ରେଳ ବିଭାଗରେ ଚାକିରି ନାଁରେ ୫.୪୮ ଲକ୍ଷ ଠକେଇ, ୨ ଗିରଫ

ରେଳ ବିଭାଗରେ ଚାକିରି ନାଁରେ ୫.୪୮ ଲକ୍ଷ ଠକେଇ

କାଶୀନଗର : କାଶୀନଗର ଅଞ୍ଚଳର ୨ ଜଣ ଯୁବକଙ୍କ ଠାରୁ ରେଳ ବିଭାଗରେ ଚାକିରି ପ୍ରଲୋଭନ ଦେଖାଇ ମୋଟ ୫ ଲକ୍ଷ ୪୮ ହଜାର ଟଙ୍କା ଠକେଇ ଘଟଣାରେ ସ୍ଥାନୀୟ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଦ୍ବୟ ହେଲେ ଗଜପତି ଜିଲ୍ଲା ରାୟଗଡ଼ ଥାନା ବୁରୁଜଙ୍ଗ ଗ୍ରାମର ସୁରେଶ ପରିଛା(୨୯) ଓ ଗୁରାଣ୍ଡି ଥାନା ବଡ଼ଦେଉଳ ଗ୍ରାମର ବିଶ୍ୱନାଥ ଅଣ୍ଡରପୁ(୩୯)। ଉଭୟଙ୍କୁ ଭୁବନେଶ୍ୱରରୁ କାବୁ କରାଯାଇଥିବା ବେଳେ ସେମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୁଲିସ ପ୍ରେସମିଟ୍ କରି ସୂଚନା ଦେଇଛି। ସୂଚନା ପ୍ରକାରେ, ଉଭୟ କାଶୀନଗର ବ୍ଲକ୍ ଖାଣ୍ଡବା ପଞ୍ଚାୟତ ସାରା ଗ୍ରାମର ରମେଶ ଚନ୍ଦ୍ର ପାତ୍ରଙ୍କ ପୁଅ ପିଣ୍ଟୁ ପାତ୍ରଙ୍କୁ ରେଳବାଇରେ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇ ତାଙ୍କ ଠାରୁ ୨ ଲକ୍ଷ ୧୦ ହଜାର ଟଙ୍କା ଠକି ନେଇଥିଲେ। ସେହିପରି ସ୍ଥାନୀୟ ଅଲୋଡ଼ା ଗ୍ରାମର ପାଣ୍ଡବ ଦାସଙ୍କ ପୁଅ ଜିତେନ୍ଦ୍ରଙ୍କୁ ସମାନ ଢଙ୍ଗରେ ପ୍ରଲୋଭନ ଦେଖାଇ ୩ ଲକ୍ଷ ୩୮ହଜାର ଟଙ୍କା ଠକି ନେଇଥିଲେ। ଠକାମିର ଶିକାର ହୋଇଥିବା ଜାଣିବା ପରେ ଉଭୟ ଯୁବକ କାଶୀନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ୍ ୧୫୭/୨୨ରେ ମାମଲା ରୁଜୁ କରିଥିଲା।
ଗଜପତି ଏସ୍.ପି ସ୍ଵାତି ଏସ୍.କୁମାରଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ଵତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍ ଆଜି ଭୁବନେଶ୍ୱରରୁ ଅଭିଯୁକ୍ତ ଦ୍ୱୟଙ୍କୁ କାବୁ କରିବାରେ ସଫଳ ହୋଇଛି। ଏନେଇ କାଶୀନଗର ଥାନାଧିକାରୀ ସୁଶାନ୍ତ କୁମାର ସାହୁ ପ୍ରେସମିଟ୍ କରି ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି। ସେହିପରି ଠକେଇ ଅଭିଯୋଗରେ ଉଭୟଙ୍କ ନାମରେ କେସ୍ ନମ୍ବର ୨୧୫ ରେ ମୋହନା ଥାନାରେ ମାମଲା ଥିବା ଜଣାପଡ଼ିଛି। ସୁରେଶ ନାଁରେ ଆନ୍ଧ୍ର ପ୍ରଦେଶର ପୁରୁଣାପାଟଣା ଥାନାରେ ଜାଲ୍‌ ନୋଟ୍ କାରବାରରେ ସାମିଲ ଥିବା ନେଇ ମାମଲା ରହିଥିବା ବେଳେ ବିଶ୍ୱନାଥ ନାମରେ ପାରଳାଖେମୁଣ୍ଡି ଥାନାରେ ମଧ୍ୟ ମାମଲା ରହିଛି।

Share Now:

Kalinga News Beuro

Next Post

ପଦାରେ ପଡ଼ିଲା ଟ୍ରାଫିକ୍‌ ବିଫଳତା : ଭିଡ଼ରୁ ବର୍ତ୍ତିପାରୁନି ରସୁଲଗଡ଼ ଛକ

Thu Jan 26 , 2023
ଭୁବନେଶ୍ୱର: ରସୁଲଗଡ଼ ଛକରେ ଟ୍ରାଫିକ୍‌ ଜାମ୍‌ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି। କିଛି ବିଶେଷ ଦିନ କିମ୍ବା ପର୍ବପର୍ବାଣୀ ପୂର୍ବରୁ ଟ୍ରାଫିକ୍‌ ସ୍ଥିତି ଅଣାୟତ୍ତ ହୋଇପଡ଼ୁଛି। ବାରମ୍ବାର ଏଭଳି ପରିସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ କମିସନରେଟ ପୁଲିସର ନିଦ ଭାଙ୍ଗୁନି କି ଟ୍ରାଫିକ୍‌ ଥାନା ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ ପ‌ଦକ୍ଷେପ ଗ୍ରହଣ କରାଯାଉନି। ଆଜି ସନ୍ଧ୍ୟାରେ ରସୁଲଗଡ଼ ଛକରେ ପାଖାପାଖି ଦୁଇ ଘଣ୍ଟାକାଳ ଚକାଜାମ୍‌ ପରିସ୍ଥିତି ସୃଷ୍ଟି ହୋଇଥିଲା। […]
ପଦାରେ ପଡ଼ିଲା ଟ୍ରାଫିକ୍‌ ବିଫଳତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial