ଲଢେଇ କରି ବାଘ ପାଟିରୁ ୧୫ ମାସର ପୁଅକୁ ଛଡ଼ାଇ ଆଣିଲା ମାଆ

ବାଘ ପାଟିରୁ ୧୫ ମାସର ପୁଅକୁ ଛଡ଼ାଇ ଆଣିଲା ମାଆ

ଉମରିଆ: ବାଘ ସହ ଲଢ଼େଇ କରି ତା’ ଜାବରୁ ନିଜ ୧୫ ମାସର ପୁଅକୁ ରକ୍ଷା କରି ମଧ୍ୟପ୍ରଦେଶର ଜଣେ ୨୫ ବର୍ଷୀୟ ମହିଳା ଅସାଧାରଣ ସାହସ ପ୍ରଦର୍ଶନ କରିଛନ୍ତି। ରବିବାର ସକାଳେ ଉମରିଆ ଜିଲ୍ଲା ବାନ୍ଧବଗଡ଼ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ମାଳା ବିଟ୍‌ ଅନ୍ତର୍ଗତ ରୋହଣିଆ ଗାଁରେ ଘଟିଥିବା ଉପରୋକ୍ତ ଘଟଣାରେ ଆହତ ହୋଇଥିବା ମାଆ ଓ ପୁଅ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଜିଲ୍ଲା ଅଧିକାରୀମାନେ କହିଛନ୍ତି, ବାଘଟିକୁ ଠାବ କରିବା ପାଇଁ ସେମାନେ ଚେଷ୍ଟା ଚଳାଇଛନ୍ତି। ବନାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ସୁରକ୍ଷା ପାଇଁ ସୁନିଶ୍ଚିତ ହେବା ପାଇଁ ସେମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ସଂଗୃହୀତ ସୂଚନା ଅନୁସାରେ, ବାଘ ସହିତ ଲଢ଼ିଥିବା ଉକ୍ତ ମହିଳାଜଣକ ହେଉଛନ୍ତି ଅର୍ଚ୍ଚନା ଚୌଧରୀ। ଶୌଚ ହେବା ପାଇଁ ସେ ପୁଅ ରବିରାଜକୁ ନେଇ ପଡ଼ିଆକୁ ଯାଇଥିଲେ। ସେତେବେଳେ ବାଘଟାଏ ଲମ୍ଫ ମାରି ତାକୁ କାମୁଡ଼ି ଧରିପକାଇଲା। ବାଘ ଜାବରୁ ପୁଅକୁ ଉଦ୍ଧାର କରିବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ସେ ଆକ୍ରମଣ କଲା। କିନ୍ତୁ, ପୁଅକୁ ରକ୍ଷା କରିବା ପାଇଁ ସେ ନିଜର ଉଦ୍ୟମ ଅବ୍ୟାହତ ରଖିଲେ। ଚିତ୍କାର କରିବାରୁ ପରେ ପରେ କେତେକ ଗ୍ରାମବାସୀ ମଧ୍ୟ ଯାଇ ଘଟଣାସ୍ଥଳରେ ହାଜର ହୋଇଗଲେ। ସେମାନେ ଘଉଡ଼ାଇବାରୁ ବାଘଟି ପିଲାକୁ ଛାଡ଼ି ଡିଆଁମାରି ବଣକୁ ଚାଲିଗଲା। ଅର୍ଚ୍ଚନାଙ୍କ ସ୍ବାମୀ ଭୋଳାପ୍ରସାଦ କହିଛନ୍ତି, ପତ୍ନୀଙ୍କର କଟୀ, ହାତ ଓ ପିଠିରେ ଆଘାତ ଲାଗିଥିବା ବେଳେ ପୁଅର ମୁଣ୍ଡ ଓ ବେକରେ ଆଘାତ ଲାଗିଛି। ଚିକିତ୍ସା ନିମନ୍ତେ ମା ଓ ପୁଅଙ୍କୁ ତୁରନ୍ତ ମାନପୁର ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଅଧିକ ଚିକିତ୍ସା ନିମନ୍ତେ ସେଠାରୁ ସେମାନଙ୍କୁ ଉମରିଆ ଜିଲ୍ଲା ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା କଥା ବନରକ୍ଷୀ ରାମ ସିଂହ ମାର୍କୋ କହିଛନ୍ତି। ଜିଲ୍ଲା ହସ୍ପିଟାଲ୍‌କୁ ଯାଇ ଉମରିଆ କଲେକ୍ଟର୍‌ ସଞ୍ଜୀବ ଶ୍ରୀବାସ୍ତବ ଆହତ ମାଆ ଓ ପୁଅଙ୍କୁ ଭେଟିଛନ୍ତି। ଉନ୍ନତ ଚିକିତ୍ସା ନିମନ୍ତେ ଦୁଇଜଣଙ୍କୁ ଜବଲପୁର ହସ୍ପିଟାଲ୍‌କୁ ରେଫର୍‌ କରାଯାଇଥିବା କଥା ସେ କହିଛନ୍ତି।

Share Now:

Kalinga News Beuro

Next Post

"ଲୋକେ ରେସନ୍‌ କିଣନ୍ତି, କିନ୍ତୁ ‘ବିଜେପି’ ବିଧାୟକ କିଣୁଛନ୍ତି" - ହେମନ୍ତ ସୋରେନ୍‌

Mon Sep 5 , 2022
ରାଞ୍ଚି: ଲୋକେ ରେସନ୍‌ କିଣନ୍ତି, କିନ୍ତୁ ‘ବିଜେପି’ ବିଧାୟକମାନଙ୍କୁ କିଣୁଛି ବୋଲି ଆଜି ବିଧାନସଭାରେ ଆସ୍ଥା ଭୋଟ୍‌ ଆଗତ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିଥିବା ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ କହିଛନ୍ତି। ଏହି ଆସ୍ଥା ଭୋଟ୍‌ରେ ସୋରେନ୍‌ଙ୍କ ସପକ୍ଷରେ ସମୁଦାୟ ୪୮ଟି ଭୋଟ୍‌ ପଡ଼ିଥିଲା। ଦୁର୍ନୀତି ଅଭିଯୋଗ ଆସିବା ପରେ ଅଡୁଆରେ ପଡ଼ିଯାଇଥିବା ମୁଖ୍ୟମନ୍ତ୍ରୀ ସୋରେନ୍‌ ଆଜି ଝାଡ଼ଖଣ୍ଡ ବିଧାନସଭାର ଦିନିକିଆ ବିଶେଷ ଅଧିବେଶନ ଡକାଇ ଆସ୍ଥା ଭୋଟ୍‌ ପାଇଁ […]
ଆସ୍ଥା ଭୋଟ୍‌ରେ ବିଜୟୀ ହେମନ୍ତ ସୋରେନ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial