ଫ୍ଲାଟ୍‌ ଦେବା ନାଁରେ ୧୦ କୋଟି ଠକେଇ : ଇଓଡବ୍ଲୁରେ ମାମଲା

ଫ୍ଲାଟ୍‌ ଦେବା ନାଁରେ ୧୦ କୋଟି ଠକେଇ

ଭୁବନେଶ୍ୱର: ଏକ ବିଲ୍‌ଡର ସଂସ୍ଥା ରାଜଧାନୀରେ ଫ୍ଲାଟ୍‌ ଦେବା ନାଁରେ ଗ୍ରାହକଙ୍କଠାରୁ ପ୍ରାୟ ୧୦କୋଟି ଠକିଥିବା ଜଣାପଡ଼ିଛି। ତେବେ ଏନେଇ ଠକେଇର ଶିକାର ହୋଇଥିବା ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ ଅଞ୍ଚଳର କଲ୍ୟାଣ ମିଶ୍ର ଇଓଡବ୍ଲୁରେ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ବିଲ୍‌ଡର ସଂସ୍ଥା ତାଙ୍କଠାରୁ ୫୦ଲକ୍ଷ ଟଙ୍କା ଠକିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ ଖାରବେଳନଗର ଅଞ୍ଚଳର ଜମି ମାଲିକଙ୍କ ସହ ସମ୍ପୃକ୍ତ ବିଲ୍‌ଡର ସଂସ୍ଥା ମଧ୍ୟରେ ଏକ ସେୟାରିଂ ଚୁକ୍ତି ହୋଇଥିଲା। ଅଶୋକନଗରରେ ଥିବା ଜାଗାରେ ଘର କରି ବିଲ୍‌ଡର ଉକ୍ତ ଜାଗାର ମାଲିକଙ୍କୁ ଘର ଦେବା ସହ ଅନ୍ୟ ଗ୍ରାହକଙ୍କୁ ଫ୍ଲାଟ୍‌ ବିକ୍ରି କରିପାରିବେ ବୋଲି ଚୁକ୍ତି ହୋଇଥିଲା। ୨୦୧୨ ମସିହାରେ ଉକ୍ତ ଜାଗା ଉପରେ ବିଡିଏ ପ୍ଲାନ୍ ମିଳିଥିଲା। ହେଲେ କୌଣସି କାରଣରୁ ବିଲ୍‌ଡର କାମ କରି ନପାରି ଆଇଆର୍‌ସି ଭିଲେଜରେ ଥିବା ଅନ୍ୟ ଏକ ବିଲ୍‌ଡର ସଂସ୍ଥାର ସହଯୋଗ ଲୋଡ଼ିଥିଲା।
ଉଭୟ ବିଲ୍‌ଡରଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା। ତେବେ ଏକ ସଡ଼କ ଦୁର୍ଘଟଣାରେ ପ୍ରଥମ ବିଲ୍‌ଡରଙ୍କ ମୃତ୍ୟୁ ଘଟିଥିଲା। ଏହାର ସୁଯୋଗ ନେଇ ସହଯୋଗୀ ବିଲ୍‌ଡର ସଂସ୍ଥା ଠକେଇ ପାଇଁ ଯୋଜନା କରିଥିଲା। ଗୋଟିଏ ଘରକୁ ଏକାଧିକ ଲୋକଙ୍କୁ ବିକ୍ରି କରି କୋଟି କୋଟି ଟଙ୍କା ହାତେଇଥିଲା। ଏପରିକି ୨ମହଲା ପର୍ଯ୍ୟନ୍ତ ଅନୁମତି ମିଳିଥିବା ବେଳେ ତୃତୀୟ ମହଲା ନିର୍ମାଣ କରିବା ପାଇଁ ଲୋକଙ୍କୁ ପ୍ରଲୋଭନ ଦେଖାଇ ଟଙ୍କା ଆଦାୟ କରିଥିଲା। ତେବେ କଲ୍ୟାଣଙ୍କୁ ଉକ୍ତ ବିଲ୍‌ଡର ସଂସ୍ଥା ତଳ ମହଲାରେ ୩ଟି ଫ୍ଲାଟ୍‌ ଦେବା ପାଇଁ ଅଗ୍ରୀମ ବାବଦରେ ୫୦ଲକ୍ଷ ଟଙ୍କା ନେଇଥିଲା। ବର୍ଷ ବର୍ଷ ବିତିଯାଇଥିଲେ ବି ଘର ଦେଇନଥିଲା। ତେଣୁ କଲ୍ୟାଣ ଇଓଡବ୍ଲୁର ଦ୍ୱାରସ୍ଥ ହୋଇଛନ୍ତି।

Share Now:

Kalinga News Beuro

Next Post

୨୬ରେ ଧାମନଗର ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ସଭା

Sat Mar 11 , 2023
ଭୁବନେଶ୍ୱର: କେନ୍ଦ୍ର ଗୃହ ଓ ସହକାରିତାମନ୍ତ୍ରୀ ଅମିତ ଶାହ ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ସାଆଁଳପୁରରେ ଏକ ସାଧାରଣ ସଭା କରିବେ। ଏନେଇ ବିଜେପି ନେତ୍ରୀ ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର ସୂଚନା ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି, ମାର୍ଚ୍ଚ ୨୬ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବେ। ପ୍ରଥମେ ଭଦ୍ରକ ଜିଲ୍ଲା ଆରଡ଼ିଠାରେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିବେ କେନ୍ଦ୍ର […]
କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦିନିକିଆ ଓଡ଼ିଶା ଗସ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial