କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ପୁଲିସ ହାବୁଡ଼ରେ ଜଣେ ହାଇଟେକ ଗଞ୍ଜେଇ ବେପାରୀ ଧରାପଡ଼ିଛନ୍ତି। ଆନ୍ଧ୍ର ଓ ଓଡ଼ିଶା ସୀମାନ୍ତ କୁର୍ମାନୁର ଜଂଗଲରେ ପ୍ରାୟ ୩ବର୍ଷ ହେଲା ହାଇଟେକ ପଦ୍ଧତିରେ ଗଞ୍ଜେଇ ଚାଷ କରୁଥିବା କର୍ଣ୍ଣାଟକର ମହୀଶୁର ଅଂଚଳର ୪୧ବର୍ଷୀୟ ଲୋହିତ ଆଥଗୁର ସଦାଶିବ ନାମକ ଏହି ଗଞ୍ଜେଇ ବେପାରୀକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଏହି ଗଞ୍ଜେଇ ବେପାରୀ ଜଣେ ଆଇଟି କର୍ମଚାରୀ ବୋଲି ଜଣାପଡିଛିି। ଏସଡ଼ିପିଓଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ମହୀଶୂୁର ଯାଇ ଏହି ଗଞ୍ଜେଇ ବେପାରୀକୁ ଗିରଫ କରିବାରେ ସଫଳ ହୋଇଥିବାର ଜଣାପଡ଼ିଛି।
ଅନଲାଇନରୁ ଗଞ୍ଜେଇ ମଞ୍ଜି ମଗାଇ ହାଇଟେକ ପଦ୍ଧତିରେ ଗୁରାଲୁର ଜଂଗଲରେ ଗଞ୍ଜେଇ ଚାଷ କରୁଥିବାବେଳେ ସେ ଏମଭି-୯୦ ଗ୍ରାମର ଅସୀତ ମଣ୍ଡଳ ନାମକ ଜଣେ ଗଞ୍ଜେଇ ବେପାରୀଙ୍କ ସହିତ ମିଶି ଏହି ଚୋରା ଗଞ୍ଜେଇ ଚାଷ ୩ବର୍ଷ ହେଲା କରିଆସୁଥିଲା। ହାଇଟେକ ପଦ୍ଧତିରେ ଚାଷ କରାଯାଉଥିବା ଏହି ଗଞ୍ଜେଇର ମୂଲ୍ୟ ଖୋଲା ବଜାରରେ ଢ଼େର ଅଧିକ ବୋଲି ଜଣାପଡ଼ିଛି। ଏପରିକି ଏକ କିଲେ ଗଞ୍ଜେଇର ମୂଲ୍ୟ ୧ଲକ୍ଷ ଟଙ୍କାରେ ବିକ୍ରି କରାଯାଉଥିଲା ବୋଲି ଜଣାପଡ଼ିଛି। ଗତ ଜାନୁଆରି ୨୮ ତାରିଖରେ କାଲିମେଳା ପୁଲିସ ଗୁରାଲୁର ଜଂଗଲରେ ପ୍ରାୟ ୪ଏକର ପାହାଡ଼ିଆ ଜମିରେ ଏହି ଗଞ୍ଜେଇ ଚାଷ କରାଯାଇଥିବାବେଳେ ପ୍ରାୟ ୭ହଜାର ଗଞ୍ଜେଇ ଗଛକୁ ନଷ୍ଟ କରିଦେଇଥିଲା। ସେହି ଗଞ୍ଜେଇ ଚାଷ ଏମଭି-୯୦ ଗ୍ରାମର ଅସୀତ ମଣ୍ଡଳ ନାମକ ଜଣେ ଯୁବକ କରୁଥିବାବେଳେ ତାଙ୍କ ସହିତ ମିଶି ଏହି ଆଇଟି କର୍ମଚାରୀ ଜଣଙ୍କ ହାଇଟେକ ପଦ୍ଧତିରେ ଗଞ୍ଜେଇ ଚାଷ କରି ଆସୁଥିଲେ। ଗିରଫ ଲୋହିତ ଅର୍ଥ ଓ ଟେକନୋଲୋଜି ବ୍ୟବହାର କରୁଥିବାବେଳେ ଅସୀତ ଶ୍ରମିକ ଯୋଗାଇଆସୁଥିଲା। ଅସୀତ ପୁର୍ବରୁ ଗିରଫ ହୋଇ ଜେଲରେ ଥିବାବେଳେ ଏବେ ରାଜ୍ୟ ବାହାରୁ ଜଣେ ଗଞ୍ଜେଇ ବେପାରୀକୁ ଗିରଫ କରିବା ଘଟଣା ଜିଲ୍ଲାରେ ପ୍ରଥମ ବୋଲି ପୁଲିସ କହିଛି। ଏହି ଠାରେ ଚାଷ କରାଯାଉଥିବା ଗଞ୍ଜେଇ ସବୁ ବାହାର ରାଜ୍ୟକୁ ଚୋରା ଚାଲାଣ କରାଯାଉଥିଲା ରାଜ୍ୟ ବାହାରର ଆଉ କିଏ ସଂପୃକ୍ତ ଅଛନ୍ତି ସେ ଉପରେ ଅନୁସଂଧାନ କରାଯାଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଏସଡ଼ିପିଓ ସଚିନ ପଟେଲ ସୂଚନା ଦେଇଛନ୍ତି।
ମାଲକାନଗିରି ଜଙ୍ଗଲରେ ଗଞ୍ଜେଇ ଚାଷ କରୁଥିଲେ କର୍ଣ୍ଣାଟକର ଯୁବକ : ବାନ୍ଧିଲା ପୁଲିସ

Share Now: