍ଯ୍ୟବିହାରରୁ ଡମଣା ଡାହାଣ ପାର୍ଶ୍ୱ ସମାନ୍ତରାଳ ରାସ୍ତା

ଚାଲିଛି ରେଳ ଷ୍ଟାଡିୟମ୍‌ ଛକର ସୌନ୍ଦର୍ଯ୍ୟୀକରଣ

ଚନ୍ଦ୍ରଶେଖରପୁର: ଜୟଦେବବିହାର ଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତା ଭିଡ଼ ଏଡ଼ାଇବାକୁ ନିର୍ମାଣଧୀନ ଡାହାଣ ପାର୍ଶ୍ୱ ସମାନ୍ତରାଳ ରାସ୍ତାରେ ଗାଡ଼ି ଗଡ଼ିଛି। ଆଚାର୍ଯ୍ୟବିହାର-ସୈନିକ ସ୍କୁଲ ଛକ-ପ୍ରେସ୍ ଛକ-ଏମ୍‌ସିଏଲ୍‌ ଛକ-ରେଳ ଷ୍ଟାଡିୟମ ଛକ-କେଳୁଚରଣ ପାର୍କ ଦେଇ ଡମଣା ଛକକୁ ସଂଯୋଗ କରୁଥିବା ଏହି ରାସ୍ତା ଅତିକ୍ରମ କରିବାକୁ ଏବେ ମାତ୍ର ୧୦ ମିନିଟ୍‌ ସମୟ ଲାଗୁଛି। ଚକାଚକ୍‌ ହୋଇଥିବା ଏହି ରାସ୍ତା ଆଲୋକୀକରଣ ହୋଇଛି। ରେଳ ଷ୍ଟାଡିୟମ ଛକରୁ-କେଳୁଚରଣ ପାର୍କ ମଧ୍ୟରେ ନିର୍ମାଣ ହୋଇଥିବା ରାସ୍ତାର ଉଭୟ ପାର୍ଶ୍ଵର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଜାରି ରହିଛି। ଉଦ୍‌ଘାଟନ ହୋଇ ନ ଥିଲେ ମଧ୍ୟ ଏହି ରାସ୍ତା‌ରେ ବାଇକ୍‌, ଚାରିଚକିଆ ଯାନ, ଟ୍ରକ୍‌ ଆଦି ଚଳାଚଳ କରିଛି। ସାଧାରଣ ନିର୍ବାଚନ ପୂର୍ବରୁ ଏହି ରାସ୍ତାକୁ ଖୋଲାଯାଇଥିବାରୁ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ୧୦ରୁ ଅଧିକ ଗ୍ରାମବାସୀଙ୍କ ସହ ଲକ୍ଷାଧିକ ଲୋକେ ଉପକୃତ ହେବେ। ଏହାଦ୍ୱାରା ଜୟଦେବ ବିହାର ଛକରୁ ଡମଣା ଛକ ମଧ୍ୟରେ ସୃଷ୍ଟି ହେଉଥିବା ଟ୍ରାଫିକ୍‌ ସମସ୍ୟା ଦୂର ହେବ।
୬.୨୫ କିଲୋମିଟର ଲମ୍ବର ବହୁ ପ୍ରତୀକ୍ଷିତ ଏହି ରାସ୍ତାର ଉଭୟ ପାର୍ଶ୍ଵ ଓ ମେଡିଆନ୍‌ରେ ଗଛ ଲଗାଯିବା ପାଇଁ ଯୋଜନା ରହିଛି। ବନ ବିଭାଗ ଏହି ଗଛ ଯୋଗାଇବ ଏବଂ ଚଳିତ ଋତୁରେ ବନୀକରଣ ହେବ। ସେଥିପାଇଁ ରେଳ ଷ୍ଟାଡିୟମ ଛକଠାରୁ କେଳୁଚରଣ ପାର୍କ ନିକଟ ପର୍ଯ୍ୟନ୍ତ ରାସ୍ତାର ମେଡିଆନ୍‌ରେ ସ୍ଥାନ ଛଡ଼ାଯାଇଛି। ମାଟି ପକାଯିବା ସହ ସେଠାରେ ଗଛ ଲଗାଇବା ଦିଗ‌ରେ ପଦକ୍ଷେପ ନିଆଯାଉଛି। ପ୍ରେସ୍ ଛକରୁ ଏମ୍‌ସିଏଲ୍‌ ଛକର ରାସ୍ତାପାର୍ଶ୍ଵରେ ବାଉଁଶ ବାଡ଼ ନିର୍ମାଣ କରାଯାଇ ତା’ଭିତରେ ଗଛ ଲଗାଇବାକୁ ନିଷ୍ପତ୍ତି ହୋଇଛି। ଷ୍ଟାଡିୟମ ଛକରେ ହାଇମାଷ୍ଟ ଲାଇଟ୍‌ ଲଗାଯାଇ ତା’ଚାରିପାଖରେ ସବୁଜ ଘାସ ଗାଲିଚା ବିଛାଯାଇଛି। ଛକର ୩ ପାର୍ଶ୍ଵ ଡିଭାଇଡ୍‌ର ସୌନ୍ଦର୍ଯ୍ୟୀକରଣ ଏବେ ହେଉଛି। ଏହି ରାସ୍ତା ନିର୍ମାଣ କରିବାକୁ ପ୍ରଥମ ପର୍ଯ୍ୟାୟରେ ଜମି ଅଧିଗ୍ରହଣ ସମେତ ରାସ୍ତା ପାଇଁ ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। କରୋନା ପୂର୍ବରୁ ଆରମ୍ଭ ହୋଇଥିବା ଏହି ରାସ୍ତା କାମ ୨୦୨୧ରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଜମି ଅଧିଗ୍ରହଣ, ବସ୍ତିବାସିନ୍ଦାଙ୍କ ଦ୍ୱାରା ଜମି ଜବରଦଖଲ ପ୍ରମୁଖ ସମସ୍ୟା ଭାବେ ଛିଡ଼ା ହୋଇଥିଲ। ରେଳ ଷ୍ଟାଡିୟମ ଛକରୁ କେଳୁଚରଣ ପାର୍କ ପର୍ଯ୍ୟନ୍ତ ଦେଢ଼ କିମି ରାସ୍ତା ନିର୍ମାଣ କରିବାକୁ ପ୍ରଶାସନକୁ ପ୍ରାୟ ‌ଅଢ଼େଇ ବର୍ଷ ସମୟ ଲାଗିଯାଇଛି। ବସ୍ତିବାସିନ୍ଦାକୁ ସ୍ଥାନାନ୍ତର, ଜବରଦଖଲ ହଟେଇବା, ଉଚ୍ଚକ୍ଷମତା‌ ସମ୍ପନ୍ନ ବିଦ୍ୟୁତ୍‌ ତାର ଓ ଖୁଣ୍ଟିକୁ ସୁରକ୍ଷିତ ରଖି ରାସ୍ତା ନିର୍ମାଣ ହୋଇଛି। ଗାଡ଼ି ଚଳାଚଳ ସ୍ବାଭାବିକ ହେବା ପରେ ଗାଡ଼କଣ, ଡମଣା, ପଟିଆ, ରଙ୍ଗମାଟିଆ, ମଞ୍ଚେଶ୍ୱର ରେଳୱେ କଲୋନି, ଆଦିମାତା କଲୋନି, ନ୍ୟୁ ଗଭର୍ଣ୍ଣମେଣ୍ଟ କଲୋନିର ହଜାର ହଜାର ‌ଲୋକେ ହିନସ୍ତାରୁ ମୁକୁଳିଛନ୍ତି।

Share Now:

Kalinga News Beuro

Next Post

କେବେ ଚାଲିବ ବୁଲେଟ୍ ଟ୍ରେନ୍ ? ଉତ୍ତରଦେଲେ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

Tue Mar 19 , 2024
ନୂଆଦିଲ୍ଲୀ: ଦେଶରେ ବୁଲେଟ ଟ୍ରେନ କେବେ ଚାଲିବ ତାହାକୁ ନେଇ ସାରା ଦେଶର ଲୋକେ ଅପେକ୍ଷା କରିଛନ୍ତି। ତେବେ ଶେଷ ହେବାକୁ ଯାଉଛି ଦେଶର ସବୁଠାରୁ ବଡ ପ୍ରତୀକ୍ଷାର ଅନ୍ତ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ କେବେ ଚାଲିବ ସେ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସିଏନଏନ ନ୍ୟୁଜ୍ ୧୮ର କାର୍ଯ୍ୟକ୍ରମ ‘ରାଇଜିଂ ଇଣ୍ଡିଆ’ରେ ଯୋଗଦେଇ ବୈଷ୍ଣବ କହିଛନ୍ତି ଯେ ୨୦୨୬ରେ ଦେଶରେ ବୁଲେଟ୍ ଟ୍ରେନ୍ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial