ବାଡ଼ ଯେବେ ଫସଲ ଖାଏ : କୋଟିପତି କନେଷ୍ଟବଳ ପ୍ରସନ୍ନଙ୍କ ବେପାରର ଉତ୍ସ ଖୋଜୁଛି ଭିଜିଲାନ୍‌ସ

କନଷ୍ଟେବଳ ପ୍ରସନ୍ନ ବେ‌ହେରା

ଭୁବନେଶ୍ବର: ନିକଟରେ ଚାକିରିରୁ ବହିଷ୍କୃତ ହୋଇଥିବା କରିତ୍‌କର୍ମା କନେଷ୍ଟବଳ ପ୍ରସନ୍ନ ବେ‌ହେରା ଏବେ ଭିଜିଲାନ୍‌ସ ଜାଲରେ ପଡ଼ିଛନ୍ତି। ଆଜି ଭିଜିଲାନ୍‌ସର ୫ଟି ଟିମ୍‌ ତାଙ୍କ ସରକାରୀ ବାସଭବନ, ପୈତୃକ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ଉ କରି ପ୍ରାୟ ୫ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି। ବଡ଼ କଥା ହେଉଛି ଜଣେ ସାଧାରଣ କନେଷ୍ଟବଳ ହୋଇ ବି ସେ ରାଜଧାନୀରେ ବହୁ କ୍ଷମତାଶାଳୀ ଥିବା ତାଙ୍କ ସମ୍ପତ୍ତି ଓ ଚଳଣିରୁ ଜଣାପଡ଼ିଛି। ଭୁବନେଶ୍ବର କନେଷ୍ଟବଳ ସଂଘର ସମ୍ପାଦକ ଭଳି ପଦବି ହାତେଇବା ପରେ ସେ ଅଧିକ କ୍ଷମତାଶାଳୀ ହୋଇପଡ଼ିଥିବା କୁହାଯାଉଛି। ତେବେ ଜଣେ ସାଧାରଣ କନେଷ୍ଟବଳ କିଭଳି ଏତେ ସମ୍ପତ୍ତିର ଅଧିକାରୀ ହେଲେ ତାହାକୁ ନେଇ ଏବେ ଜୋର୍‌ଦାର୍‌ ଚର୍ଚ୍ଚା ଚାଲିଛି। କ୍ଷମତାର ଅପବ୍ୟବହାର କରି ବହୁ ବେଆଇନ କାମରେ ଲିପ୍ତ ରହିବା ଓ ଅସାଧୁ ଉପାୟରେ ଅର୍ଥ ଉପାର୍ଜନ କରିବା ପ୍ରସନ୍ନଙ୍କ ମୂଳ ଲକ୍ଷ୍ୟ ଥିଲା ବୋଲି ଆଲୋଚନା ହେଉଛି। ଏସବୁ ଦିଗକୁ ନେଇ ଭିଜିଲାନ୍‌ସ ତଦନ୍ତ ଚାଲିବ ବୋଲି ସୂଚନା ମିଳିଛି। ବିଶେଷକରି ଭିଜିଲାନ୍‌ସ ପ୍ରସନ୍ନଙ୍କ ବେପାରର ଉତ୍ସ ପଛରେ ପଡ଼ିଥିବା ଜଣାପଡ଼ିଛି।
ସରକାରୀ କ୍ବାର୍ଟର୍ସ ନା ରାଜଭବନ!
ପ୍ରସନ୍ନଙ୍କୁ କଳ୍ପନା ଛକରେ ଏକ ସାଧାରଣ ଦୁଇ ବେଡ୍‌ରୁମ୍‌ ବିଶିଷ୍ଟ ସରକାରୀ କ୍ବାର୍ଟର୍ସ ମିଳିଥିଲା। ବହୁ ବର୍ଷ ହେଲା ଏହି କ୍ବାର୍ଟର୍ସଟି ତାଙ୍କ କବ୍‌ଜା ରହିଆସିଛି। କିନ୍ତୁ ଏବେ ତାହା ରାଜଭବନ ଭଳି ପ୍ରତୀୟମାନ ହେଉଛି। କୌଣସି ମନ୍ତ୍ରୀ କିମ୍ବା ପ୍ରଶାସନିକ ଅଧିକାରୀଙ୍କ କ୍ବାର୍ଟର୍ସ ପ୍ରସନ୍ନଙ୍କ କ୍ବାର୍ଟର୍ସ ପାସଙ୍ଗରେ ପଡ଼ିବ ନାହିଁ। ପରେ ଏହାକୁ ସେ ବେଆଇନଭାବେ ବଢ଼ାଇଛନ୍ତି। ଭିଜିଲାନ୍ସ ସୂଚନା ଅନୁସାରେ, ମୂଳ ରୁମ୍ ବାଦ୍ ଆହୁରି ୮ଟି ରୁମ୍ ବେଆଇନ ଭାବେ ତିଆରି ହୋଇଛି। ସେଥିରୁ ୩ଟି ବେଡ୍‌ରୁମ୍, ଗୋଟିଏ ଡ୍ରଇଁ ରୁମ୍, ଗୋଟିଏ ଡାଇନିଂ, ରୋଷେଇ ଘର, ଠାକୁର ଘର ଓ ବାଥ୍‌ରୁମ୍ ରହିଛି। ଘର ଭିତରେ ବହୁ ଦାମୀ ଫର୍ଣ୍ଣିଚର୍‌ ପଡ଼ିଛି। ସେହିଭଳି ଦାମୀ ଲାଇଟ୍‌ ବି ଲାଗିଛି। ତେଣୁ ଏହି କ୍ବାର୍ଟର୍ସରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତାହାର ମଧ୍ୟ ଯାଞ୍ଚ ଚାଲିଛି ବୋଲି ଭିଜିଲାନ୍‌ସ ଟିମ୍‌ ସୂଚନା ଦେଇଛି। ଜଣେ ସିଭିଲ୍ ଇଞ୍ଜିନିୟରଙ୍କ ଦ୍ବାରା ଏହାର ହିସାବ କରାଯାଉଥିବା ଜଣାପଡ଼ିଛି।
ଆୟର ସୂତ୍ର କ’ଣ?
ବିପୁଳ ପରିମାଣର ସମ୍ପତ୍ତି ଠୁଳ କରିଥିବା ପ୍ରସନ୍ନଙ୍କ ଆୟର ସୂତ୍ର କଣ, ଏହାର ହିସାବନିକାଶ ଆରମ୍ଭ କରିଛି ଭିଜିଲାନ୍ସ। ସୂଚନାଯୋଗ୍ୟ, ଅପରାଧୀଙ୍କ ସମ୍ପର୍କ ଓ ଅସାଧୁ ଉପାୟରେ ଅର୍ଥ ଉପାର୍ଜନ କରିବା ଦ୍ବାରା ପ୍ରସନ୍ନ ଏତେ ସମ୍ପତ୍ତିର ଅଧିକାରୀ ବୋଲି କୁହାଯାଉଛି। ୨୦୦୧ ଫେବୃଆରୀ ୧୫ରେ ବାଲିଅନ୍ତାରେ ମଦ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଅଭିଯୁକ୍ତ ଘରେ ଚଢ଼ଉ ପୂର୍ବରୁ ପ୍ରସନ୍ନ ମଦ ମାଫିଆକୁ ଖବର ଦେଇଥିବା ଅଭିଯୋଗ ଆସିଥିଲା। ଫଳରେ ଅଭିଯୁକ୍ତ ଫେରାର ହୋଇ ଯାଇଥିଲା ଓ ଏହା ଜଣାପଡ଼ିବା କାରଣରୁ ପ୍ରସନ୍ନଙ୍କୁ ନିଲମ୍ବିତ କରାଯାଇଥିଲା। ତେଣୁ ଅପରାଧୀଙ୍କ ସହ ସମ୍ପର୍କ ରଖି ପ୍ରସନ୍ନ ପ୍ରଚୁର ଅର୍ଥ ରୋଜଗାର କରୁଥିଲା ବୋଲି ସନ୍ଦେହ କରାଯାଉଥିଲା। ସେହିଭଳି ସୁଧ କାରବାରରେ ମଧ୍ୟ ସେ ବିପୁଳ ପରିମାଣର କଳା ଟଙ୍କା ରୋଜଗାର କରିଥିବା ଭିଜିଲାନ୍ସ ଅନୁମାନ କରୁଛି। ଏହାଛଡ଼ା ନିଜର ଫର୍ଣ୍ଣିଚର୍‌ ଗୋଦାମ ଥିବାରୁ ପ୍ରସନ୍ନ ବେଆଇନ୍ କାଠ କାରବାର କରୁଥିବା ସନ୍ଦେହ କରାଯାଉଛି। କ୍ଷମତା ଅପବ୍ୟବହାର କରି ସେ ଚୋରା କାଠ ବେପାର କରୁଥିବା କଥାକୁ ମଧ୍ୟ ଅସ୍ବୀକାର କରିହେବ ନାହିଁ ବୋଲି କୁହାଯାଉଛି। ତେବେ ତଦନ୍ତ ପରେ ପୂରା ତଥ୍ୟ ପଦାକୁ ଆସିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ପୁଲିସ ପଦାଧିକାରୀଙ୍କୁ ଉପହାର ଆକାରରେ ଦେଉଥିଲା ଦାମୀ ଫର୍ଣ୍ଣିଚର୍‌
କନେଷ୍ଟବଳ ସଂଘର ସମ୍ପାଦକ ଭାବେ ନିର୍ବାଚିତ ହେବା ପରେ ପ୍ରସନ୍ନଙ୍କ କ୍ଷମତା ବଢ଼ିଯାଇଥିଲା। କେତେକ ବରିଷ୍ଠ ଅଧିକାରୀଙ୍କୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା ଚଳାଇଥିଲା। ତେଣୁ ସେମାନଙ୍କୁ ଦାମୀ ଫର୍ଣ୍ଣିଚର ଉପହାର ଦେଇଥିବା ଚର୍ଚ୍ଚା ହେଉଛି। ଉପହାର ଦେଇ ଅଧିକାରୀଙ୍କ ଜରିଆରେ ପ୍ରସନ୍ନ ଅନେକ କିଛି କାମ ହାସଲ କରୁଥିଲା ବୋଲି ଆଲୋଚନା ହେଉଛି। ବଡ଼ କଥା ହେଉଛି, ପ୍ରସନ୍ନ ନାଁରେ ପୂର୍ବରୁ ୫ ମାମଲା, ୮ ବିଭାଗୀୟ ପ୍ରୋସିଡିଂ ରହିଥିଲେ ମଧ୍ୟ ସବୁ କିଛି ସେମିତି ଫାଇଲ୍‌ ତଳେ ଚାପି ହୋଇ ରହିଥିଲା। ତାଙ୍କ ବିରୋଧରେ କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିଲା। ଫଳରେ ପ୍ରସନ୍ନଙ୍କ ସାମ୍ରାଜ୍ୟ ବଢ଼ିବଢ଼ି ଚାଲିଥିଲା।
ଫର୍ଣ୍ଣିଚର୍‌ ସୋ’ରୁମ୍‌ରେ ନାହିଁ ସିସିଟିଭି
ପ୍ରସନ୍ନଙ୍କ ଫର୍ଣ୍ଣିଚର୍‌ ସୋ’ରୁମ୍‌ ଓ ଗୋଦାମରେ ସିସିଟିଭି ନାହିଁ ବୋଲି ଆଜି ଭିଜିଲାନ୍‌ସ ଚଢ଼ଉରୁ ଜଣାପଡ଼ିଛି। ଆଜିକାଲି ସାଧାରଣ ଦୋକାନଟିରେ ମାଲିକ ସିସିଟିଭି ଲଗାଉଥିବା ବେଳେ କୋଟି କୋଟି ଟଙ୍କାର ଗୋଦାମ ଓ ସୋ‌’ରୁମ୍‌ରେ କାହିଁକି ସିସି କ୍ୟାମେରା ଲଗାଇନଥିଲେ, ତାହାକୁ ନେଇ ପ୍ରଶ୍ନବାଚୀ ଠିଆ ହୋଇଛି। ବରିଷ୍ଠ ଅଧିକାରୀମାନେ ତାଙ୍କ ପ୍ରତିଷ୍ଠାନକୁ ନିୟମିତ ଯିବା ଆସିବା କରୁଥିବାରୁ ସେ ଜାଣିଶୁଣି ସିସିଟିଭି ଲଗାଇନଥିବା ଅଭିଯୋଗ ହେଉଛି। କୋଟି କୋଟି ଟଙ୍କାର ବ୍ୟବସାୟ ହେଉଥିବା ସଂସ୍ଥାରେ ଗୋଟିଏ ବି ସିସିଟିଭି କ୍ୟାମେରା ନ ରହିବା ଭିଜିଲାନ୍ସ ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଛି।

Share Now:

Kalinga News Beuro

Next Post

କୋହଳ ହେଲା କରୋନା କଟକଣା : ବିବାହ-ବ୍ରତ-ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିବେ ୨୫୦ ଜଣ

Sat Oct 30 , 2021
ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଚଳିତ ମାସ ପ୍ରଥମ ସପ୍ତା‌ହରେ ଲାଗୁ କରାଯାଇଥିବା କୋଭିଡ କଟକଣାରେ କୋହଳ କରାଯାଇଛି। କଟକଣା କୋହଳ ହୋଇଥିବାରୁ ଏଣିକି ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ୨୫୦ ଲୋକ ଯୋଗ ଦେଇପାରିବେ। ନଭେମ୍ବର ୧ ତାରିଖ ଠାରୁ ନୂଆ ଗାଇଡଲାଇନ ଲାଗୁ ହେବ। ତେବେ ନୂଆ ଗାଇଡଲାଇନ୍ ଅନୁସାରେ ଏହି ସବୁ କାର୍ଯ୍ୟକ୍ରମରେ ଯେକୌଣସି ସମୟରେ ୨୫୦ ଜଣ ଲୋକ ଯୋଗ ଦେଇପାରିବେ। ଅନ୍ୟପଟେ […]
କଟକଣା କୋହଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial