କ୍ୟାମେରାମ୍ୟାନ୍‌ ମାନସ ହତ୍ୟା ମାମଲା‌ : କ୍ରାଇମ୍‌ ରିପୋର୍ଟର ସାଜିଲେ କ୍ରିମିନାଲ୍‌

କ୍ରାଇମ୍‌ ରିପୋର୍ଟରରୁ କ୍ରିମିନାଲ୍‌

ଭୁବନେଶ୍ୱର: ଦିନେ ରାଜଧାନୀରେ ଏକ ଜଣାଶୁଣା ଦୈନିକ ଖବରକାଗଜ ପାଇଁ କ୍ରାଇମ୍‌ ରିପୋର୍ଟିଂ କରୁଥିଲେ। ପରେ ନିଜେ ଏକ ୱେବ୍‌ ଚ୍ୟାନେଲ୍‌ ଖୋଲି ତା’ର ମାଲିକାଣୀ ହୋଇଗଲେ। ଏଥିସହିତ ଏକ ସାପ୍ତାହିକ ଖବରକାଗଜ ବି ଚଳେଇଲେ। କେବଳ ସେତିକି ନୁହେଁ, ରାଜଧାନୀରେ ଏକ ବୃଦ୍ଧାଶ୍ରମ ଖୋଲି ନିଜକୁ ଜଣେ ପ୍ରତିଷ୍ଠିତ ସମାଜସେବୀର ଦର୍ଜା ଦିଆଇଲେ। ବହୁ ବଡ଼ବଡ଼ ଲୋକଙ୍କ ସଂସ୍ପର୍ଶରେ ଆସିଲେ। କିନ୍ତୁ ଆଜି ସେ ପୁଲିସ ପାଇଁ ମୋଷ୍ଟୱାଣ୍ଟେଡ୍‌। ଜଣେ ହତ୍ୟା ଅଭିଯୁକ୍ତ। ପୁଣି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ। ସେ ଫେରାର୍ ହୋଇ ଯାଇଥିବା ବେଳେ ପୁଲିସ ଟିମ୍‌ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି।
କଳାକାହାଣୀର ମୂକସାକ୍ଷୀ ବୃଦ୍ଧାଶ୍ରମ, ବଡ଼ବଡ଼ିଆଙ୍କ ହୃତ୍‌କମ୍ପ
ଏହା ହେଉଛି ଏକ ୱେବ୍‌ଚ୍ୟାନେଲ୍‌ ତଥା ସାପ୍ତାହିକ ଖବରକାଗଜର ଖୋଦ୍‌ ମାଲିକାଣୀଙ୍କ କଥା। କିଛି ଦିନ ପୂର୍ବେ ତାଙ୍କ ଚ୍ୟାନେଲ୍‌ରେ କାମ କରୁଥିବା କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁଙ୍କୁ ଅପହରଣ କରିବା ସହ ହତ୍ୟା କରିଥିବା ଅଭିଯୋଗ ହେବା ପରେ ସେ ଫେରାର୍ ହୋଇଯାଇଛନ୍ତି। ମାନସ ହତ୍ୟା ମାମଲାରେ ଗିରଫ ହୋଇସାରିଥିବା ୩ ଅଭିଯୁକ୍ତଙ୍କ ସୂଚନା ଆଧାରରେ ପୁଲିସ ତାଙ୍କୁ ଖୋଜୁଛି। ଏହି ଜଘନ୍ୟ ହତ୍ୟାକାଣ୍ଡ ପଛରେ ତାଙ୍କ ସିଧାସଳଖ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଛି। ସାମ୍ବାଦିକାଙ୍କ ସଂସ୍ପର୍ଶରେ ଥିବା ବହୁ ବଡ଼ବଡ଼ିଆଙ୍କ ହୃତ୍‌କମ୍ପ ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି। ବୃଦ୍ଧାଶ୍ରମରେ ଚାଲିଥିବା ଭିଡିଓ ସୁଟିଂରୁ ଏହି ହତ୍ୟାକାଣ୍ଡର ସୂତ୍ରପାତ ହୋଇଥିବା ଜଣାପଡ଼ିବା ପରେ ପୁଲିସର ଫୋକସ୍‌ ସେଠାରେ ପଡ଼ିଛି। ପୁଲିସ ସେହି ରହସ୍ୟମୟ ଭିଡିଓ ଖୋଜୁଛି।
ବୃଦ୍ଧାଶ୍ରମରେ କି ସୁଟିଂ ଚାଲିଥିଲା?
ବୃଦ୍ଧାଶ୍ରମ କେୟାରଟେକର ପୁଲିସକୁ ଦେଇଥିବା ସୂଚନାନୁସାରେ ଉପର ମହଲାର ଦୁଇଟି କୋଠରିରେ ଅନେକ ସମୟରେ ଭିଡିଓ ରେକର୍ଡିଂ କରାଯାଉଥିଲା। ଚାକିରିରେ ଥିବା ବେଳେ ମାନସ ନିଜେ ଭିଡିଓ ରେକର୍ଡିଂ କରୁଥିଲେ। କିନ୍ତୁ ସେଠାରେ କଣ ରେକର୍ଡିଂ ହେଉଥିଲା, ସେନେଇ କେୟାର୍‌ଟେକର କିଛି କହିପାରିନାହାନ୍ତି। ତେବେ ସେ ପୁଲିସକୁ ଦେଇଥିବା ସୂଚନାନୁସାରେ ଫେବ୍ରୁଆରି ୭ ତାରିଖରେ ନିଜେ ସାମ୍ବାଦିକା‌ ଓ ତାଙ୍କର କିଛି ସହଯୋଗୀ ମାନସଙ୍କୁ ଧରି ସେହି ଘରକୁ ଆସିଥିଲେ। ଏହା ପରେ କ’ଣ ସବୁ ଘଟିଥିଲା, ସେବାବଦରେ ସେ ପୁଲିସକୁ କି ତଥ୍ୟ ଦେଇଛନ୍ତି, ପୁଲିସ ସ୍ପଷ୍ଟ କରିନାହିଁ। ତେବେ କେୟା‌ର୍‌ଟେକରଙ୍କ ସୂଚନାନୁସାରେ ଚାନ୍ଦବାଲିରୁ ମାନସ ଫେବ୍ରୁଆରି ୭ରେ ନିଖୋଜ ହେବା ଘଟଣା ସହ ମେଳ ଖାଇଛି। ଘଟଣାକ୍ରମରୁ ଅନୁମାନ କରାଯାଉଛି, ମାନସ ପାଖରେ ରହିଯାଇଥିବା ଭିଡିଓ ହିଁ ତାଙ୍କୁ ହତ୍ୟା କରାଯିବାର ମୂଳ କାରଣ। ଉକ୍ତ ଚିପ୍‌ରେ ନିଶ୍ଚୟ କିଛି ବଡ଼ଧରଣର ଗୁମର ଥିବା ଜଳଜଳ ହୋଇ ଦେଖାଯାଉଛି। ସାଧାରଣ ଭିଡିଓ ଥିବା ଚିପ୍‌ ହୋଇଥିଲେ, ଜଣଙ୍କୁ ହତ୍ୟା କରିବା ଭଳି କଥା ଉଠିନଥା’ନ୍ତା। ଯୋଜନାବଦ୍ଧଭାବେ ଅପହରଣ କରିବା ଓ ହତ୍ୟା କରିବା ଭଳି ଘଟଣା ଘଟିଥିବାରୁ ଉକ୍ତ ଚିପ୍‌ରେ ନିଶ୍ଚୟ କିଛି ସଂଗିନ୍‌ ଭିଡିଓ ରହିଛି ବୋଲି ଜଣାପଡ଼ିଛି। ଫେରାର୍ ସାମ୍ବାଦିକା ଧରାପଡ଼ିବା ପରେ ଉକ୍ତ ଚିପ୍‌ ବାବଦରେ ସ୍ପଷ୍ଟ ଚିତ୍ର ମିଳିବ ବୋଲି ଜଣାପଡ଼ିଛି। କିନ୍ତୁ ସାମ୍ବାଦିକାଙ୍କ ସହ ବହୁ ବଡ଼ବଡ଼ିଆଙ୍କ ସମ୍ପର୍କ ଥିବାରୁ ପୁଲିସ ଉକ୍ତ ଚିପ୍‌ ବାବଦରେ କେତେ ସତ କହିବ, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଘଟଣା ପଛରେ ରହିଛି କି ରହସ୍ୟ
ବୃଦ୍ଧାଶ୍ରମ ଚାଲିଥିବା କୋଠାର ଉପର ମହଲାରେ ସାମ୍ବାଦିକାଙ୍କ ୱେବ୍‌ଚ୍ୟାନେଲ୍‌ ଓ ସାପ୍ତାହିକ ଖବରକାଗଜ ଅଫିସ ଚାଲୁଥିଲା। ନୟାଗଡ଼ ରଣପୁର ଥାନା ନୂଆପଲ୍ଲୀ ଗୋଡ଼ିପୋଖରୀ ଅଞ୍ଚଳର ମାନସ ସେଠାରେ କ୍ୟାମେରାମ୍ୟାନ୍‌ ଭାବେ କାମ କରୁଥିଲେ। କିନ୍ତୁ ୨୦୨୨ ଜାନୁଆରି ଶେଷ ଆଡ଼କୁ ସେ କାମ ଛାଡ଼ି ଦେଇଥିଲେ। କିନ୍ତୁ ତାଙ୍କ ପାଖରେ ଗୋଟିଏ କ୍ୟାମେରା ମେମୋରି ଚିପ୍ ରହିଯାଇଥିଲା। ସେଇଟିକୁ ଫେରାଇବା ପାଇଁ ସାମ୍ବାଦିକା ବାରମ୍ବାର ମାନସକୁ କହି ଆସୁଥିଲେ ମଧ୍ୟ ସେ ବିଭିନ୍ନ ବାହାନ। କରି ଦିନ ଗଡ଼ାଇ ଚାଲିଥିଲେ।
ଉକ୍ତ ମେମୋରି ଚିପ୍‌ ହାସଲ କରିବା ପାଇଁ ସାମ୍ବାଦିକା ଶେଷରେ ଭିନ୍ନ ପନ୍ଥା ଆପଣେଇଥିଲେ। ମାନସକୁ କୌଣସିମତେ ଅପହରଣ କରି ଜୋର୍‌ କରି ତାଙ୍କଠାରୁ ଚିପ୍‌ ଆଦାୟ କରିବାକୁ ସେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ତେଣୁ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ ସେ ମାନସ ପଛରେ ଲଗାଇଦେଇଥିଲେ। ମାନସ ଚାନ୍ଦବାଲି ଯାଇଥିବା ଜାଣିବା ପରେ ଅଭିଯୁକ୍ତମାନେ ପିଛା କରିଥିଲେ ଓ ସେଠାରୁ ଏକ କାର୍‌ ଯୋଗେ ତାଙ୍କୁ ଉଠାଇ ଆଣି ବୃଦ୍ଧାଶ୍ରମରେ ପହଞ୍ଚିଥିଲେ। ସେଠାରେ ସାମ୍ବାଦିକାଙ୍କ ନିର୍ଦ୍ଦେଶକ୍ରମେ ସେମାନେ ମାନସକୁ ବୀଭତ୍ସ ଭାବେ ହତ୍ୟା କରିଥିଲେ। ପରେ ମୃତଦେହକୁ ନେଇ ନୟାଗଡ଼ ବଧିପାଟଣାରେ ପୋତି ଦେଇଥିଲେ। ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଉକ୍ତ ଘର ଯାଞ୍ଚ କରିବା ବେଳେ ଏକ ବେଡ୍‌ରୁ ଓ ଅନ୍ୟାନ୍ୟ ସ୍ଥାନରୁ ରକ୍ତ ଦାଗ ଦେଖିବାକୁ ପାଇଛି ଓ ରକ୍ତ ନମୁନା ସଂଗ୍ରହ କରିଛି। ଗିରଫ ଅଭିଯୁକ୍ତମାନେ ପୁଲିସକୁ ସବୁ ସତ କହିଥିବା ବେଳେ ଉକ୍ତ ମେମୋରି ଚିପ୍‌ ବାବଦରେ କି ସୂଚନା ଦେଇଛନ୍ତି, ଜଣାପଡ଼ିନାହିଁ। ପୁଲିସ ମଧ୍ୟ ମୁହଁ ଖୋଲିନାହିଁ। ତେବେ ସାମ୍ବାଦିକା ଫେରାର୍ ଥିବାରୁ ପୁଲିସ ଉକ୍ତ ମେମୋରି ଚିପ୍‌ ପାଇନଥିବା ଜଣାପଡ଼ିଛି।
ନେତା ଓ ସମାଜସେବୀଙ୍କ ସମ୍ପର୍କରେ ସାମ୍ବାଦିକା
କ୍ରାଇମ୍‌ ରିପୋର୍ଟିଂରୁ ସାମ୍ବାଦିକତା ଆରମ୍ଭ କରିଥିବା ସାମ୍ବାଦିକା କମ୍ ସମୟରେ ବହୁ ଉଚ୍ଚକୁ ଉଠିପାରିଥିଲେ। ବଦାନ୍ୟ ବ୍ୟକ୍ତିବିଶେଷଙ୍କ ସହାୟତାରେ ଏକ ବୃଦ୍ଧାଶ୍ରମ ଚଳାଇବା ସହ ନିଜେ ଏକ ୱେବ୍‌ଚ୍ୟାନେଲ୍‌ କରିଥିଲେ ଓ ସାପ୍ତାହିକ ଖବରକାଗଜ ପ୍ରକାଶ କରୁଥିଲେ। ବଡ଼କଥା ହେଉଛି ଖୁବ୍‌ କମ୍‌ ସମୟରେ ସେ ତାଙ୍କ ଖବରକାଗଜ ପାଇଁ ସରକାରୀ ସ୍ବୀକୃତି ହାତେଇପାରିଥିଲେ। ବୃଦ୍ଧାଶ୍ରମ ଜରିଆରେ ସେ କିଛି ରାଜନେତା ଓ ବିଶିଷ୍ଟ ସମାଜସେବୀମାନଙ୍କ ନିକଟତର ହୋଇପାରିଥିବା ଜଣାପଡ଼ିଛି।
୩୫ ଦିନ ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ
ଏକ ଫଟୋଗ୍ରାଫି କାମରେ ମାନସ ଫେବ୍ରୁଆରି ୬ରେ ଭଦ୍ରକ ଚାନ୍ଦବାଲି ଯାଇଥିଲେ। ପରଦିନ ଅର୍ଥାତ୍ ୭ ତାରିଖରେ ତାଙ୍କୁ ସେଠାରୁ ଅପହରଣ କରାଯାଇଥିଲା। ଘରକୁ ଫେରିବା ବିଳମ୍ବ ହେବା ଓ ଫୋନ୍‌ ସୁଇଚ୍‌ ଅଫ୍ ଥିବାରୁ କିଛି ଅଘଟଣର ସନ୍ଦେହ କରି ତାଙ୍କ ବାପା ପଞ୍ଚା‌ନନ ୧୪ ତାରିଖରେ ଚାନ୍ଦବାଲି ଥାନାରେ ଅଭିଯୋଗ କଲେ। ପୁଲିସ ନିଖୋଜ ମାମଲା ରୁଜୁ କରି ଖୋଜାଖୋଜି କରିଥିଲା। ପ୍ରାୟ ମାସକ ପରେ ମାର୍ଚ୍ଚ ୭ରେ ଚାନ୍ଦବାଲି ଥାନା ପୁଲିସ ସୁରାକ୍‌ ପାଇ ରାଜଧାନୀରେ ପହଞ୍ଚିଥିଲା ଓ ୩ ଅଭିଯୁକ୍ତଙ୍କୁ ଠାବ କରିଥିଲା। ସେମାନେ ହେଲେ ବରମୁଣ୍ଡା ଡାଏରି ଫାର୍ମ ବସ୍ତିର ଭାଗ୍ୟଧର ନାୟକ(୨୬), ନୟାଗଡ଼ ରଣପୁର ଥାନା ଧାମଡ଼ା ଅଞ୍ଚଳର ବିବେକ ନାୟକ ଓରଫ୍ ନିଲୁ(୧୯) ଓ ପୁରୁଣା ଭୁବନେଶ୍ବର ଅଞ୍ଚଳର କୃଷ୍ଣଚନ୍ଦ୍ର ନାୟକ। ଏମାନଙ୍କୁ ଉଠାଇବା ପରେ ମାନସ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଥିଲା। ସେମାନେ ଏୟାରଫିଲ୍‌ଡ ଥାନା କଣ୍ଟିଲୋ ନିକଟସ୍ଥ ଏକ ବୃଦ୍ଧାଶ୍ରମରେ ମାନସଙ୍କୁ ହତ୍ୟା କରିବା ପରେ ନୟାଗଡ଼ ଜିଲ୍ଲା ରଣପୁର ଥାନା ବଧିପାଟଣାସ୍ଥିତ ପାହାଡ଼ ନିକଟରେ ମୃତଦେହକୁ ମାଟିତଳେ ପୋତି ଦେଇଥିବା କହିଥିଲେ। ମାର୍ଚ୍ଚ ୧୨ରେ ପୁଲିସ ସେମାନଙ୍କୁ ଘଟଣାସ୍ଥଳକୁ ନେଇ ମାନସଙ୍କ ଶବକୁ ମାଟିତଳୁ ଖୋଳି ବାହାର କରିବା ସହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ୧୩ ତାରିଖରେ ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା। ହତ୍ୟାକାଣ୍ଡର ବ୍ଲୁପ୍ରିଣ୍ଟ୍‌ ନିଜେ ସାମ୍ବାଦିକା ରଚନା କରିଥିଲେ ବୋଲି ୩ ଅଭିଯୁକ୍ତ ପୁଲିସକୁ ସୂଚନା ଦେଇଥିଲେ। କିନ୍ତୁ ପୁଲିସ ବୃଦ୍ଧାଶ୍ରମରେ ପହଞ୍ଚିଲା ବେଳକୁ ସେ ଫେରାର୍ ହୋଇସାରିଥିଲେ।

Share Now:

Kalinga News Beuro

Next Post

ଆସୁଛି କି କରୋନାର ୪ର୍ଥ ଲହର ? ସତର୍କ ରହିବାକୁ କହିଲା ‘ହୁ’

Thu Mar 17 , 2022
ନୂଆଦିଲ୍ଲୀ : ବିଶ୍ୱର ଅଧିକାଂଶ ଭାଗରେ କରୋନା ସଂକ୍ରମଣ କମି କମି ଚାଲିଛି। ଏହାକୁ ଦୃଷ୍ଟିରେ ରଖି କେତେକ ଦେଶ କଟକଣା କୋହଳ କରିସାରିଲେଣି। ଭାରତରେ ମଧ୍ୟ କଟକଣା ସଂପୂର୍ଣ୍ଣ କୋହଳ କରାଯାଇଛି। କିନ୍ତୁ ଆଗକୁ ପୁଣି ବିପଦ ମାଡ଼ିଆସୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏକ ନୂଆ ଲହର ସଂପର୍କରେ ସତର୍କ କରିଦେଇଛି। ଚୀନର ଓମିକ୍ରନ ସଂକ୍ରମଣ ବଢିବା ପରେ କେତେକ ସହରରେ କଠୋର ଲକଡାଉନ ଲାଗୁ କରାଯାଇଛି। […]
ଆସୁଛି କି କରୋନାର ୪ର୍ଥ ଲହର ?

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial