ଭୁବନେଶ୍ବର: ଆଜି ସକାଳେ ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ କମିସନରେଟ୍ ପୁଲିସ ଉଠାଇନେଇଥିବାର ସୂଚନା ମିଳିଛି। ଜଗବନ୍ଧୁଙ୍କୁ ସତ୍ୟବିହାରସ୍ଥିତ ଘରୁ ଉଠାଇ ନେଇ ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି। ଅର୍ଚ୍ଚନାଙ୍କ ବ୍ଲାକମେଲିଂ ମାମଲାରେ ଜଗବନ୍ଧୁ ସଂପୃକ୍ତ ଥିବା ସନ୍ଦେହ କରିବା ସହ ଅନ୍ୟ କୌଣସି ଠୋସ୍ ପ୍ରମାଣ ପାଇବା ପରେ ପୁଲିସ ଉଠାଇଥିବା କୁହାଯାଉଛି। ପୂର୍ବରୁ ଜଗବନ୍ଧୁଙ୍କୁ ପୁଲିସ୍ ଥାନାକୁ ଡାକି ଛାଡ଼ିଦେଇଥିଲା। ସ୍ବାସ୍ଥ୍ୟଗତ କାରଣରୁ ତାଙ୍କୁ ଛଡ଼ା ଯାଇଥିବା ଚର୍ଚ୍ଚା ହୋଇଥିଲା।
ଏଣେ ଜଗବନ୍ଧୁ ଚାନ୍ଦଙ୍କ କାରନାମାର ବହୁ ଗୁମର ପଦାକୁ ଆସିବାରେ ଲାଗିଛି। ଜଗବନ୍ଧୁ ବାବଦରେ ମିଳିଥିବା ତଥ୍ୟ ବି ଆଖି ଖୋସିହୋଇଗଲା ଭଳି। ବହୁ ଦିନରୁ ସେ ଚୀନ୍ ଓ ଜାପାନର ରୂପଜୀବୀମାନଙ୍କ ଯୋଗାଯୋଗରେ ରହି ଜୁଆ ଖେଳୁଥିଲା ବୋଲି ଜଣାପଡ଼ିଛି। ଜଗବନ୍ଧୁଙ୍କ ଆକାଉଣ୍ଟ୍ ଯାଞ୍ଚ୍କୁ ନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ତା’ର ସଂପୃକ୍ତି କେବଳ ନେତା, ମନ୍ତ୍ରୀ, ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ନଥିଲା, ଅନଲାଇନ୍ ଜରିଆରେ ସେ ବିଦେଶୀ ରୂପଜୀବୀଙ୍କ ଯୋଗାଯୋଗରେ ଥିଲା। ହ୍ବାଟ୍ସଆପରେ ଗୃପ କରି ସେଥିରେ ସେ ଚାଟିଂ କରୁଥିଲା। ସେ ଯେଉଁ ଗୃପରେ ଥିଲା ତା’ର ଆଡମିନ୍ ବା ମୁଖ୍ୟ ଥିଲା ଜାପାନର ଜିଓଙ୍ଗ। ପ୍ରାଥମିକ ତଦନ୍ତରୁ ଜିଓଙ୍ଗ ଜାପାନର ଅଧିବାସୀ ବୋଲି ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମରେ ତା’ ନାଁରେ ମାଳମାଳ ଆକାଉଣ୍ଟ୍ ଓ ଫ୍ୟାନ୍ କ୍ଲବ୍ ରହିଛି। ବହୁ ଯୁବତୀ ବା ରୂପଜୀବୀଙ୍କ ଅର୍ଦ୍ଧନଗ୍ନ ଫଟୋରେ ନମ୍ବର ଦିଆଯାଇ ଲୋକଙ୍କୁ ଉକ୍ତ ଆକାଉଣ୍ଟ୍ ପ୍ରତି ଆକର୍ଷିତ କରାଯାଉଥିଲା। ଏହାକୁ ମାଧ୍ୟମ କରି ସେ ଚୀନ୍ ଓ ଜାପାନର ନିର୍ଦ୍ଦିଷ୍ଟ କିଛି ଅନଲାଇନ୍ ଗେମ୍ ମଧ୍ୟ ଖେଳୁଥିଲା, ଯାହାକି ଏକପ୍ରକାର ଜୁଆ ଖେଳ ବୋଲି କୁହାଯାଉଛି। ୨୦୧୫ ମସିହା ବେଳକୁ ସେ ଅନଲାଇନ ସଫ୍ଟୱେର୍ ଡେଭେଲପର୍ ନାଁ’ରେ ଆକାଉଣ୍ଟ ଖୋଲିଥିଲା। ଉକ୍ତ ଆକାଉଣ୍ଟ୍ ଜରିଆରେ ସେ ଜାପାନର କିଛି ରୂପଜୀବୀଙ୍କ ସହ ଯୋଡ଼ି ହୋଇଥିଲା। ସେମାନଙ୍କ ସହିତ ଗେମ୍ ଖେଳିବାକୁ ଜଗବନ୍ଧୁ ନିୟମିତ ଯୋଗାଯୋଗରେ ରହୁଥିଲା। ତେବେ ଅନଲାଇନ୍ ଜୁଆ ଓ ରୂପଜୀବୀଙ୍କ ବାବଦରେ ଯେମିତି କିଛି ତଥ୍ୟ ପଦାକୁ ନ ଆସିବ, ସେଥିପାଇଁ ଉଭୟ ଜଗବନ୍ଧୁ ଓ ଅର୍ଚ୍ଚନା ସାମାଜିକ ଗଣମାଧ୍ୟମରେ ପ୍ରାୟ ୨୦ରୁ ଅଧିକ ଆକାଉଣ୍ଟ ଖୋଲିଥିଲେ।
କମିସନରେଟ୍ ପୁଲିସ କବଜାରେ ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ

Share Now: