କରୋନା ଆତଙ୍କ: ଦକ୍ଷିଣ କୋରିଆ ସ୍ଥିତି ସାଂଘାତିକ

ଆକ୍ରାନ୍ତଙ୍କ ସଂଖ୍ୟା ୩୧୦୦ ଟପିଲା, ଘରୁ ବାହାରକୁ ବାହାରିବାକୁ ମନା

ନୂଆଦିଲ୍ଲୀ : ଚୀନ୍‌ ପରେ ଏବେ ଦକ୍ଷିଣ କୋରିଆରେ କରୋନା ଭାଇରସ୍‌ ସାଂଘାତିକ ରୂପ ନେଇଛି। ଦକ୍ଷିଣ କୋରିଆର ସବୁ ଅଂଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାର ମୁକାବିଲା ପାଇଁ ସେନାକୁ ଦାଇତ୍ୱ ଅର୍ପଣ କରାଯାଇଛି। ଦେଶରେ ୩୧୫୦ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଭାଇରସ୍‌ ଯୋଗୁଁ ଦକ୍ଷିଣ କୋରିଆରେ ମୃତ୍ୟୁସଂଖ୍ୟା ୧୭ରେ ପହଞ୍ଚିଛି ଏବଂ ସମୁଦାୟ ୨୭ ଜଣ ସାମରିକ ସଦସ୍ୟ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଦେଶ ପାଇଁ ଏବେ ବଡ଼ ସଙ୍କଟର ସମୟ ବୋଲି ଦକ୍ଷିଣ କୋରିଆ କହିଛି। ଭାଇରସ୍‌ ଅତ୍ୟନ୍ତ କ୍ଷୀପ୍ର ଗତିରେ ବ୍ୟାପୁଥିବାରୁ ଦକ୍ଷିଣ କୋରିଆ ଏହାର ନାଗରିକମାନଙ୍କୁ ଘରୁ ବାହାରିବାପାଇଁ ମନା କରିଛି। ଦକ୍ଷିଣ କୋରିଆ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଦେଶ ଏବେ ବହୁତ ବଡ଼ ବିପଦର ମୁକାବିଲା କରୁଛି। ଜନସାଧାରଣ ଘରୁ ବାହାରିଲେ ବିପଦ ଆହୁରି ଭୟାନକ ହେବ ବୋଲି ସେ ଚେତାଇ ଦେଇଛନ୍ତି। ଲୋକମାନେ ଯଥାସମ୍ଭବ କମ୍‌ ମିଳାମିଶା କରିବା ପାଇଁ ସେ କହିଛନ୍ତି। ମିଳିଥିବା‌ ସୂନଚା ଅନୁଯାୟୀ ଦକ୍ଷିଣ କୋରିଆରେ ଏବେ ୨ ଲକ୍ଷରୁ ଅଧିକ ଲୋକଙ୍କ ଶରୀରରେ ଭାଇରସ୍‌ ପରୀକ୍ଷା କରାଯାଇଛି। ସେ‌ପଟେ ଇରାନ୍‌ରେ କରୋନା ଯୋଗୁଁ ପୁଣି ୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ମୃତ୍ୟୁସଂଖ୍ୟା ୪୩କୁ ବୃଦ୍ଧି ପାଇଛି। ଇରାନ୍‌ରେ ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୯୩ରେ ପହଞ୍ଚିଛି। ଚୀନ୍‌ ବାହାରେ ଇରାନ୍‌ରେ କରୋନା ଯୋଗୁଁ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାରୁ ସରକାର ସମସ୍ତ ସ୍କୁଲ୍‌ ବନ୍ଦ କରିଛନ୍ତି। ଇରାନ୍‌ର ଜଣେ ସାଂସଦ ଆଜି କରୋନାରେ ପ୍ରାଣ ହରାଇଛନ୍ତି। ଭାଇରସ୍‌ ଯୋଗୁଁ ଆଜି ସୁଦ୍ଧା ୨୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୮୫,୦୦୦ରୁ ଅଧିକ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ଡବ୍ଲ୍ୟୁଏଚ୍ଓ ପକ୍ଷରୁ କୁହାଯାଇଛି ଯେ ସମଗ୍ର ବିଶ୍ୱ ପାଇଁ ବଡ଼ ଧରଣର ବିପଦ ମାଡ଼ି ଆସୁଛି ଏବଂ ଭାଇରସ୍‌ ଏବେ ଯେକୌଣସି ବି ମୋଡ଼ ନେଇପାରେ। ସାଉଦି ଆରବ ଏବେ ମକ୍କା ଏବଂ ମଦିନାକୁ ଉପସାଗରୀୟ ରାଷ୍ଟ୍ରର ‌ନାଗରିକମାନଙ୍କ ପ୍ରବେଶ ପାଇଁ ଅନୁମତି ଦେଇନି।

Share Now:

Kalinga News Beuro

Leave a Reply

Next Post

ରାଜଧାନୀରେ ୩୪ ‘ଅଧିବର୍ଷ ଶିଶୁ’, ପ୍ରତି ୪ବର୍ଷରେ ଥରେ ପାଳିବେ ଜନ୍ମଦିନ

Sun Mar 1 , 2020
ଭୁବନେଶ୍ୱର : ଗତକାଲି ଥିଲା ଫେବ୍ରୁଆରି ୨୯ତାରିଖ ଅର୍ଥାତ୍ ଅଧିବର୍ଷ। ପ୍ରତି ୪ବର୍ଷରେ ଥରେ ଫେବ୍ରୁଆରି ୨୮ ତାରିଖ ବଦଳରେ ୨୯ ତାରିଖ ପଡ଼ିଥାଏ। ଏ ଦୃଷ୍ଟିରୁ ଏହାକୁ ଅଧିବର୍ଷ ବା ଲିପ୍ ଇୟର୍‌ କୁହାଯାଇଥାଏ। ତେବେ ଗତକାଲି ଯେଉଁ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି, ତାଙ୍କ ପାଇଁ ଏହି ଦିନଟି ସ୍ୱତନ୍ତ୍ର। ସେମାନଙ୍କୁ ‘ଲିପ୍ ଇୟର୍‌ ବେବି’ ବା ‘ଅଧିବର୍ଷ ଶିଶୁ’ ବୋଲି ସମ୍ବୋଧନ କରାଯାଇଥାଏ। ଯେଉଁମାନେ ଓଡ଼ିଆ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial