ବେଜିଂ : ତାଇୱାନ ପ୍ରସଙ୍ଗରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଆମେରିକା ଓ ଚୀନ। ତାଇୱାନକୁ ଅଧିକାର କରିବାକୁ ଚୀନ ଉଦ୍ୟମ କଲେ ଆମେରିକା ତାହାର ପ୍ରତିରୋଧ କରିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଇଥିବା ବୟାନର ତୀବ୍ର ବିରୋଧ କରିଛି ଚୀନ। ଚୀନକୁ ହେୟଜ୍ଞାନ କରିବାର ଭୁଲ କରାଯିବା ଉଚିତ ନୁହେଁ ବୋଲି ଚୀନ କହିଛି। ବାଇଡେନର ବୟାନର ଜବାବ ଦେଇ ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ୟାଙ୍ଗ ଇ କହିଛନ୍ତି ଯେ, ଚୀନ ନିଜର ସାର୍ବଭୌମତ୍ବ ଓ ଅଖଣ୍ଡତାକୁ ନେଇ କୌଣସି ସାଲିସ କରିବ ନାହିଁ। ଚୀନ ଲୋକଙ୍କ ପ୍ରତିବଦ୍ଧତାକୁ ନେଇ କୌଣସି ଦେଶ ହେୟଜ୍ଞାନ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ବାଇଡେନ କହିଥିଲେ ଯେ ଚୀନ ଯଦି ତାଇୱାନକୁ ଅଧିକାର କରିବାକୁ ଉଦ୍ୟମ କରେ ତେବେ ଆମେରିକାର ସେନା ତାଇୱାନ ସେନାକୁ ସହାୟତା କରିବ। ସୂଚନାଯୋଗ୍ୟ ଯେ, ୟୁକ୍ରେନ ଉପରେ ରୁଷର ଆକ୍ରମଣରେ ଅନୁପ୍ରାଣିତ ହୋଇ ଚୀନ ମଧ୍ୟ ତାଇୱାନ ଉପରେ ଆକ୍ରମଣ କରିପାରେ ବୋଲି କେତେକ ବିଶେଷଜ୍ଞ ମନେ କରୁଛନ୍ତି। ସାମ୍ରାଜ୍ୟବାଦୀ ଚୀନ କ୍ଷୁଦ୍ର ଦ୍ୱୀପ ଦେଶ ତାଇୱାନକୁ ନିଜର ଅଂଶ ବୋଲି ଦାବି କରୁଛି ଓ ଦିନେ ନା ଦିନେ ଏହାକୁ ଅଧିକାର କରିବାକୁ ସ୍ୱପ୍ନ ଦେଖୁଛି। ନିକଟରେ ଚୀନର ଯୁଦ୍ଧ ବିମାନ ତାଇୱାନ ବାୟୁସୀମା ଅତିକ୍ରମ କରିବା ପରେ ଏହି ଆଶଙ୍କା ବଢିଯାଇଛି।
‘ଆମକୁ ହେୟଜ୍ଞାନ କରନି’ ତାଇୱାନ ପ୍ରସଙ୍ଗରେ ଆମେରିକାକୁ ଚୀନର ଚେତାବନୀ

Share Now: