ଚାଷୀ ଆନ୍ଦୋଳନ: ସଂସଦ ଅଚଳ, ଚାଷୀ ଅଟଳ

ସଂସଦ ଅଚଳ ଚାଷୀ ଅଟଳ

୧୫ ଘଣ୍ଟା ଚର୍ଚ୍ଚା ପାଇଁ ସହମତି, ୩ ଆପ୍‌ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ଚାଷୀମାନେ ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ୭୦ ଦିନ ହେଲା ଆନ୍ଦୋଳନ ଚଳାଇଥିବା ବେଳେ ଏହି ପ୍ରସଙ୍ଗରେ ଆଜି ଲୋକସଭା ଏବଂ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି। ସରକାର ‘କଳା କୃଷି ଆଇନ’ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରି ବିରୋଧୀ ଦଳ ସାଂସଦମାନେ ସ୍ଲୋଗାନ ଦେଇଥିଲେ ଏବଂ ଗୃହ କାର୍ଯ୍ୟ କରାଇ ଦେଇନଥିଲେ। ଫଳରେ ଉଭୟ ଗୃହକୁ ବାରମ୍ବାର ମୁଲତବୀ ରଖିବାକୁ ପଡ଼ିଥିଲା। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ପୂର୍ବରୁ ଅନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇପାରିବ ନାହିଁ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକସଭାରେ କହିଥିଲେ। ବିରୋଧୀ ଦଳମାନେ ଏଥିରେ ସହଯୋଗ ନକଲେ ଏହା ରାଷ୍ଟ୍ରପତିଙ୍କ ଅପମାନ ହେବ ଏବଂ ଖରାପ ପରମ୍ପରା ସୃଷ୍ଟି କରିବ ବୋଲି ସେ କହିଥିଲେ।
ସରକାରଙ୍କ ନିବେଦନର ପ୍ରଭାବ ବିରୋଧୀ ସାଂସଦଙ୍କ ଉପରେ ପଡ଼ିଥିଲା ଏବଂ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ସହମତି ପ୍ରକାଶ ପାଇଥିଲା। ଏହା ସହିତ ଚାଷୀ ଆନ୍ଦୋଳନ ବାବଦରେ ୧୫ ଘଣ୍ଟା ଚର୍ଚ୍ଚା ପାଇଁ ମଧ୍ୟ ସମୟ ଦିଆଯାଇଥିଲା। ତେବେ ଆଲୋଚନା ଆରମ୍ଭ ହେବା ପରେ ପୁଣି ବିରୋଧୀ ସାଂସଦଙ୍କ ହଙ୍ଗାମା ଯୋଗୁଁ ଲୋକସଭା ବଚାସ୍ପତି ଗୃହ କାର୍ଯ୍ୟକୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିବା ବେଳେ ରାଜ୍ୟସଭା ଅଧ୍ୟକ୍ଷ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି। ରାଜ୍ୟସଭାରେ ପ୍ରବଳ ବିଶୃଙ୍ଖଳା ସୃଷ୍ଟି କରିଥିବା ୩ ଜଣ ଆପ୍‌ ସାଂସଦଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ଦିନକ ପାଇଁ ନିଲମ୍ବିତ କରିଛନ୍ତି। ଆପ୍‌ ସାଂସଦ ସଂଜୟ ସିଂହ କହିଛନ୍ତି, ଆମେ ଗୃହରେ କୃଷି ଆଇନକୁ ବିରୋଧ କରି ସ୍ଲୋଗାନ ଦେବାରୁ ଆମ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ରାଜ୍ୟସଭାରେ କେତେକ ସାଂସଦ ମୋବାଇଲ୍‌ରେ ରେକର୍ଡିଂ କରୁଥିବା ଜଣାପଡ଼ିବା ପରେ ଏଭଳି କାର୍ଯ୍ୟ ନକରିବାକୁ ଅଧ୍ୟକ୍ଷ ନାଇଡ଼ୁ ଚେତାବନୀ ଦେଇଥିଲେ। ଏହା ସଂସଦୀୟ ଶୃଙ୍ଖଳାର ବିରୋଧୀ ବୋଲି ସେ କହିଥିଲେ। ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚାରେ ଭାଗନେଇ ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ କହିଥିଲେ ଯେ ଚାଷୀମାନେ ହେଉଛନ୍ତି ଦେଶର ବଡ଼ ଶକ୍ତି ଏବଂ ସେମାନଙ୍କୁ ସରକାର ବିଶ୍ବାସକୁ ନେଉନାହାନ୍ତି। ଏହି ଚର୍ଚ୍ଚା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ଏସ୍‌ସିବି ଅଳିଆ ଯାଉଛି ବ୍ରହ୍ମପୁର : ଆଉ କେତେ ଦିନ ଏମିତି ଚାଲିବ ?

Thu Feb 4 , 2021
ଟଙ୍କା ଥାଇ ବି ଇନ୍‌ସିନେ‌ରେଟର୍‌ ଅଚଳ,ଏପଟେ ତାଲିମ୍‌ ପାଇଁ ଖର୍ଚ୍ଚ କରିବେ ୧୦ଲକ୍ଷ କଟକ: ଅଳିଆ(ବର୍ଜ୍ୟବସ୍ତୁ) ଦହନ ପାଇଁ ଯିବ ୨ଶହ କିଲୋମିଟର। ତା’ ପାଇଁ ଖର୍ଚ୍ଚ ହେବ ଲକ୍ଷାଧିକ ଟଙ୍କା। ମୂଳଦୁଆ ଭୁଶୁଡି ଗଲାଣି। ତାକୁ ସଜାଡୁ ନାହାନ୍ତି କି’ ନୂଆ ବ୍ୟବସ୍ଥା କରୁ ନାହାନ୍ତି। କିନ୍ତୁ ତାଲିମ୍‌ ନାଁରେ ଖର୍ଚ୍ଚ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏଭଳି ବିଚିତ୍ର ବ୍ୟବସ୍ଥା ଦେଖିବାକୁ ମିଳିଛି କଟକ ବଡ ଡାକ୍ତରଖାନାରେ। […]
ଏସ୍‌ସିବି ଅଳିଆ ଯାଉଛି ବ୍ରହ୍ମପୁର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial