ସମ୍ବେଦନହୀନ ବିଏମ୍‌ସି : ସଫେଇ କର୍ମଚାରୀଙ୍କ ପେଟରେ ଲାତ

ସଫେଇ କର୍ମଚାରୀଙ୍କ ପେଟରେ ଲାତ

ସର୍ବନିମ୍ନ ମଜୁରି ମିଳିବା ନେଇ ବି ସନ୍ଦେହ

ଭୁବନେଶ୍ବର: ସହରର ପରିମଳ ବ୍ୟବସ୍ଥାରେ ମୁଖ୍ୟ ଅଙ୍ଗ ହେଲେ ସଫେଇ କର୍ମଚାରୀ। କିନ୍ତୁ ସେହି କର୍ମଚାରୀଙ୍କ ସ୍ବାର୍ଥକୁ ବଳି ଦେବା ପାଇଁ ଖୋଦ୍ ବିଏମ୍‌ସି ହିଁ ବାଟ ଖୋଲିଛି। ୬୭ ୱାର୍ଡରେ ୧୦ଟି ପ୍ୟାକେଜ ଜରିଆରେ ସଫେଇ କରିବା ପାଇଁ ହୋଇଥିବା ନୂଆ ଟେଣ୍ଡର୍‌ରେ ଏହି କର୍ମଚାରୀଙ୍କ ସର୍ବନିମ୍ନ ମଜୁରି ସହ ଇପିଏଫ୍‌, ଇଏସ୍‌ଆଇକୁ ଗୁରୁତ୍ୱର ସହ ନେଇନାହିଁ ବିଏମ୍‌ସି। ଠିକା ସଂସ୍ଥାଙ୍କ ଦୟାରେ ଛାଡ଼ି ଦେଇ ସେମାନଙ୍କ ହାତକୁ କାମ ଟେକିଦେଇଛି। କାର୍ଯ୍ୟାଦେଶ ପାଇବା ପରେ ଆସନ୍ତା ୧୬ତାରିଖରୁ ନୂଆ ସଂସ୍ଥାମାନେ କାମ ଆରମ୍ଭ କରିବାକୁ ଯାଉଛନ୍ତି। ‌ପରିମଳ ଦାୟିତ୍ବରେ ଥିବା ଅଧିକାରୀଙ୍କ ଅତ୍ୟନ୍ତ ବେପରୱା ଆଭିମୁଖ୍ୟ ଯୋଗୁ ଭବିଷ୍ୟତରେ ବିଏମ୍‌ସି ଅଡ଼ୁଆରେ ପଡ଼ିବା ସହ ସହରର ପରିମଳ ବ୍ୟବସ୍ଥା ଭୁଶୁଡ଼ିବାର ଆଶଙ୍କା ଦେଖାଦେଇଛି। କାମ ଆରମ୍ଭ ହେବା ଆଗରୁ ସଫେଇ କର୍ମଚାରୀମାନେ ବିଏମ୍‌ସିର ଏହି ସାଂଘାତିକ ଷଡ଼ଯନ୍ତ୍ରକୁ ଜାଣି ପାରି ଶ୍ରମ କମିସନର୍‌ଙ୍କ ଦ୍ବାରସ୍ଥ ହୋଇଛନ୍ତି। ଫଳରେ ନୂଆ ସଫେଇ ବ୍ୟବସ୍ଥା ବିବାଦ ଘେରକୁ ଆସିଯାଇଛି। ଭୁବନେଶ୍ୱର ମ୍ୟୁନିସିପାଲିଟି ସଫେଇ ମଜଦୁର ସଂଘର କର୍ମକର୍ତ୍ତା ଶ୍ରମ କମିସନର୍‌ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି। ଏଥିରେ ସଂଘ ଏହି ଟେଣ୍ଡର ବାତିଲ କରିବାକୁ ଦାବି କରିବା ସହ ଦାୟିତ୍ବରେ ଅବହେଳା ନିମନ୍ତେ ମୁଖ୍ୟ ଯନ୍ତ୍ରୀ (ପରିମଳ)ଙ୍କୁ ତୁରନ୍ତ ହଟାଇବାକୁ ଅନୁରୋଧ କରିଛି। ସଂଘର ସାଧାରଣ ସମ୍ପାଦକ ସହଦେବ ନାୟକଙ୍କ ଅଭିଯୋଗ ମୁତାବକ ୧୫ ବର୍ଷରୁ ଅଧିକ ସମୟ ଧରି ବିଏମ୍‌ସି ଅଧୀନରେ ବିଭିନ୍ନ ଠିକା ସଂସ୍ଥାଙ୍କ ଜରିଆରେ ସଫେଇ କାମ କରାଯାଉଛି। ପୂର୍ବରୁ ଇପିଏଫ୍‌, ଇଏସ୍‌ଆଇ ଓ ମଜୁରି ବାବଦକୁ ଠିକା ସଂସ୍ଥାମାନେ ଚୁକ୍ତିନାମାରେ ଉଲ୍ଲେଖ କରିଥା’ନ୍ତି। ତାହା ସତ୍ତ୍ବେ ମଝିରେ ମଝିରେ ହଇରାଣ କରନ୍ତି। କିନ୍ତୁ ଗତ ଏପ୍ରିଲ ମାସରେ ୧୦ଟି ପ୍ୟାକେଜ୍‌ରେ ବିଏମ୍‌ସି ଯେଉଁ ଟେଣ୍ଡର କରିଛି, ସେଥିରେ ପରିମଳ ମୁଖ୍ୟ ଯନ୍ତ୍ରୀ ସମ୍ପୂର୍ଣ ଭାବରେ ଏହାକୁ କାଟି ଦେଇଛନ୍ତି। ଏ ବିଷୟରେ ସଂଘ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଜଣାଇଥିଲେ। ମନ୍ତ୍ରୀ ଏ ବିଷୟରେ ବିଏମ୍‌ସିକୁ ରିପୋର୍ଟ ତଲବ କରିଥିଲେ। ମୁଖ୍ୟ ଯନ୍ତ୍ରୀ (ପରିମଳ) ଏହାକୁ ଅତ୍ୟନ୍ତ ହାଲ୍‌କା ଭାବେ ନେଇ ଯେଉଁ ଉତ୍ତର ଦେଇଛନ୍ତି, ତାହା ଆମକୁ ଦୁଃଖ ଦେଇଛି। ଦାବି ପୁରଣ ନହେଲେ ଆଗକୁ ଯାହା ହେବ ସେଥିପାଇଁ ସମ୍ପୃକ୍ତ ଅଧିକାରୀ ଦାୟୀ ରହିବେ ବୋଲି ସଂଘ ଚେତାବନୀ ଦେଇଛି।
ସୂଚନା ମୁତାବକ, ଡ୍ରେନ୍‌ ସଫା‌ କାର୍ଯ୍ୟରେ ନିୟୋଜିତ ହେଉଥିବା ସଫେଇ କର୍ମଚାରୀଙ୍କୁ ଶ୍ରମ ବିଭାଗର ବିଜ୍ଞପ୍ତି ଅନୁଯାୟୀ ‘କୁଶଳୀ ଶ୍ରମିକ’ ଶ୍ରେଣୀରେ ସାମିଲ କରାଯାଇଛି। ଏଥିପାଇଁ ସେମାନଙ୍କର ଦୈନିକ ମଜୁରି ୪୦୫ ଟଙ୍କା ଧାର୍ଯ୍ୟ ହୋଇଛି। କିନ୍ତୁ ଯେଉଁ ଠିକା ସଂସ୍ଥାମାନେ ଏହି ପ୍ୟାକେଜ୍‌ ପାଇଁ ଆବେଦନ କରି ଯୋଗ୍ୟ ବିବେଚିତ ହୋଇଛନ୍ତି, ସେମାନେ ଏହି କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରି ୩୧୫ ଟଙ୍କା ଦେବେ ବୋଲି ଦର୍ଶାଇଛନ୍ତି। ଟେଣ୍ଡର୍‌ ପ୍ରକ୍ରିୟା ଚୂଡ଼ାନ୍ତ ହେବା ପୂର୍ବରୁ ଏହି ଫାଇଲ୍‌ ନଗର ଉନ୍ନୟନ ମନ୍ତ୍ରୀଙ୍କ ପାଖକୁ ଯାଇଥିଲା। ଏଥିରେ ଇପିଏଫ୍‌, ଇଏସ୍‌ଆଇ ବାବଦରେ ସ୍ପଷ୍ଟ ହୋଇ ନଥିବା ଓ ସର୍ବନିମ୍ନ ମଜୁରି କମ୍‌ ଥିବାରୁ ଖୋଦ୍‌ ମନ୍ତ୍ରୀ ପ୍ରଶ୍ନ ଉଠାଇଥିଲେ। ହେଲେ ବିଏମ୍‌ସି କିଛି ଶୁଣିଲାନି। ମନ୍ତ୍ରୀଙ୍କୁ ବିଏମ୍‌ସିର ମୁଖ୍ୟ ଯନ୍ତ୍ରୀ(ପରିମଳ) ଏକ ଉଦ୍ଭଟ ଉତ୍ତର ଲେଖି ଟେଣ୍ଡର ଠିକା ସଂସ୍ଥାଙ୍କ ନାମରେ କରିଦେଲେ। ବିଏମ୍‌ସିର ଯୁକ୍ତି ହେଉଛି, କର୍ମଚାରୀମାନେ ଦୁଇଥର ସଫା କରିବାକୁ ନିର୍ଦ୍ଦେଶ ରହିଛି। ଏହି ଦୁଇ ଥରକୁ ହିସାବ କୁ ନେଲେ ସେମାନେ ସର୍ବାଧିକ ୪ଘଣ୍ଟା କାମ କରୁଛନ୍ତି। ଏଣୁ ୩୧୫ ଟଙ୍କା ମଜୁରି ଯଥେଷ୍ଟ। ଏହି ୩୧୫ରେ ଇପିଏଫ୍‌ ଓ ଇଏଓ୍‌ଆଇ ବି ସାମିଲ ହୋଇଛି। ଏଥିପାଇଁ ଅତିରିକ୍ତ ଅର୍ଥ ଦିଆଯିବନି। ଯେଉଁମାନେ ନଳା ସଫା କରିବେ ତାଙ୍କୁ କୁଶଳୀ ଶ୍ରମିକ କୁହାଯିବା ସହ ଅଧିକ ମଜୁରି ଯୋଜନା ଅଛି। କିନ୍ତୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ମାନୁଆଲ ପାରା ୨ ଅନୁଯାୟୀ ଯେଉଁ କର୍ମଚାରୀ ରାସ୍ତା ସଫା କରିବେ ସେମାନେ ୧୮ ଇଞ୍ଚ ଗଭୀରର ନଳା ସଫା କରିବାକୁ ବାଧ୍ୟ। ଏଣୁ ନଳା ସଫା କରିବାକୁ କର୍ମଚାରୀଙ୍କୁ କୁଶଳୀ ଦେଖାଇ ଅଧିକ ମଜୁରି ଦେବାର ଆବଶ୍ୟକତା ନାହିଁ। ୩୧୫ ଟଙ୍କା ରେ ରାସ୍ତା ସଫା ଓ ନଳା ସଫା ଉଭୟ କାମ ହେବ। ଏହି ୩୧୫ଟଙ୍କାରେ ଇଏସ୍‌ଆଇ ଓ ଇପିଏଫ୍‌ ସାମିଲ ହେବ। ମନ୍ତ୍ରୀଙ୍କୁ ଏଭଳି ଉତ୍ତର ଲେଖି ମୁଖ୍ୟଯନ୍ତ୍ରୀ ସଫେଇ କର୍ମଚାରୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି। ଇପିଏଫ୍‌ ଓ ଇଏସ୍‌ଆଇ ଆଇନତଃ ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ଅଧିକାରୀ ବିଚିତ୍ର କାରଣ ଦେଖାଇ ଏଡ଼ାଇ ଯାଇଛନ୍ତି। ଯେଉଁ ସଫେଇ କର୍ମଚାରୀମା‌ନେ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରି ସହରକୁ ସଫାସୁତୁରା ରଖୁଛନ୍ତି, ସେମାନଙ୍କ ପେଟରେ ଲାତ ମାରିବାକୁ ବିଏମ୍‌ସିର ଏହି ଷଡ଼‌ଯନ୍ତ୍ର କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ସହରର ସଫେଇ ପାଇଁ ଟେଣ୍ଡର ହୋଇଥିବା‌ ୧୦ଟି ପ୍ୟାକେଜ୍‌ ମଧ୍ୟରୁ ତିନିଟି ପ୍ୟାକେଜ୍‌ (ପ୍ୟାକେଜ ନଂ ୩, ୫, ୮)ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ୩ଟି ପ୍ୟାକେଜ୍‌(ପ୍ୟାକେଜ ନଂ ୧, ୨, ୪)ରେ ଟେଣ୍ଡର ଅଟକଳ ଠାରୁ ଅଧିକା ଟଙ୍କାର ବିଡିଂ ହୋଇଥିବାରୁ ତାହା ବିଚାରାଧୀନ ଅଛି। ଏହି ୬ପ୍ୟାକେଜକୁ ଛାଡିଦେଲେ ବାକି ୪ପ୍ୟାକେଜ ବା ୨୭ୱାର୍ଡରେ ନୂଆ ସଂସ୍ଥା ୧୬ରୁ କାମ ଆରମ୍ଭ କରିବେ।

Share Now:

Kalinga News Beuro

Next Post

ରବି ଟକିଜ୍‌-ଟଙ୍କପାଣି ରାସ୍ତା ନବୀକରଣ : ବର୍ଷା ବାହାନାରେ ଭଣ୍ଡାଉଛନ୍ତି ଅଧିକାରୀ

Tue Aug 9 , 2022
ଭୁବନେଶ୍ବର: ରବି ଟକିଜ୍‌-ଟଙ୍କପାଣି ରାସ୍ତାର ନବୀକରଣ ଘୁଞ୍ଚି ଘୁଞ୍ଚି ଯାଉଛି। ଶିଳାନ୍ୟାସ କରି ୧୫ ଦିନରେ କାମ ଆରମ୍ଭ ହେବ ବୋଲି କଣ୍ଟ ଦେଇ ବିଭାଗୀୟ କର୍ତ୍ତୃପକ୍ଷ ଏବେ ବର୍ଷା ଦିନର ବାହାନା ଦେଖାଇ କାମ ଘୁଞ୍ଚାଇ ଚାଲିଛନ୍ତି। ଫଳରେ ଶିଳାନ୍ୟାସ ପରେ ସ୍ଥାନୀୟ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଖୁସି ଏବେ ମିଳେଇବାରେ ଲାଗିଛି। ରାଜଧାନୀର ଅନ୍ୟତମ ପ୍ରମୁଖ ଏହି ରାସ୍ତାର ଦୂରବସ୍ଥା ନେଇ ବହୁ ଦିନ ଧରି […]
ରବି ଟକିଜ୍‌-ଟଙ୍କପାଣି ରାସ୍ତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial