ରବି ଟକିଜ୍‌-ଟଙ୍କପାଣି ରାସ୍ତା ନବୀକରଣ : ବର୍ଷା ବାହାନାରେ ଭଣ୍ଡାଉଛନ୍ତି ଅଧିକାରୀ

ରବି ଟକିଜ୍‌-ଟଙ୍କପାଣି ରାସ୍ତା

ଭୁବନେଶ୍ବର: ରବି ଟକିଜ୍‌-ଟଙ୍କପାଣି ରାସ୍ତାର ନବୀକରଣ ଘୁଞ୍ଚି ଘୁଞ୍ଚି ଯାଉଛି। ଶିଳାନ୍ୟାସ କରି ୧୫ ଦିନରେ କାମ ଆରମ୍ଭ ହେବ ବୋଲି କଣ୍ଟ ଦେଇ ବିଭାଗୀୟ କର୍ତ୍ତୃପକ୍ଷ ଏବେ ବର୍ଷା ଦିନର ବାହାନା ଦେଖାଇ କାମ ଘୁଞ୍ଚାଇ ଚାଲିଛନ୍ତି। ଫଳରେ ଶିଳାନ୍ୟାସ ପରେ ସ୍ଥାନୀୟ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଖୁସି ଏବେ ମିଳେଇବାରେ ଲାଗିଛି। ରାଜଧାନୀର ଅନ୍ୟତମ ପ୍ରମୁଖ ଏହି ରାସ୍ତାର ଦୂରବସ୍ଥା ନେଇ ବହୁ ଦିନ ଧରି ଲୋକଙ୍କ ଭିତରେ ଘୋର ଅସନ୍ତୋଷ ପ୍ରକାଶ ପାଇଆସୁଥିଲା। ତେଣୁ ଜୁଲାଇ ୨୧ ତାରିଖରେ ସ୍ଥାନୀୟ ବିଧାୟକ ତଥା ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଆଶୋକଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ ଓ କର୍ପୋରେଟରମାନେ ଉପସ୍ଥିତ ରହି ଏହି ରାସ୍ତାର ନବୀକରଣ ପାଇଁ ଶିଳାନ୍ୟାସ କରିଥିଲେ। ଦୁଇ କିଲୋମିଟର ରାସ୍ତା ପାଇଁ ୨.୬୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଖୁବ୍‌ ଶୀଘ୍ର ଅର୍ଥାତ୍ ୧୫ ଦିନରେ କାମ ଆରମ୍ଭ ହେବ ବୋଲି କୁହାଗଲା। ହେଲେ ଏହା ଭିତରେ ୧୫ ଦିନ ବିତି ସାରିଥିଲେ ବି ପରେ କାମ ଆରମ୍ଭ ହେବାର ନାଁ ନାହିଁ। ଏମିତିକି କେବେ କାମ ଆରମ୍ଭ ହେବ, ସେନେଇ ପୂର୍ତ୍ତବିଭାଗ ଅଧିକାରୀଙ୍କ ପାଖରେ ଉତ୍ତର ନାହିଁ।
ସୂଚନାଯୋଗ୍ୟ ଯେ ଟଙ୍କପାଣି ରାସ୍ତାର ଦୁରବସ୍ଥା ଲୋକଙ୍କୁ କନ୍ଦେଇ କନ୍ଦେଇ ମାରିଲାଣି। ମାତ୍ର ଦୁଇ କିଲୋମିଟର ରାସ୍ତାରେ ଦୁଇ ହଜାରରୁ ଅଧିକ ଛୋଟ ବଡ଼ ଖାଲ। ତେଣୁ ରାସ୍ତା ତ ନୁହେଁ, ଏହା ଏକ ମରଣଯନ୍ତା ବୋଲି କୁହାଯାଉଛି। ୨୦୧୧ ମସିହା ଫେବୃଆରିରେ ଏହି ରାସ୍ତାକୁ ସଂପ୍ରସାରଣ କରାଯାଇ ଚାରିଥାକିଆ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କିନ୍ତୁ କାମ ସରିବାରେ ଅହେତୁକ ବିଳମ୍ବ ହୋଇଥିଲା। ପୁଣି କାମ ଏତେ ନିମ୍ନମାନର ହୋଇଥିଲା ଯେ ବର୍ଷକ ଭିତରେ ରାସ୍ତା ଅବସ୍ଥା ଖରାପ ହୋଇଯାଇଥିଲା। ମଝିରେ ମଝିରେ ପୂର୍ତ୍ତବିଭାଗ ମରାମତି ଆଳରେ ଠିକାଦାର ପୋଷି ଆସୁଛି। ୨୦୧୮ ମସିହାଠାରୁ ରାସ୍ତା ଅବସ୍ଥା ସଙ୍ଗିନ୍‌ ହେଲାଣି। କିନ୍ତୁ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ପୂର୍ତ୍ତବିଭାଗ ଟିପିସିଓଡିଏଲ୍‌, ବିଏସ୍‌ସିଏଲ୍‌, ସ୍ବେରେଜ୍‌ ବୋର୍ଡ ଓ ୱାଟ୍‌କୋ ପକ୍ଷରୁ ଏହି ରାସ୍ତାକୁ ମନଇଚ୍ଛା ଖୋଳି ଦିଆଯାଇଥିବାରୁ ରାସ୍ତା ଖରାପ ହୋଇଛି ଏବଂ ନୂତନ ରାସ୍ତା କାମ ହୋଇପାରୁନାହିଁ କହି ଖସି ଯିବାକୁ ବସିଛି। ଏ‌ ନେଇ ଆଜି ଏସ୍‌ଡିଓ ପ୍ରଦୀପ କୁମାରଙ୍କୁ ପଚାରିବାରୁ ବର୍ଷା ପାଇଁ କାମ ହୋଇପାରୁନାହିଁ ବୋଲି ସେ କହିଛନ୍ତି। ତେବେ ତୁରନ୍ତ ଏହି ରାସ୍ତା କାମ ନକରି କେବଳ କଣ୍ଟ ଦେଇ ଭଣ୍ଡେଇ ଚାଲିଲେ, ରାଜଧାନୀ ଉପକଣ୍ଠ ରଙ୍ଗବଜାର, ବାସୁଆଘାଇ, ବାଙ୍କୁଆଳ, ବାଲିଅନ୍ତା, ବାଳକାଟି ଆଦି ଅଞ୍ଚଳର ଲୋକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Share Now:

Kalinga News Beuro

Next Post

ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତୀଶ-ତେଜସ୍ବୀ

Wed Aug 10 , 2022
ପାଟନା: ମଙ୍ଗଳବାର ବିଜେପି ସହ ମେଣ୍ଟ ଭାଙ୍ଗି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଜେଡି(ୟୁ) ନେତା ନୀତୀଶ କୁମାର। ବିଜେପି ହାତ ଛାଡ଼ି ଏବେ ପୁରୁଣା ସାଥୀ ଆରଜେଡି ହାତ ଧରିଛନ୍ତି ନୀତୀଶ। ଆରଜେଡି ସହ ମେଣ୍ଟ କରି ବୁଧବାର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତୀଶ। ଏହା ସହିତ ଆରଜେଡି ନେତା ଏବଂ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ଦ୍ୱିତୀୟ ଥର ଉପମୁଖ୍ୟମନ୍ତ୍ରୀ ଭାବେ […]
ନୀତୀଶ କୁମାର ଏବଂ ତେଜସ୍ବୀ ଯାଦବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial