ଛାତ୍ରୀଙ୍କୁ ପ୍ରଫେସର୍‌ଙ୍କ ନିର୍ଯାତନା : ଆଭ୍ୟନ୍ତରୀଣ କମିଟି କରି ଘଟଣା ଚାପିବାକୁ ଉଦ୍ୟମ

ଛାତ୍ରୀଙ୍କୁ ପ୍ରଫେସର୍‌ଙ୍କ ନିର୍ଯାତନା

ଭୁବନେଶ୍ୱର: ଛାତ୍ରୀମାନଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯାତନା। ପ୍ରଫେସର ଜଣକ ରାତିରେ ଛାତ୍ରୀମାନଙ୍କୁ ଅଶ୍ଳୀଳ ମେସେଜ୍‌ ପଠାଉଛନ୍ତି। ଛାତ୍ରୀଙ୍କ ରୂପଗୁଣର ପ୍ରଶଂସା କରୁଛନ୍ତି। ଖଣ୍ଡଗିରି ଥାନା ଅଧୀନ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ସରକାରୀ କଲେଜର ଜଣେ ପ୍ରଫେସର ଛାତ୍ରୀମାନଙ୍କୁ ଏଭଳି ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏକାଧିକ ଛାତ୍ରୀ ଏନେଇ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ କର୍ତୃପକ୍ଷ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର ସତ୍ୟାସତ୍ୟ ତଦନ୍ତ କରି ରିପୋର୍ଟ ଦେବାକୁ କମିଟିକୁ କୁହାଯାଇଛି। ତେବେ କଲେଜ କର୍ତ୍ତୃପକ୍ଷ ଘଟଣାକୁ ଚାପିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବି ଏ ବିଷୟରେ ଅବଗତ କରିନାହାନ୍ତି କି ଥାନାରେ ଉକ୍ତ ପ୍ରଫେସରଙ୍କ ନାଁରେ ଅଭିଯୋଗ ଦାଖଲ କରିନାହାନ୍ତି। ନିଜସ୍ତରରେ ଘଟଣାର ରଫାଦଫା କରିବାକୁ ଯଥାସାଧ୍ୟ ଉଦ୍ୟମ ଜାରି ରଖିଛନ୍ତି। ଏହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ହେଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି। ଉକ୍ତ ସରକାରୀ କଲେଜରେ ଏଭଳି ଘଟଣା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ଏଭଳି ଦୁଇ ଦୁଇଟି ଘଟଣା ସାମ୍ନାକୁ ଆସିଥିଲା। ଛାତ୍ରୀମାନେ ଅଭିଯୋଗ କରିବା ପରେ କର୍ତୃପକ୍ଷ ଥାନାରେ ଏତଲା ଦେବା ସହ ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଏଥର କ’ଣ ପାଇଁ କର୍ତ୍ତୃପକ୍ଷ ଘଟଣାକୁ ଚାପିବାକୁ ଉଦ୍ୟମ କରୁଛନ୍ତି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଗିଙ୍ଗ ଲାଗି ମଧ୍ୟ ଏହି ନାମକରା ସରକାରୀ କଲେଜ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହି ଆସିଛି। ଏଥର ଘଟଣାକୁ ନେଇ ପୁଣିଥରେ କଲେଜ କର୍ତୃପକ୍ଷ ବିବାଦରେ ଫସିଛନ୍ତି। ପୂର୍ବରୁ ନହରକଣ୍ଟାସ୍ଥିତ ଜୟଦେବ କଲେଜର ଜଣେ ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା। କର୍ତ୍ତୃପକ୍ଷ ଘଟଣା ଚାପିବାକୁ ଉଦ୍ୟମ କରିବା ପରେ ଛାତ୍ରୀଜଣକ ଉଚ୍ଚଶିକ୍ଷା ବିଭାଗ ଦ୍ୱାରସ୍ଥ ହୋଇଥିଲେ। ଯେଉଁଥିପାଇଁ ଉଚ୍ଚଶିକ୍ଷା ବିଭାଗ ଅଧିକାରୀ ଘଟଣାରେ ହସ୍ତକ୍ଷେପ କରିବା ସହ ଯଥାଶୀଘ୍ର ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ଆଇନ ୨୦୧୩ ଅନୁଯାୟୀ ଅଧିକ ତଦନ୍ତ କରିବା ଆବଶ୍ୟକ ଥିବା ଅନୁଭବ କରିଛି ଉଚ୍ଚଶିକ୍ଷା ବିଭାଗ ଲେଖିଥିଲା।

Share Now:

Kalinga News Beuro

Next Post

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି : ସୁରକ୍ଷା ଦାୟିତ୍ୱରେ ଥିବା ୧୫ ପୁଲିସ କର୍ମଚାରୀ ଅନୁପସ୍ଥିତ

Sun Nov 6 , 2022
ନୂଆଦିଲ୍ଲୀ: ଶନିବାର ଦିନ ଗ୍ରେଟର୍‌ ନଏଡ଼ାର ‘ଇଣ୍ଡିଆ ଏକ୍‌ସ୍‌ପୋ ମାର୍ଟ’ର ‘ଜଳ ସପ୍ତାହ କାର୍ଯ୍ୟକ୍ରମ’ର ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିବା ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଥିବା କଥା ବିଶେଷସୂତ୍ରରୁ ସୂଚନା ମିଳିଛି। ଉପରାଷ୍ଟ୍ରପତିଙ୍କ ସୁରକ୍ଷା ଦାଇତ୍ୱରେ ମୁତୟନ କରାଯାଇଥିବା ପୁଲିସ କର୍ମଚାରୀଙ୍କ ମଧ୍ୟରୁ ସେତେବେଳେ ୧୫ଜଣ ଅନୁପସ୍ଥିତ ଥିବା କଥା ଗ୍ରେଟର୍‌ ନଏଡ଼ାର ‘ଡିସିପି’ ଅଭିଷେକ ବର୍ମାଙ୍କ ତଦନ୍ତରୁ ଜଣାପଡ଼ିଛି। ଉପରାଷ୍ଟ୍ରପତିଙ୍କ ସୁରକ୍ଷା […]
ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial