ଚୀନ୍ ଆଡ଼କୁ ମୁହାଁଇଲେ ଆମେରିକା ସେନା

ୟୁରୋପରୁ ସୈନ୍ୟ ପ୍ରତ୍ୟାହାର କରୁଛି ଆମେରିକା:ଚୀନ୍‌ର ମୁକାବିଲା ପାଇଁ ସେନା ମୁତୟନ କରିବ

ନୂଆଦିଲ୍ଲୀ : ପୂର୍ବ ଲଦାଖର ଗଲୱାନ ଘାଟିରେ ଗତ ୧୫ ତାରିଖରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷ ହେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ‌ଦୁଇ ଦେଶ ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲ୍‌ଏସି ନିକଟରେ ସେନା ମୁତୟନ ବଢ଼ାଇବାରେ ଲାଗିଛନ୍ତି। ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଏହି ସଂଘର୍ଷ ବିଶ୍ୱସମୁଦାୟ, ବିଶେଷକରି ଆମେରିକା ପାଇଁ ଚିନ୍ତାର କାରଣ ହେଲାଣି। ଚୀନର ‌ଘୋର ବିରୋଧୀ ଭାବେ ଜଣାଶୁଣା ଆମେରିକା ଭାରତ-ଚୀନ ସଂଘର୍ଷକୁ ଏକ ସୁଯୋଗ ଭାବେ ବିବେଚନା କରୁଛି। ଏଥିରେ ହସ୍ତକ୍ଷେପ କରି ଚୀନ୍‌କୁ ପାନେ ଦେବା ପାଇଁ ପ୍ରୟାସ କରୁଛି। ଚୀନ ଆଡ଼ୁ ଭାରତ ଏବଂ ଅନ୍ୟାନ୍ୟ ଦେଶଗୁଡ଼ିକ ପ୍ରତି ଥିବା ବିପଦର ମୁକାବିଲା ପାଇଁ ଆମେରିକା ଜର୍ମାନୀ ଓ ୟୁରୋପର ଅନ୍ୟ ଦେଶରେ ମୁତୟନ ଥିବା ଏହାର ସୈନ୍ୟକୁ ପ୍ରତ୍ୟାହାର କରିବା ଆରମ୍ଭ କରିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ଏହି ସୂଚନା ଦେଇ କହିଛନ୍ତି ଯେ ଭାରତ ଓ ଦକ୍ଷିଣ ଏସିଆ ପ୍ରତି ଚୀନ୍‌ ଆଡ଼ୁ ଏବେ ବିପଦ ରହିଛି। ତେଣୁ ଆମେରିକା ୟୁରୋପରୁ ସୈନ୍ୟସଂଖ୍ୟା କମାଉଛି। ଗମ୍ଭୀରତାର ସହ ଚିନ୍ତା କରିବା ପରେ ୟୁରୋପରେ ମୁତୟନ ଥିବା ସୈନ୍ୟଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ଓ ରଣନୀତି ଗ୍ରହଣ କରାଯାଇଛି। ଚୀନ କମ୍ୟୁନିଷ୍ଟ ପାର୍ଟିର କାର୍ଯ୍ୟ ଯୋଗୁଁ ଭାରତ ସମେତ ଭିଏତନାମ, ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ୍ସ ଏବଂ ଦକ୍ଷିଣ ଚୀନ ସାଗର ପ୍ରତି ବିପଦ ଦେଖାଦେଇଛି। ଚୀନ ସେନାର ମୁକାବିଲା ପାଇଁ ଆମର ସୈନ୍ୟମାନଙ୍କୁ ଉପଯୁକ୍ତଭାବେ ମୁତୟନ କରିବାକୁ ନିଷ୍ପତ୍ତି ନେଇଛୁ। ବର୍ତ୍ତମାନ ପାଇଁ ଏହା ଆମ ପାଇଁ ଏକ ଚାଲେଞ୍ଜ ହୋଇଥିବାରୁ ଆମେ ଆମ ସମ୍ବଳକୁ ଠିକ୍ ଭାବେ ବିନିଯୋଗ କରୁଛୁ ବୋଲି ପମ୍ପିଓ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଚୀନର ଆକ୍ରମଣାତ୍ମକ କାର୍ଯ୍ୟ ବିଷୟରେ ମଧ୍ୟ ପମ୍ପିଓ ଆଲୋକପାତ କରିଛନ୍ତି। ଗଲୱାନ ଘାଟିରେ ଭାରତ-ଚୀନ ସେନାଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ବିଷୟରେ ସେ ଉଲ୍ଲେଖ କରିଛନ୍ତି। ଏଥିସହିତ ଦକ୍ଷିଣ ଚୀନ ସାଗରରେ ଚୀନ୍ ଚଳାଇଥିବା ଦାଦାଗିରି ଏବଂ ଏହି ଦେଶର ବିସ୍ତାରବାଦୀ ଆର୍ଥିକ ନୀତି ସମ୍ପର୍କରେ ପମ୍ପିଓ ବଖାଣିଛନ୍ତି। ତେଣୁ ଚୀନ ସମ୍ପର୍କରେ ଉଭୟ ଆମେରିକା ଓ ୟୁରୋପୀୟ ସଂଘ ଆଲୋଚନା କରିବେ ବୋଲି ପମ୍ପିଓ ଘୋଷଣା କରିଛନ୍ତି। ଇତିମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଭାରତୀୟ ବାୟୁସେନା ଏବଂ ସ୍ଥଳ ସେନା ଯୁଦ୍ଧ ଅଭ୍ୟାସ କରିଛି। ଏହାର ଭିଡିଓ ମଧ୍ୟ ସେନା ଜାରି କରିଛି। ଏହି ଯୁଦ୍ଧାଭ୍ୟାସରେ ସୁଖୋଇ ଏବଂ ‌ହେଲିକପ୍‌ଟର ମଧ୍ୟ ସାମିଲ କରାଯାଇଛି। ଚୀନ୍‌ ସହିତ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ଏହା ଏକ ପ୍ରାକ୍‌ ପ୍ରସ୍ତୁତି ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଚୀନ୍‌ ମଧ୍ୟ ଏଲ୍‌ଏସିରେ ଯୁଦ୍ଧାଭ୍ୟାସ ଜାରି ରଖିଛି ଏବଂ ଏ ସଂକ୍ରାନ୍ତ ଭିଡିଓ ଜାରି କରିଛି। ଏହି ଅଞ୍ଚଳରେ ଚୀନର ୧୦ ହଜାର ସୈନ୍ୟ ଅଛନ୍ତି।

Share Now:

Kalinga News Beuro

Next Post

ଆଜି ପୁଣି ୧୭୦ଜଣ କରୋନା ପଜିଟିଭ୍ ଚିହ୍ନଟ:ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦କୁ ବୃଦ୍ଧି

Sat Jun 27 , 2020
ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୭୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୨୭ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୪୩ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୪ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏମାନଙ୍କ […]

ଆହୁରି ପଢ଼ନ୍ତୁ