ନୂଆ ବ୍ୟବସ୍ଥାରେ ସିଧାସଳଖ ନିର୍ବାଚିତ ହେବେ ମେୟର, ପୌରାଧ୍ୟକ୍ଷ

ନୂଆ ବ୍ୟବସ୍ଥାରେ ସିଧାସଳଖ ନିର୍ବାଚିତ ହେବେ ମେୟର

ଭୁବନେଶ୍ବର : ମହାନଗର ନିଗମ ମେୟର ଓ ପୌରପାଳିକା/ଏନ୍‌ଏସି ଅଧ୍ୟକ୍ଷ ଆଉ ପରୋକ୍ଷ ଭାବେ ନିର୍ବାଚିତ ହେବେନି। ସେମାନଙ୍କୁ ଭୋଟର୍‌ମାନେ ସିଧାସଳଖ ନିର୍ବାଚିତ କରିବେ। ୨୦୧୮ ମସିହା ସେପ୍ଟେମ୍ବର ମାସରେ ଏ ସଂକ୍ରାନ୍ତରେ ସଂଶୋଧିତ ଆଇନ ବିଧାନସଭାରେ ଗୃହୀତ ହୋଇଥିଲା। ପାଖାପାଖି ୩ ବର୍ଷ ପ‌ରେ ଏହି ସଂଶୋଧିତ ଆଇନ ଆଧାରରେ ପ୍ରସ୍ତୁତ ଚିଠା ନିୟମ ଗତକାଲି ଓଡ଼ିଶା ଗେଜେଟ୍‌ରେ ପ୍ରକାଶ କରି ‌ସାଧାରଣ ଲୋକଙ୍କ ମତାମତ ମାଗିଛନ୍ତି ସରକାର। ୩୦ ଦିନ ଭିତରେ ‌ନାଗରିକମାନେ ସେମାନଙ୍କ ଆପତ୍ତି ଅଭିଯୋଗ ଓ ପ୍ରସ୍ତାବ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ନିକଟକୁ ପଠାଇପାରିବେ। ନୂଆ ବ୍ୟବସ୍ଥା ଅନୁଯାୟୀ ପୌର ନିର୍ବାଚନ ସମୟରେ କାଉନ୍‌ସିଲର୍‌/କର୍ପୋରେଟର୍‌ ଓ ମେୟର/ଅଧ୍ୟକ୍ଷ ପଦବି ପାଇଁ ଦୁଇଟି ସ୍ୱତନ୍ତ୍ର ଭିନ୍ନ ରଙ୍ଗର ବାଲାଟ୍ ପେପର ରହିବ। ମହାନଗର ନିଗମ/ପୌରପାଳିକା/ଏନ୍‌ଏସିର ଜନସଂଖ୍ୟା ଆଧାରରେ ମେୟର/ ଅଧ୍ୟକ୍ଷ ପଦବି କେଉଁ ବର୍ଗର ହେବେ ତାହା ସ୍ଥିର ହେବ। ମତଦାନ କେନ୍ଦ୍ରରେ କାଉନ୍‌ସିଲର୍‌/କର୍ପୋରେଟର୍‌ ପାଇଁ ଗୋଟିଏ ଏବଂ ମେୟର/ଅଧ୍ୟକ୍ଷ ପାଇଁ ‌ଆଉ ଗୋଟିଏ ଭୋଟ୍‌ବାକ୍ସ ରହିବ। ସୂଚନାଯୋଗ୍ୟ ଯେ ପୂର୍ବରୁ ପୌରପାଳିକା/ଏନ୍‌ଏସିରେ କାଉନ୍‌ସିଲର୍‌ମାନେ ନିଜ ଭିତରୁ ଜଣଙ୍କ ଅଧ୍ୟକ୍ଷ ନିର୍ବାଚନ କରୁଥିଲେ। ସେହିପରି ମହାନଗର ନିଗମରେ କର୍ପୋରେଟର୍‌ମାନେ ନିଜ ଭିତରୁ ମେୟର ନିର୍ବାଚନ କରୁଥିଲେ। ନୂଆ ଆଇନରେ ଏହି ବ୍ୟବସ୍ଥା ଉଠିଯିବ। ଦେଶର ଅନ୍ୟ କିଛି ରାଜ୍ୟ ମଧ୍ୟ ମେୟର/ଅଧ୍ୟକ୍ଷ ପଦବିରେ ସିଧାସଳଖ ନିର୍ବାଚନର ବ୍ୟବସ୍ଥା କରିଛନ୍ତି।

Share Now:

Kalinga News Beuro

Next Post

ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ମାମଲାରେ ନୂଆ ମୋଡ଼: ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ବିଦ୍ୟାଶ୍ରୀ

Sat Aug 14 , 2021
କଟକ : ସାମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାର ସିବିଆଇ ପ୍ରସଂଗ ନେଇ ହାଇକୋର୍ଟରେ ଦାୟର ମାମଲାକୁ ପତ୍ନୀ ବିଦ୍ୟାଶ୍ରୀ ପ୍ରତ୍ୟାହାର କରିଛନ୍ତି। ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଦିତ୍ୟଙ୍କ ମା ପଦ୍ମାଳୟା ଦାସ, ବାପା ନନ୍ଦିକିଶୋର ଦାସ ଓ ପତ୍ନୀ ବିଦ୍ୟାଶ୍ରୀ ଶିଶୁଙ୍କ ପକ୍ଷରୁ ମିଳିତ ଭାବେ ଦାୟର ଆବେଦନର ଶୁଣାଣି ସମୟରେ ଆବେଦନକାରୀ ନମ୍ବର-୩ ବିଦ୍ୟାଶ୍ରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ସେ […]
ଆବେଦନ ପ୍ରତ୍ୟାହାର କଲେ ବିଦ୍ୟାଶ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial