ସମସ୍ୟାର ପାହାଡ଼ରେ ନ’ ତାଲା

ଭୁବନେଶ୍ୱର : ନିର୍ଦ୍ଦେଶାଳୟ ସମୂହ। ସଚିବାଳୟ ପଛ ପଟେ ଥିବା ଏହି ୯ ମହଲା ବିଶିଷ୍ଟ କୋଠାଟି ‘ନ ତାଲା’ ନାମରେ ‌ସାରା ରାଜ୍ୟରେ ପରିଚିତ। ସଚିବାଳୟରେ ମନ୍ତ୍ରୀ ଓ ସଚିବ ଯୋଜନା ପ୍ରଣୟନ କରୁଥିଲା ବେଳେ ତାହାର କାର୍ଯ୍ୟକାରିତା ସିଧାସଳଖ ଭାବେ ଏହିଠାରୁ ହିଁ ତଦାରଖ ହୁଏ। ଅଧିକାଂଶ ଗୁରୁତ୍ବପୂର୍ଣ୍ଣ ବିଭାଗର ନିର୍ଦ୍ଦେଶକମାନଙ୍କ କାର୍ଯ୍ୟାଳୟ ଏହିଠାରେ। ପାଖାପାଖି ୩୦ଟି ବିଭାଗର ନିର୍ଦ୍ଦେଶକ ଓ ଅନ୍ୟ ଅଧିକାରୀମାନେ ଏଠାରେ ବସନ୍ତି। ରାଜ୍ୟ ସଚ୍ଚିବାଳୟକୁ ସର୍ବସାଧାରଣ ପ୍ରବେଶ ନିଷେଧ ଥିବାରୁ ସାରା ରାଜ୍ୟର ସରକାରୀ କର୍ମଚାରୀ ଆପତ୍ତି, ଅଭିଯୋଗ ନେଇ ଏହିଠାକୁ ଆସନ୍ତି। ପୁଣି ବ୍ଲକ୍, ଜିଲ୍ଲା କାର୍ଯ୍ୟାଳୟ‌େର ନ୍ୟାୟ ପାଉ ନ ଥିବାରୁ ସାଧାରଣ ଜନତା ବି ଅଭିଯୋଗ ନେଇ ଏହି କୋଠାକୁ ହିଁ ମାଡ଼ି ଆସନ୍ତି। ଦୈନିକ ଶହଶହ କର୍ମଚାରୀ ଓ ସାଧାରଣ ଜନତାଙ୍କ ଆତଯାତ ଏଠାରେ ଚାଲିଥିଲେ ବି ଏଠାରେ ସର୍ବନିମ୍ନ ସୁବିଧା ଯୋଗାଇବାକୁ ସରକାର ଉଚିତ ମଣୁ ନାହାନ୍ତି। ଆଜି ଥିଲା ସୋମବାର। ସରକାରୀ ଭାବେ ଅଭିଯୋଗ ଶୁଣାଣି ଦିବସ। ଆଉ ଏମିତି ଥିଲା ନ’ତାଲାର ଦୃଶ୍ୟ…
‘୧୦ଟାରେ ଅଫିସ୍’ ନିୟମକୁ ଫୁ
ସରକାର ନିର୍ଦ୍ଦେଶ ଦେଇଛନ୍ତି ଠିକ୍ ସକାଳ ୧୦ଟାରେ ଅଫିସ୍‌ରେ ସବୁ ଅଧିକାରୀ ଓ କର୍ମଚାରୀ ହାଜର ହେବେ। ଜିଲ୍ଲା, ବ୍ଲକ୍‌ରେ ଏହି ସମୟକୁ ମାନୁଛନ୍ତି କି ନାହିଁ, ତାହା ଭିନ୍ନ କଥା। ଠିକ୍ ସଚିବାଳୟ ପଛ ପଟେ ଥିବା ନ’ତାଲାରେ ବି ସରକାରୀ ନିୟମକୁ ଫୁ’ କରିଦେଇଛନ୍ତି। ଆଜି ୧୦ଟାରେ ଅଧିକାଂଶ ବିଭାଗର ତାଲା ଖୋଲି ନ ଥିଲା। ୧୦ଟା ପରେ ଧୀରେ ଧୀରେ ତଳିଆ କର୍ମଚାରୀ ଆସି ଅଫିସ ଖୋଲି ବସିଲେ ସତ। କିନ୍ତୁ ୧୧ଟା ପର୍ଯ୍ୟନ୍ତ ଅଧିକାଂଶ ବିଭାଗରେ ବାବୁମାନଙ୍କ ଦେଖିନଥିଲା। ୨ ଦିନ ଛୁଟି ପରେ ଆଜି ଖୋଲିଥିଲା ସରକାରୀ କାର୍ଯ୍ୟାଳୟ। ପୁଣି ଅଭିଯୋଗ ଶୁଣାଣିର ଦିନ ଥିଲା। ତାହା ସତ୍ତ୍ବେ ବାବୁମାନଙ୍କର ଦେଖା ନ ଥିଲା। କିନ୍ତୁ ଅଭିଯୋଗ ଆଣି ଆସିଥିବା ଲୋକମାନେ ୧୦ଟା ସୁଦ୍ଧା ପହଞ୍ଚି ଯାଇଥିଲେ। ବାବୁମାନେ ଆସି ନ ଥିବାରୁ ନ’ତାଲା ପରିସରରେ ଚକ୍କର କାଟିବାକୁ ବାଧ୍ୟ ହୋଇଥିଲେ।
ତଳେ ଅନ୍ଧାରର ରାଜୁତି
ନ’ତାଲା ଭିତରେ ପଶୁ ପଶୁ ଭୂତକୋଠିର ଭ୍ରମ ସୃଷ୍ଟି ହେବ। ତଳ ମହଲା ସମ୍ପୂର୍ଣ୍ଣ ଅନ୍ଧାର। ବାହାରୁ ଆସୁଥିବା ଲୋକଟିଏ ଏହାକୁ ଦେଖିଲେ ଭାବିପାରିବ ନାହିଁ ଯେ ଏଠାରେ ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଅଛି ବୋଲି। ତଳ ମହଲା‌କୁ ଆଲୋକିତ କରିବା ପରି ଏକ ସର୍ବନିମ୍ନ କାର୍ଯ୍ୟ କରିବାକୁ ବି ଦାୟିତ୍ବରେ ଥିବା ଅଧିକାରୀମାନେ ଭୁଲି ଯାଇଛନ୍ତି।
ଲିଫ୍ଟ ଆଗରେ ଲମ୍ବା ଧାଡ଼ି
ନ’ ତାଲା କୌଣସି କାମରେ ଆସୁଛନ୍ତି କି? ତେବେ ହାତରେ ଯଥେଷ୍ଟ ସମୟ ନେଇ ଓ ଗୋଡ଼ରେ ଯଥେଷ୍ଟ ସାମର୍ଥ୍ୟ ନେଇ ଆସନ୍ତୁ। କାରଣ ଉପର ମହଲାକୁ ଯିବାକୁ ଆପଣଙ୍କୁ କମ୍‌ ସେ କମ୍‌ ୨୦ ମିନିଟ୍‌ରୁ ଅଧ ଘଣ୍ଟା ଲାଗିବ। ପୁଣି ଲିଫ୍ଟ ପାଇଁ ଧାଡ଼ିରେ ଠିଆ ହେବା ପାଇଁ ବି ‌ଧୈର୍ଯ୍ୟ ରଖିବା ଆବଶ୍ୟକ। କାରଣ ନ’ ତାଲାରେ ଥିବା ଦୁଇଟି ଲିଫ୍ଟ ମଧ୍ୟରୁ ଗୋଟିଏ ଲିଫ୍ଟ ଦୀର୍ଘ ୩ ମାସ ହେଲା ଖରାପ ହୋଇ ପଡ଼ିଛି। ଫଳରେ ଗୋଟିଏ ଲିଫ୍ଟ ଉପରେ ହିଁ ଶହ ଶହ ଲୋକ ନିର୍ଭରଶୀଳ। ବର୍ତ୍ତମାନ ଗୋଟିଏ ଲିଫ୍ଟ କାମ କରୁଥିବାରୁ ଲିଫ୍ଟ ଆଗରେ ଏବେ ଲମ୍ବା ଧାଡ଼ି ଲାଗୁଛି। ଧାଡ଼ିର ପଛରେ ଥିବା ଲୋକଙ୍କ ପାଳି ପଡ଼ିଲା ବେଳକୁ ୨୦ ମିନିଟ୍‌ରୁ ଅଧ ଘଣ୍ଟା ସମୟ ଲାଗୁଛି। ଏ ସମସ୍ୟା ଦୀର୍ଘ ମାସେ ହେଲା ଲାଗି ରହିଥିଲେ ମଧ୍ୟ ସର୍ବନିମ୍ନ ଦାୟିତ୍ବଟିଏ ତୁଲାଇବାକୁ ଯେମିତି ସରକାରୀ କଳ ମନ ବଳାଉନି। ପ୍ରଥମ ଦୁଇ ମହଲାକୁ ଲୋକ ଲିଫ୍ଟ ପାଇଁ ଅ‌େପକ୍ଷା ନ କରି ଶିଡ଼ିରେ ଚାଲି ଯାଉଛନ୍ତି। କିନ୍ତୁ ତାହା ଉପରକୁ ଶିଡ଼ିରେ ଯିବା ସମ୍ଭବ ହେଉନାହିଁ। ଫଳରେ ବହୁ ବ୍ୟକ୍ତି ନାହିଁ ନଥିବା ଅସୁବିଧାରେ ପଡ଼ୁଛନ୍ତି। ସେଠାରେ ଲିଫ୍ଟ କାମ କରୁଥିବା କର୍ମଚାରୀଙ୍କୁ ପଚାରିବାରୁ ସେ କହିଲେ, ପୁରୁଣା ଲିଫ୍ଟରେ ଅସୁବିଧା ଦେଖାଦେବାରୁ ତାକୁ ମରାମତି କରିବାକୁ ଚେଷ୍ଟା କରାଗଲା। ତାହା ସଫଳ ନ ହେବାରୁ ଏବେ ନୂଆ ଲିଫ୍ଟ ଲାଗୁଛି। ଏଣୁ କାମ ବିଳମ୍ବ ହେଉଛି। ରାଜ୍ୟ ପ୍ରଶାସନର ଏକ ଗୁରୁତ୍ବପୂର୍ଣ୍ଣ କୋଠାରେ ଲିଫ୍ଟ ଲାଗିବାକୁ ତିନି ମାସ ଲାଗିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ପାଲଟିଛି ଗୋଦାମ ଘର, ବିଗିଡ଼ିଛି ପରିମଳ
ନ’ ତାଲାରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗ ଥିବା ବେଳେ ସହର ବାହାରୁ ବହୁ କର୍ମଚାରୀ ଏଠାକୁ ଆସିଥାନ୍ତି। ଏହା ସମସ୍ତ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ହୋଇଥିବାରୁ ଏହାର ପରିମଳ ବ୍ୟବସ୍ଥାକୁ ବ୍ୟବସ୍ଥିତ କରି ଏକ ଆଦର୍ଶ ସୃଷ୍ଟି ହୋଇପାରନ୍ତା। କର୍ମଚାରୀମାନେ ଏଠାରୁ ଦେଖି ଯାଇ ନିଜ ନିଜ କାର୍ଯ୍ୟାଳୟକୁ ସେହିଭଳି ସ୍ବଚ୍ଛ ପରିମଳ କରିପାରନ୍ତେ। କିନ୍ତୁ ରାଜ୍ୟର ଏହି ପ୍ରମୁଖ ଅଟ୍ଟାଳିକା ଏବେ ପାଲଟି ଯାଇଛି ପୁରୁଣା ଫାଇଲ୍‌, ଭଙ୍ଗା ଦଦରା ଚୌକି, ଟେବୁଲ, ଆଲମିରା ଆଦିର ଖୋଲା ଗୋଦାମ। ବିଶେଷକରି ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗର ସମ୍ମୁଖ ଏହିଭଳି ଗୋଦାମ ପାଲଟିଥିବା ଦେଖିବାକୁ ମିଳୁଛି। ଶିଡ଼ିଠାରୁ ଆରମ୍ଭ କରି ସବୁ ଝରକା ଓ କାନ୍ଥ କୋଣରେ କେବଳ ପାନ ଛେପର ଲାଲ ଛିଟା। ଖାଲି ସେତିକି ନୁହେଁ, ସ୍ବାସ୍ଥ୍ୟ ବିଭାଗର ପୁରୁଷ ଶୌଚାଳୟ ମଧ୍ୟରେ ୭-୧୦ଟି ବଡ଼ ବଡ଼ ଟ୍ରଙ୍କ୍ ରଖାଯାଇଛି। ଭଙ୍ଗା ପ୍ଲାଏ, ରଦିଆ ପୁରୁଣା ଫାଇଲ ଓ ଆଲମିରା ଏହା ଆଗ‌ରେ ବର୍ଷ ବର୍ଷ ଧରି ପଡ଼ି ରହୁଥିଲେ ବି କାହାର ଆଖି ଖୋଲୁନି।
ନାହିଁ ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥା
ପାଖାପାଖି ୩୦ ବିଭାଗ, ବହୁ ଉଚ୍ଚପଦସ୍ଥ ଅଧିକାରୀ, ଶହ ଶହ କର୍ମଚାରୀ। ପୁଣି ସବୁଦିନେ ଶତାଧିକ ବାହାର ଲୋକଙ୍କ ଆତଯାତ। କିନ୍ତୁ ଏଠାରେ ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥା ନାହିଁ।। ତଳ ମହାଲାରେ ଲିଫ୍ଟ ନିକଟରେ କେବେ କୁକୁର ବୁଲୁଛି ତ’ କେବେ ଯାଇ ଭିକାରୀ ବସୁଛନ୍ତି। ପୁଣି ନ’ ତାଲା ପରିସର ମଧ୍ୟରେ ଉଠାବ୍ୟବସାୟୀମାନଙ୍କ ନିର୍ଦ୍ବନ୍ଦ୍ବରେ ବେପାର କରୁଥିବା ଦେଖିବାକୁ ମିଳୁଛି। ପାର୍କିଂ ପାଇଁ ପଡ଼ିଛି ପର୍ଯ୍ୟାପ୍ତ ସ୍ଥାନ। କିନ୍ତୁ ଲୋକମାନେ ଏଣେ ତେଣେ ଯେଉଁଠି ପାରିଲେ, ଗାଡ଼ି ରଖୁଛନ୍ତି। ଏସବୁକୁ ବ୍ୟବସ୍ଥିତ କରିବାକୁ କେହି ନାହାନ୍ତି। ନ’ ତାଲା ସର୍ବସାଧାରଣ ସ୍ଥାନ ହୋଇଥିବାରୁ ଏହାର ସୁଯୋଗ ନେଇ ଅସାମାଜିକ ଲୋକଙ୍କର ପଶିବାର ଆଶଙ୍କା ରହିଥିଲେ ମଧ୍ୟ ଏହାର ଢିଲା ସୁରକ୍ଷା ବ୍ୟବସ୍ଥା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବସିବାକୁ ଜାଗା ନାହିଁ, ବାରଣ୍ଡା ଭରସା
ଆଜି ଅଭିଯୋଗ ଶୁଣାଣି ଦିବସ ଥିବାରୁ ବହୁ ଦୂରଦୂରାନ୍ତରୁ ବିଭିନ୍ନ ବିଭାଗର କର୍ମଚାରୀ ଓ ସାଧାରଣ ଜନତା ଆସିଥିଲେ। ସର୍ବାଧିକ ଲୋକ ଆସିଥିଲେ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ନି‌େର୍ଦ୍ଦଶାଳୟକୁ। ତଳେ ଲିଫ୍ଟରେ ଯିବା ପାଇଁ ଲମ୍ବା ଧାଡ଼ିରେ ଠିଆ ହୋଇ ଉପର ମହଲାକୁ ଗଲେ। ସେଠାରେ ବି ବସିବା ପାଇଁ ଜାଗା ନ ଥିଲା। ବାରଣ୍ଡାରେ, ପାହାଚ ଉପରେ ବସି ରହିଲେ ସେମାନଙ୍କ ପାଳି ପଡ଼ିବା ପର୍ଯ୍ୟନ୍ତ। ଶିକ୍ଷକ/ଅଧ୍ୟାପକମାନେ ସମାଜରେ ଏକ ସମ୍ମାନଜନକ ସ୍ଥାନରେ ରୁହନ୍ତି। କିନ୍ତୁ ନ’ତାଲାରେ ସେମାନଙ୍କ ଦୟନୀୟ ସ୍ଥିତି ଶିକ୍ଷା ଜଗତ ପ୍ରତି ଏକ ଅପମାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେମାନଙ୍କୁ ସମ୍ମାନର ସହ ବସିବା ପାଇଁ ଜାଗା ଖଣ୍ଡେ ଦେବା ପରି ଦାୟିତ୍ବକୁ ବି ଶିକ୍ଷା ବିଭାଗ ଯେମିତି ଭୁଲି ଯାଇଛି।

Share Now:

Kalinga News Beuro

Leave a Reply

Next Post

ପାକିସ୍ତାନରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୭ ଜଣଙ୍କର ମୃତ୍ୟୁ

Tue Jul 30 , 2019
ରାୱଲପିଣ୍ଡି: ପାକିସ୍ତାନର ରାୱଲପିଣ୍ଡିରେ ମଙ୍ଗଳବାର ସକାଳେ ଏକ ପାକିସ୍ତାନୀ ସେନାର ବିମାନ ଦୁର୍ଘଟଣାର ଶିକାର ହୋଇଛି | ଏହି ଦୁର୍ଘଟଣାରେ ଅତିକମରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବାର କୁହାଯାଉଛି | ଏହି ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଛନ୍ତି ତେବେ ଦୁର୍ଘଟଣାର ଭୟାବହତାକୁ ଦେଖି ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ସୃଷ୍ଟି ହୋଇଛି | ମୃତକଙ୍କ ମଧ୍ୟରେ ୫ ଜଣ ସୈନିକ ଥିବାବେଳେ ଅନ୍ୟମାନେ ସେନା କର୍ମଚାରୀ ହୋଇଥିବାର ଜଣାପଡିଛି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial