୨ଟି ଭିନ୍ନ ଭିନ୍ନ ବସ୍‌ ଦୁର୍ଘଟଣା : ଜଣେ ମହିଳା ମୃତ, ୪୧ ଯାତ୍ରୀ ଆହତ

୨ଟି ଭିନ୍ନ ଭିନ୍ନ ବସ୍‌ ଦୁର୍ଘଟଣା

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଦୁଇଟି ବସ୍‌ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ଓ ୪୧ଜଣ ଯାତ୍ରୀ ଆହତ ହୋଇଥିବା କଥା ପୁଲିସ କହିଛି। ପ୍ରଥମ ଦୁର୍ଘଟଣା ଘଟିଛି ରାଜ୍ୟର ଫୁଲମ୍ବ୍ରି ଜିଲ୍ଲା ନିକଟ ମୁମ୍ବାଇ-ନାଗପୁର ହାଇସ୍ପିଡ୍‌ କ୍ୟାରେଜ୍‌ୱେରେ ମଙ୍ଗଳବାର ରାତି ୨.୩୦ରେ। ଏଥିରେ ଗୋଟାଏ ସୌଖିନ୍‌ ଘରୋଇ ବସ୍‌ ଗୋଟାଏ ଟ୍ରେଲର୍‌ ଟ୍ରକ୍‌ ‌ପଛରେ ଧକ୍କା ଖାଇବାରୁ ଅନ୍ୟୂନ ୨୨ଜଣ ବସ୍‌ଯାତ୍ରୀ ଆହତ ହୋଇଛନ୍ତି। ଘରୋଇ ବସ୍‌ଟି ନାଗପୁରରୁ ପୁଣେ ଅଭିମୁଖେ ଯାଉଥିଲା ବେଳେ ଟ୍ରକ୍‌ଟି ଇସ୍ପାତ (ଷ୍ଟିଲ୍‌) ନେଇ ଜାଲ୍‌ନାରୁ ସୁରତ ଆଡ଼କୁ ଯାଉଥିଲା। ବସ୍‌ ଚାଳକ ନିୟନ୍ତ୍ରଣ ହରାଇ ଟ୍ରକ୍‌ର ପଛରେ ଧକ୍କା ଦେଇଥିଲେ। ଆହତ ଯାତ୍ରୀମାନଙ୍କ ମଧ୍ୟରୁ ସଙ୍କଟାପନ୍ନ ଥିବା ୪ଜଣ ଏକ ଘ‌ରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ବାକି ଆହତ ଯାତ୍ରୀଙ୍କୁ ଔରଙ୍ଗାବାଦସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜିର ଦ୍ଵିତୀୟ ଦୁର୍ଘଟଣା ଘଟିଛି ମହାରାଷ୍ଟ୍ରର ନାସିକ ଜିଲ୍ଲାରେ। ‘ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମ’ର ଗୋଟାଏ ବସ୍‌ ଖାଇକୁ ଗଡ଼ିଯିବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିବା ସହିତ ୧୯ଜଣ ଯାତ୍ରୀ ଆହତ ହୋଇଛନ୍ତି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ଭୋର୍‌ ପ୍ରାୟ ୫.୪୫ରେ କାଲ୍‌ୱାନା ତାଲୁକର ଗଡ଼ଘାଟ ଅନ୍ତର୍ଗତ ବାଣୀ ଅଞ୍ଚଳରେ ଥିବା ଗଣେଶ ମନ୍ଦିର ନିକଟରେ ଏହି ଅଘଟଣ ଘଟିଛି। ଆହତମାନଙ୍କୁ ତୁରନ୍ତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ରାତିରେ ଉକ୍ତ ବସ୍‌ ବୁଲଢ଼ନା ଜିଲ୍ଲାର ଖାମଗାଓଁରୁ ସପ୍ତଶୃଙ୍ଗୀଗଡ଼କୁ ଆସିଥିଲା। ଆଜି ସକାଳେ ସେଠାରୁ ଫେରିବା ବେଳେ ଚାଳକଙ୍କ ନିୟନ୍ତ୍ରଣରୁ ବାହାରିଯାଇ ବସ୍‌୧୫୦ ଫୁଟ୍‌ ଗଭୀର ଖାଇକୁ ଗଡ଼ିଯାଇଥିଲା ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

Share Now:

Kalinga News Beuro

Next Post

ଫ୍ଲାଏଓଭର ବ୍ରିଜ୍ ରାଜନୀତି : ଢଳେଇ ଶୁଖିନି, ନଡ଼ିଆ ବାଡ଼େଇଲେ ସୁର

Wed Jul 12 , 2023
ଜଟଣୀ: ବହୁ ପ୍ରତୀକ୍ଷିତ ଜଟଣୀ ଫ୍ଲାଏଓଭର ବ୍ରିଜ୍‌ର ପିଛା ଛାଡ଼ୁନାହିଁ ରାଜନୀତି। ଆରମ୍ଭରୁ ଯେମିତି ହେଉଥିଲା, ଏବେ ଅନ୍ତିମ ପର୍ଯ୍ୟାୟରେ ବି ସେମିତି ଚାଲିଛି। ତେବେ ନିର୍ମାଣ କାମ ତା’ ବାଟରେ ଚାଲିଥିବା ବେଳେ ଏବେ ଶ୍ରେୟ ପାଇଁ ଚାଲିଛି କସରତ। ବ୍ରିଜ୍‌ ନିର୍ମାଣ କାମ ଆସନ୍ତା ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ପୂର୍ତ୍ତ ବିଭାଗ ଫଳକ ଲଗାଇବା ପରେ ଆରମ୍ଭ ହୋଇଯାଇଛି ଜୋର୍‌ଦାର ଶ୍ରେୟ ରାଜନୀତି। […]
ଢଳେଇ ଶୁଖିନି, ନଡ଼ିଆ ବାଡ଼େଇଲେ ସୁର

ଆହୁରି ପଢ଼ନ୍ତୁ