ନୂଆଦିଲ୍ଲୀ : ଆତଙ୍କବାଦୀଙ୍କୁ ସହାୟତା ଦେଉଥିବା କାରଣରୁ ବିଶ୍ବ ସମୁଦାୟ ପାକିସ୍ତାନକୁ ସମାଲୋଚନା କରୁଥିବା ସତ୍ତ୍ୱେ ପାକିସ୍ତାନ ସେଥିପ୍ରତି ଭୂକ୍ଷେପ କରୁନାହିଁ। ଏରପରିକି ଏବେ ପାକିସ୍ତାନୀ ଆତଙ୍କବାଦୀ କାର୍ଯ୍ୟକଳାପ ପଛରେ ଥିବା ନିଜ ଭୂମିକାକୁ ଆଉ ଲୁଚାଉନାହିଁ। ଓଲଟି ଆତଙ୍କବାଦୀଙ୍କୁ ମାରୁଥିବା ଦେଶ ଉପରେ ମାନବ ଅଧିକାର ହନନ ଅଭିଯୋଗ ଲଗାଉଛି। ନିକଟରେ ଭାରତରେ ଅନୁପ୍ରବେଶ କରିଥିବା ଜଣେ ପାକିସ୍ତାନୀ ଆତଙ୍କବାଦୀ ସେନା ଦ୍ବାରା ଧରା ପଡ଼ି ଚିକିତ୍ସିତ ହେଉଥିବା ବେଳେ ହୃଦଘାତରେ ମୃତ୍ୟୁବରଣ କରିଥିଲା। ତାର ମୃତଦେହ ମଧ୍ୟ ଭାରତ ପାକିସ୍ତାନକୁ ଦେଇଥିଲା। ମାତ୍ର ବୁଧବାରଦିନ ଏହା ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଇସ୍ଲାମାବାଦରେ ଥିବା ଭାରତୀୟ କୂଟନୀତିଜ୍ଞମାନଙ୍କ ଡକାଇ ଉକ୍ତ ଆତଙ୍କବାଦୀ ମୃତ୍ୟୁର ପ୍ରତିବାଦ ଜଣାଇଛି। ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ ଉକ୍ତ ବ୍ୟକ୍ତିର ମାନସିକ ଅବସ୍ଥା ଠିକ ନଥିଲା ଓ ସେ ଅଜାଣତରେ ଭାରତରେ ପ୍ରବେଶ କରିଥିଲା। କିନ୍ତୁ ଭାରତୀୟ ସେନା ତାକୁ ମାରିଦେଇଥିଲା। ତବାରକ ହୁସେନ ନାମକ ଏହି ଆତଙ୍କବାଦୀକୁ ଗତ ୨୧ ତାରିଖରେ ଭାରତୀୟ ସେନା ନିୟନ୍ତ୍ରଣ ରେଖା ନିକଟରୁ ଗିରଫ କରିଥିଲା। ସେ ଆଉ ୩-୪ ଜଣ ଆତଙ୍କବାଦୀଙ୍କ ସହ ଭାରତରେ ଅନୁପ୍ରବେଶ କରିବାବେଳେ ଗିରଫ ହୋଇଥିଲା। ଏହି ଗ୍ରୁପକୁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷିତ କରି ଭାରତରେ ଆତ୍ମଘାତୀ ଆକ୍ରମଣ କରିବାକୁ ପଠାଯାଇଥିଲା। ତାକୁ ଜେରା କରିବାବେଳେ ସେ କହିଥିଲୀ ଯେ, ସେ ଓ ଅନ୍ୟ ୪-୫ ଜଣଙ୍କୁ ଭାରତରେ ଆତ୍ମଘାତୀ ହମଲା କରିବାକୁ ପାକିସ୍ତାନ ସେନାର ଜନୈକ କର୍ଣ୍ଣେଲ ୟୁନୁସ ପଠାଇଥିଲେ। ଭାରତୀୟ ସେନା ପୋଷ୍ଟଗୁଡ଼ିକ ଉପରେ ଆକ୍ରମଣ କରିବାକୁ ତାକୁ ୩୦ ହଜାର ଟଙ୍କା ଦିଆଯାଇଥିଲା।
ଆମ ଆତଙ୍କବାଦୀକୁ ମାରିଲ କାହିଁକି ? ଭାରତକୁ ପଚାରିଲା ପାକିସ୍ତାନ

Share Now: