ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଇଡି ଜମି ମାଲିକ ଓ ସୁନା ବ୍ୟବସାୟୀଙ୍କୁ ଜେରା କରିପାରେ ବୋଲି ସୂଚନା ରହିଛି। ଶ୍ରଦ୍ଧାଞ୍ଜଳି, ଗାଡ଼ି ଚାଳକ ଚନ୍ଦନ ଓ ବିଜିନେସ୍ ପାର୍ଟନର ଖଗେଶ୍ୱରଙ୍କ ବୟାନ ଆଧାରରେ ତାଲିକା କରାଯାଇଥିବା ଏମାନଙ୍କୁ ଜେରା କରିବ ଇଡି। ଜେରା ପାଇଁ ଇଡି ଯେଉଁ ଦ୍ୱିତୀୟ ତାଲିକା ତିଆରି କରିଛି ସେଥିରେ ଜମି ମାଲିକ ଓ ସୁନା ବ୍ୟବସାୟୀଙ୍କ ସମେତ କେତେକ ରାଜନେତାଙ୍କ ନାଆଁ ଥିବା କୁହାଯାଉଛି। ସୂଚନାଯୋଗ୍ୟ, ଇଡି ପକ୍ଷରୁ ବ୍ୟାଙ୍କକୁ ମଗା ଯାଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ଗତ ୧୦ ମାସ ମଧ୍ୟରେ ଅର୍ଚ୍ଚନା, ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରଙ୍କ ମଧ୍ୟରେ ୫୦ ଲକ୍ଷ ଟଙ୍କାର ବ୍ୟାଙ୍କ କାରବାର ହୋଇଛି। ମାତ୍ର ୧୦ ମାସ ମଧ୍ୟରେ ଏତେ ଟଙ୍କା କାହିଁକି କାରବାର ହେଲା ତାହା ଇଡି ଜାଣିବାକୁ ଉଦ୍ୟମ ଆରମ୍ଭ କରିଛି।
ଖଗେଶ୍ୱର ରିମାଣ୍ଡରେ ଥିବାବେଳେ ଇଡି ଏଭଳି ତଥ୍ୟ ପାଇଛି। ତେବେ ଖଗେଶ୍ୱର ଇଡିକୁ ତଦନ୍ତରେ ସହଯୋଗ କରୁ ନ ଥିବା ଇଡିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହି କାରଣରୁ ଖଗେଶ୍ୱରଙ୍କୁ ପୁଣି ଥରେ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲା। ଜଗବନ୍ଧୁ ଓ ଅର୍ଚ୍ଚନା ରିମାଣ୍ଡରେ ଆସିଲେ ଖଗେଶ୍ୱରଠାରୁ ମିଳିଥିବା ତଥ୍ୟକୁ ନେଇ ଯାଞ୍ଚ କରାଯିବ। ଖଗେଶ୍ୱର ଇଡିକୁ କହିଛନ୍ତି ଯେ ହନିଟ୍ରାପ୍ ଟଙ୍କା ଅର୍ଚ୍ଚନା, ଜଗବନ୍ଧୁ ଏବଂ ତାଙ୍କ ମଧ୍ୟରେ ୩ ଭାଗ ହୋଇ ବଣ୍ଟା ଯାଉଥିଲା। ସେହିପରି ଅର୍ଚ୍ଚନାର ଦିଲ୍ଲୀ ଲିଙ୍କ୍ ନେଇ ମଧ୍ୟ ସୁରାକ ପାଇଛି ଇଡି। ଇଡିର ଏକ ସ୍ୱତନ୍ତ୍ର ଟିମ୍ ଦିଲ୍ଲୀ ଯିବାର ସମ୍ଭାବନା ରହିଛି।
ଅର୍ଚ୍ଚନା ନାଗ ମାମଲାରେ ଜମି ମାଲିକ ଓ ସୁନା ବ୍ୟବସାୟୀଙ୍କୁ ଜେରା କରିବ ଇଡି

Share Now: