ନୂଆଦିଲ୍ଲୀ: ଗୃହ ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା କେ ବିଜୟ କୁମାର ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଚନ୍ଦନ କାଠ ଚୋରା ଚାଲାଣ କରିବା ସହ ଅନେକ ପୁଲିସ କର୍ମୀଙ୍କୁ ହତ୍ୟା କରି ଆତଙ୍କ ଖେଳାଇଥିବା ବିରାପ୍ପାନକୁ ହତ୍ୟା କରିଥିବା ଭେଟେରାନ ପୁଲିସ ଅଧିକାରୀ କେ ବିଜୟ କୁମାର ଆଜି ବ୍ୟକ୍ତିଗତ କାରଣରୁ ଗୃହ ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ କିଛି ସମୟ ପୂର୍ବରୁ ଇସ୍ତଫା ଦେଇଥିବା କୁମାର ମଧ୍ୟ ଦିଲ୍ଲୀର ବାସଭବନ ଛାଡି ଚେନ୍ନାଇ ଚାଲିଯାଇଛନ୍ତି। ସେ କହିଛନ୍ତି ଯେ, ‘ମୁଁ ବର୍ତ୍ତମାନ ଚେନ୍ନାଇରେ ରହିବି, ବ୍ୟକ୍ତିଗତ କାରଣରୁ ମୁଁ ମୋର ପଦରୁ ଇସ୍ତଫା ଦେଇଛି’। କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସେ ମୁଖ୍ୟତଃ ବାମପନ୍ଥୀ ଉଗ୍ରବାଦ ତଥା ଜମ୍ମୁକଶ୍ମୀର ପ୍ରସଙ୍ଗରେ ସରକାରଙ୍କୁ ପରାମର୍ଶ ଦେଉଥିଲେ। ୧୯୭୫ ବ୍ୟାଚ୍ ଭାରତୀୟ ପୁଲିସ୍ ସେବା ଅଧିକାରୀ କୁମାରଙ୍କୁ ୨୦୧୨ରେ କେନ୍ଦ୍ର ଗୃହ ମନ୍ତ୍ରାଳୟରେ ନିଯୁକ୍ତ କରାଯାଇଥିଲା। ସେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(ସିଆରପିଏଫ)ର ମହାନିର୍ଦ୍ଦେଶକ ଭାବରେ ସେହି ବର୍ଷ ଅବସର ନେଇଥିଲେ। ସେ ଜମ୍ମୁକଶ୍ମୀରର ରାଜ୍ୟପାଳଙ୍କ ପାଇଁ ମଧ୍ୟ ପରାମର୍ଶଦାତା ଥିଲେ ଏବଂ ୨୦୧୯ ରେ ପୁନର୍ବାର ଗୃହ ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା ହୋଇଥିଲେ। ୨୦୧୦ରେ ଦାନ୍ତେୱାଡାରେ ୭୦ଜଣ ସିଆରପିଏଫ ଯବାନ ସହିଦ ହେବା ପରେ ତାଙ୍କୁ ସିଆରପିଏଫର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଥିଲା। ସେବେଠାରୁ ସେ ଛତିଶଗଡରେ ନକ୍ସଲଙ୍କ ଵିରୋଧରେ ଯବାନଙ୍କ ଅପରେସନ ଉପରେ ପରାମର୍ଶ ଦେଉଥିଲେ। ୨୦୧୯ରେ କେନ୍ଦ୍ର ସରକାର ତାଙ୍କୁ ନକ୍ସଲ ପ୍ରସଙ୍ଗରେ ପରାମର୍ଶଦାତା ଭାବେ ନିଯୁକ୍ତ କରିଥିଲେ।
ଇସ୍ତଫା ଦେଲେ ଗୃହ ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା

Share Now: