ଫ୍ଲାଏଓଭର ବ୍ରିଜ୍ ରାଜନୀତି : ଢଳେଇ ଶୁଖିନି, ନଡ଼ିଆ ବାଡ଼େଇଲେ ସୁର

ଢଳେଇ ଶୁଖିନି, ନଡ଼ିଆ ବାଡ଼େଇଲେ ସୁର

ଜଟଣୀ: ବହୁ ପ୍ରତୀକ୍ଷିତ ଜଟଣୀ ଫ୍ଲାଏଓଭର ବ୍ରିଜ୍‌ର ପିଛା ଛାଡ଼ୁନାହିଁ ରାଜନୀତି। ଆରମ୍ଭରୁ ଯେମିତି ହେଉଥିଲା, ଏବେ ଅନ୍ତିମ ପର୍ଯ୍ୟାୟରେ ବି ସେମିତି ଚାଲିଛି। ତେବେ ନିର୍ମାଣ କାମ ତା’ ବାଟରେ ଚାଲିଥିବା ବେଳେ ଏବେ ଶ୍ରେୟ ପାଇଁ ଚାଲିଛି କସରତ। ବ୍ରିଜ୍‌ ନିର୍ମାଣ କାମ ଆସନ୍ତା ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ପୂର୍ତ୍ତ ବିଭାଗ ଫଳକ ଲଗାଇବା ପରେ ଆରମ୍ଭ ହୋଇଯାଇଛି ଜୋର୍‌ଦାର ଶ୍ରେୟ ରାଜନୀତି। ଆଜି ଜଟଣୀ ବିଧାୟକ ସୁରେଶ ରାଉତରାୟ ବ୍ରିଜ୍ ଉପରେ ନଡ଼ିଆ ବାଡ଼େଇବା ସହ ଦୀପ ଜାଳିବା ଘଟଣା ବେଶ୍ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ବିଧାୟକ ଶ୍ରୀ ରାଉତରାୟ ନିଜର ଦଳବଳ ନେଇ ବ୍ରିଜ୍‌ ଉପରେ ପହଞ୍ଚିଥିଲେ। ନିଜର କର୍ମୀଙ୍କ ଦ୍ୱାରା ନଡ଼ିଆ ଭାଙ୍ଗିଥିଲେ ଏବଂ ଦୀପ ଜାଳିଥିଲେ। ଏହି ଅବସରରେ ସେ ସୀତାରାମ ଛକସ୍ଥିତ ହନୁମାନ ମନ୍ଦିର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହଯୋଗରେ ଜଟଣୀ ଓଭରବ୍ରିଜ୍‌ କାମ ସମ୍ପୂର୍ଣ୍ଣ ହୋଇଛି। କେବଳ କଂକ୍ରିଟ୍ ଶୁଖିବା ପାଇଁ କିଛି ଦିନ ସମୟ ଲାଗିବ। କିନ୍ତୁ ଏବେ ଯଦି ବର୍ଷା ଲାଗି ଅଣ୍ଡରପାସ୍‌ ଭିତରେ ଜଳ ଜମିରହେ, ଲୋକେ ଏହି ବ୍ରିଜ୍‌ ଉପରେ ଯାତାୟାତ କରିପାରିବେ। ତେବେ ଆସନ୍ତା ଅଗଷ୍ଟ ୧୫ ତାରିଖରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସଭାପତିତ୍ୱରେ ଉଦ୍‌ଘାଟନ ସଭା ହେବ। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ ଏବଂ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜଟଣୀ ପୌରାଧ୍ୟକ୍ଷ ଅନନ୍ତ ବେହେରା ଯୋଗଦେବେ। ଚର୍ଚ୍ଚ ପଡ଼ିଆରେ ମହାଆଡମ୍ବରରେ ଏହି ସଭା ଆୟୋଜନ କରାଯିବ ବୋଲି ସେ କହିଥିଲେ।
ଏ ନେଇ ପୌରାଧ୍ୟକ୍ଷ ଅନନ୍ତ ବେହେରା ପ୍ରତିକ୍ରିୟାରେ କହିଛନ୍ତି‌ ଯେ ବିଧାୟକଙ୍କ ଦୁଇ ପ୍ରକାର କଥା କହୁଛନ୍ତି। ଏଣେ କହୁଛନ୍ତି ବ୍ରିଜ୍‌ ଢଳେଇ ଶୁଖିନି, କିନ୍ତୁ ପୁଣି କହୁଛନ୍ତି ବ୍ରିଜ୍‌ ଉପରେ ଯାତାୟାତ କରିହେବ। କହୁଛନ୍ତି ଯେ ଅଗଷ୍ଟ ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଡକାଇ ବ୍ରିଜ୍‌ ଉଦ୍‌ଘାଟନ କରିବେ, କିନ୍ତୁ ଆଜି ଦଳବଳ ଧରି ବ୍ରିଜ୍‌ ଉପରେ ନଡ଼ିଆ ଭାଙ୍ଗିବା ସହ ଦୀପ ଜଳେଇ ସାରିଲେଣି। କେବଳ ନାଁ ନେବାକୁ ବିକଳ ହୋଇ ସେ ଏଭଳି କରିଛନ୍ତି ବୋଲି ଶ୍ରୀ ବେହେରା କହିଛନ୍ତି। ସେହିଭଳି ବିଜେପି ନେତା ବିଶ୍ୱରଞ୍ଜନ ବଡ଼ଜେନା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଏହି ବ୍ରିଜ୍‌ ନିର୍ମାଣରେ ସବୁ ଦଳର ତଥା ଜଟଣୀର ବହୁ ବୁଦ୍ଧିଜୀବୀମାନଙ୍କ ସହଯୋଗ ଓ ଅବଦାନ ରହିଛି। ବର୍ତ୍ତମାନ ବ୍ରିଜ୍‌ ନିର୍ମାଣ ବି ପୂରା ହୋଇନାହିଁ। ବିଧାୟକ ଅଛନ୍ତି ବୋଲି ଅସମ୍ପୂର୍ଣ୍ଣ କାମରେ ନଡ଼ିଆ ବାଡ଼େଇବା ଠିକ କଥା ନୁହେଁ। ସୂଚନାଯୋଗ୍ୟ ଯେ ଗତ ତିନି ଦିନ ପୂର୍ବେ ଏହି ବ୍ରିଜ୍‌ର ଗୋଟିଏ ପାର୍ଶ୍ଵ ଆପ୍ରୋଚ୍‌ ରୋଡ୍‌ର କିଛି ଅଂଶ କଂକ୍ରିଟ୍‌ ଢଳେଇ ହୋଇଛି। ସେହିଭଳି ସର୍ଭିସ୍‌ ରୋଡ୍‌ କାମ ବି ବହୁତ କିଛି ବାକି ରହିଛି।

Share Now:

Kalinga News Beuro

Next Post

ଓଡ଼ିଶାରେ ଆଗୁଆ ହେବ କି ନିର୍ବାଚନ? ଅତିରିକ୍ତ ବଜେଟକୁ ନେଇ ଜୋରଦାର ଚର୍ଚ୍ଚା

Wed Jul 12 , 2023
ଭୁବନେଶ୍ୱର : ମେ ୨୦୨୪ରେ ଲୋକସଭା ଓ ରାଜ୍ୟ ବିଧାନସଭାର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହେବ। କିନ୍ତୁ ଏହା ପୂର୍ବରୁ ଓଡ଼ିଶାରେ ନିର୍ବାଚନ ଆଗୁଆ ହେବ କି ବୋଲି ଚର୍ଚ୍ଚା ଜୋର ଧରିଛି। କାରଣ ଖୁବ ଶୀଘ୍ର ଅତିରିକ୍ତ ବଜେଟ ଆସିବା ପାଇଁ ଯାଉଛି। ଅର୍ଥ ବିଭାଗ ପକ୍ଷରୁ ଅତିରିକ୍ତ ବଜେଟକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜୁଲାଇ ସୁଦ୍ଧା ସବୁ ବିଭାଗ ପ୍ରସ୍ତାବ ଦେବା ପାଇଁ ଅର୍ଥ […]
ଓଡ଼ିଶାରେ ଆଗୁଆ ହେବ କି ନିର୍ବାଚନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial