ନୂଆଦିଲ୍ଲୀ : ଆଉ ବଜାରରେ ମିଳିବନି ଲୋକପ୍ରିୟତା ଅର୍ଜନ କରିଥିବା ସାମସଙ୍ଗ ଶସ୍ତା ଫିଚର ଫୋନ। ଏସବୁ ଶସ୍ତା ଫୋନର ଉତ୍ପାଦନ ବନ୍ଦ କରିବାକୁ କମ୍ପାନି ନିଷ୍ପତ୍ତି ନେଇଛି। ଏସବୁ ଫୋନ ବଦଳରେ କମ୍ପାନି କେବଳ ୧୫ ହଜାରଟଙ୍କାରୁ ଅଧିକ ମୂଲ୍ୟର ସ୍ମାର୍ଟଫୋନ ଉତ୍ପାଦନ ଉପରେ ଫୋକସ କରିବାକୁ ନିଷ୍ପତ୍ତି ନେଇଛି। ମିଳିଥିବା ସୂଚନା ଅନୁସାରେ ସାମସଙ୍ଗର ଠିକା ଉତ୍ପାଦନକାରୀ ଡିକ୍ସନ ପକ୍ଷରୁ ଆସନ୍ତା ଡିସେମ୍ବର ମାସରେ ସାମସଙ୍ଗ ଫିଚର ଫୋନର ଶେଷ ବ୍ୟାଚ ଉତ୍ପାଦନ ହେବ ଓ ବଜାରରେ ଷ୍ଟକ ଥିବା ପର୍ଯ୍ୟନ୍ତ ଏଗୁଡ଼ିକ ଉପଲବ୍ଧ ହେବ। କିଛି ବର୍ଷ ପୂର୍ବେ ଭାରତୀୟ ସ୍ମାର୍ଟଫୋନ ବଜାରରେ ସାମସଙ୍ଗ ନଂ୧ ଥିବାବେଳେ ଏବେ ସ୍ଥିତି ବଦଳି ଯାଇଛି। ଏବେ ବଜାରରେ ଚୀନ କମ୍ପାନିମାନଙ୍କ ଆଧିପତ୍ୟ ରହିଛି। ଏଣୁ ନିଜର ପୂର୍ବ ବଜାର ଫେରିପାଇବାକୁ ସାମସଙ୍ଗ କେବଳ ସ୍ମାର୍ଟଫୋନ ଉପରେ ଫୋକସ୍ କରିବାକୁ ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପିଏଲଆଇ ସ୍କିମ୍ (ପ୍ରଡକ୍ସନ ଲିଙ୍କଡ୍ ଇନିସିଏଟିଭ)ରେ ସାମସଙ୍ଗ ଅନ୍ତର୍ଭୁକ୍ତ ରହିଛି। ଏହି ସ୍କିମ ଅନୁସାରେ ୧୫ ହଜାର ଟଙ୍କାରୁ ଅଧିକ ମୂଲ୍ୟର ସ୍ମାର୍ଟଫୋନ ଉତ୍ପାଦନ ପାଇଁ ସରକାରୀ ଟିକସ ରିହାତି ଓ ଅନ୍ୟ ସୁବିଧା ମିଳିପାରିବ। ଏହାକୁ ଦୃଷ୍ଟିରେ ରଖି ସାମସଙ୍ଗ ଉପରୋକ୍ତ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏହି ନିଷ୍ପତ୍ତି ସମ୍ପର୍କରେ ସାମସଙ୍ଗ ନିଜର ଚ୍ୟାନେଲ ପାର୍ଟନରମାନଙ୍କୁ ମଧ୍ୟ ଜଣାଇଦେଇଛି।
ଆଉ ବଜାରକୁ ଆସିବନି ସାମସଙ୍ଗ୍ ଫିଚର ଫୋନ୍

Share Now: