ସନ୍ଦେହ ପାଇଁ ଉଜୁଡି ଗଲା ସଂସାର : ତଣ୍ଟି ଚିପି ସ୍ତ୍ରୀକୁ ହତ୍ୟା

ତଣ୍ଟି ଚିପି ସ୍ତ୍ରୀକୁ ହତ୍ୟା

ସ୍ତ୍ରୀହନ୍ତା ସ୍ବାମୀ ଅଟକ, ଭରତପୁରରେ ଚାଞ୍ଚଲ୍ୟ

ଭୁବନେଶ୍ବର: ଭଲ ପାଇ ବାହା ହୋଇଥିଲେ। ପ୍ରେମର ସନ୍ତକ ଭାବେ ପୁତ୍ର ସନ୍ତାନଟିଏ ବି ଆସିଥିଲା ସେମାନଙ୍କ ସଂସାରକୁ। ଏବେ ପୁଅକୁ ଦେଢ଼ ବର୍ଷ। ମାତ୍ର ବେଶି ଦିନ ତିଷ୍ଠିଲାନି ସେମାନଙ୍କ ଭଲ ପାଇବା। ସନ୍ଦେହ ଉଜାଡ଼ିଦେଲା ସେମାନଙ୍କ ସଂସାର। ଶେଷରେ ସ୍ବାମୀ ହାତରେ ଚାଲିଗଲା ସ୍ତ୍ରୀର ଜୀବନ। ତଣ୍ଟି ଚିପି ମାରିଦେଲା ସନ୍ଦେହୀ ସ୍ବାମୀ। ଆଜି ଅପରାହ୍ନରେ ଘଟିଥିବା ଏମିତି ଏକ ଅଭାବନୀୟ ଘଟଣା ଭରତପୁର ଥାନା ତେଲଗୁବସ୍ତିରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ମୃତକ ହେଲେ, ଏଠାରେ ତେଲ୍‌ଗୁବସ୍ତିରେ ରହୁଥିବା ବ୍ରହ୍ମପୁର ଅଞ୍ଚଳର ସାଗର ପ୍ରଧାନଙ୍କ ସ୍ତ୍ରୀ ମାମା ପ୍ରଧାନ(୨୨)। ଭରତପୁର ଥାନା ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରୁ ମାମାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଅନ୍ୟପକ୍ଷରେ ପୁଲିସ ଫେରାର୍ ହେବାକୁ ଉଦ୍ୟମ କରୁଥିବା ଅଭିଯୁକ୍ତ ସାଗରକୁ କାବୁ କରି ଥାନାରେ ଅଟକ ରଖିଛି। ପୁଲିସର ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନାନୁସାରେ ୫ବର୍ଷ ତଳେ ସାଗର ଓ ମାମା ପରସ୍ପରକୁ ଭଲ ପାଇ ବିବାହ କରିଥିଲେ। ତେବେ କିଛି ବର୍ଷ ପରେ ସାଗର କୌଣସି କାରଣକୁ ନେଇ ମାମାଙ୍କୁ ସନ୍ଦେହ କରିବା ଆରମ୍ଭ କଲା। ସେବେଠୁ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଲା। ଏହା ଭିତରେ ସେମାନଙ୍କ କୋଳକୁ ପୁଅଟିଏ ଆସିଲା। ତଥାପି ସେମାନଙ୍କ ପୂର୍ବ ସମ୍ପର୍କ ଫେରିଲା ନାହିଁ। ତେଣୁ ସାଗର ସ୍ତ୍ରୀ ଓ ପୁଅକୁ ନେଇ ଭରତପୁର ଚାଲି ଆସିଲା। ଏଠାରେ ରାଜମିସ୍ତ୍ରି ଭାବେ କାମ କଲା। କିଛି ଦିନ ଭଲରେ କଟିଲା। କିନ୍ତୁ ସାଗରର ସନ୍ଦେହୀ ଦୃଷ୍ଟି ମାମା ଉପରୁ ହଟିଲା ନାହିଁ। ତେଲ୍‌ଗୁ ବସ୍ତିରେ ଦେଢ଼ ବର୍ଷର ରହଣି ଭିତରେ ସେମାନଙ୍କ ଭିତରେ ବହୁଥର ଝଗଡ଼ା ହୋଇଥିବା ପଡ଼ୋଶୀମାନେ କହିଛନ୍ତି। ପଡ଼ୋଶୀମାନଙ୍କ କହିବା କଥା, ଆଜି ଅପରାହ୍ନରେ ପୁଣି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସାଗର ମାଡ଼ ମାରିବାରୁ ମାମା ପ୍ରତିରୋଧ କରିବାକୁ ଯାଇ ପନିକି ଉଠାଇଥିଲା। ତେଣୁ ସାଗର ମୁଣ୍ଡକୁ ପିତ୍ତ ଉଠିଯାଇଥିଲା। ମାମା ହାତରୁ ପନିକି ଛଡ଼ାଇବାକୁ ଯାଇ ସାଗର ଠେଲାପେଲା କରିଥିଲା। ଏମିତିକି ପନିକି ଛଡ଼ାଇ ସାଗର ମାମାକୁ ହାଣି ପକାଇଥିଲା। ଫଳରେ ମାମାଙ୍କ ଗୋଟିଏ ଆଙ୍ଗୁଠି କଟି ଯାଇଥିଲା। ମାମା ଆଙ୍ଗୁଠି ଧରି ବସିପଡ଼ିବା ବେଳେ ସାଗର ତାଙ୍କ ତଣ୍ଟି ଚିପି ଧରିଥିଲା। କିଛି ସମୟ ପରେ ହଠାତ୍ ଘର ଭିତରୁ କୌଣସି ଶବ୍ଦ ଶୁଣିବାକୁ ମିଳି ନଥିଲା ଏବଂ ସାଗର ଘରୁ ବାହାରି ପଳାଇଥିଲା। ତେଣୁ ପଡ଼ୋଶୀମାନେ ସନ୍ଦେହ କରି ଘର ଭିତରକୁ ଯାଇ ଦେଖିବା ବେଳକୁ ମାମା ନିଶ୍ଚଳ ହୋଇ ଚଟାଣରେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା।
ତେଣୁ ସେମାନେ ବଡ଼ଧରଣର ଅଘଟଣ ଘଟିଥିବା ଅନୁମାନ କରି ପୁଲିସକୁ ଖବର ଦେଇଥିଲେ। ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଥିଲା। ସେଠାରେ ଡାକ୍ତର ମାମାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମାମାଙ୍କ ମୃତଦେହକୁ ଶବ ସଂରକ୍ଷଣ ଗୃହରେ ରଖିବା ସହ ପରିବାର ଲୋକଙ୍କୁ ଖବର ଦେଇଛି। ସେମାନେ ଆସନ୍ତାକାଲି ଭୁବନେଶ୍ବର ଆସିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଏଣେ ଥାନାରେ ଅଟକ ଥିବା ସାଗର ପୁଲିସକୁ ମାମାର ଚରିତ୍ରକୁ ନେଇ ବିଭିନ୍ନ କଥା କହିଥିବା ଜଣାପଡ଼ିଛି। ତେବେ ତା’ କଥାରେ କେତେ ସତ୍ୟତା ରହିଛି, ସେନେଇ ପୁଲିସ ମୋବାଇଲ୍‌ରୁ ଖୋଳତାଡ଼ କରୁଛି।

Share Now:

Kalinga News Beuro

Next Post

ଦେଶର ସବୁଠାରୁ ଉତ୍ତପ୍ତ ସହର ଝାରସୁଗୁଡ଼ା

Wed Apr 19 , 2023
ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଖୁବ୍ ଅଧିକ ରହିଥିବା ବେଳେ ବର୍ତ୍ତମାନ ସ୍ଥିତିରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ରେକର୍ଡ କରାଯାଉଛି। ଗତ ୨୪ ଘଣ୍ଟାରେ ଦେଶରେ ଉତ୍ତପ୍ତ ସହର ଭାବେ ଝାରସୁଗୁଡ଼ା ଓ ବାରିପଦା ରେକର୍ଡ ହୋଇଛି ବୋଲି ପାଣିପାଗ ଵିଜ୍ଞାନୀ ଉମାଶଙ୍କର ଦାଶ ଗଣମାଧ୍ୟମରେ ନିଜର ବୟାନ ଦେଇ କହିଛନ୍ତି। କଟକ, ଭୁବନେଶ୍ୱର, ବାରିପଦା ଭଳି ସହରରେ ହିଟ୍‌ ୱେଭ୍ ସ୍ଥିତି ଜାରି ରହିଛି। […]
ଦେଶର ସର୍ବାଧିକ ଉତ୍ତପ୍ତ ସହର-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial