ରାଜଧାନୀ ରାସ୍ତାରେ ବୀଭତ୍ସ ହତ୍ୟାକାଣ୍ଡ: ଘଟଣାସ୍ଥଳରୁ ହତ୍ୟାକାରୀକୁ କାବୁ କଲା ପୁଲିସ

ରାଜଧାନୀ ରାସ୍ତାରେ ବୀଭତ୍ସ ହତ୍ୟାକାଣ୍ଡ

ଭୁବନେଶ୍ବର : ରାଜଧାନୀରେ ସାମାନ୍ୟ ଗଣ୍ଡଗୋଳରୁ ଗଡ଼ୁଛି ମୁଣ୍ଡ। କଥା କଥା‌କେ କିଏ ହାଣି ଦେଉଛି ତ କିଏ ପଥରରେ ମୁଣ୍ଡକୁ ଛେଚି ଦେଉଛି। ଶନିବାର ସନ୍ଧ୍ୟାରେ ରାଜଧାନୀର କେନ୍ଦ୍ରସ୍ଥଳ ରାଜମହଲ-ଶିଶୁଭବନ ଛକର ସ୍ମାର୍ଟ ଜନପଥରେ ଜଣେ ଶ୍ରମିକ ଅନ୍ୟ ଜଣେ ସାଥୀକୁ କଂକ୍ରିଟ ଖଣ୍ଡରେ ଛେଚି ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକଙ୍କ ନାଁ ତ୍ରିନାଥ ବୋଲି ଜଣାପଡ଼ିଛି। କିନ୍ତୁ ତାଙ୍କର ଘର କିମ୍ବା ସମ୍ପୂର୍ଣ୍ଣ ପରିଚୟ ପୁଲିସକୁ ମିଳିପାରି ନାହିଁ। ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ନାରାୟଣ ସାହୁକୁ ପୁଲିସ ଅଟକ ରଖିଛି। ତା’ ଘର କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ବୋଲି ଜଣାପଡ଼ିଛି। ହତ୍ୟାରେ ବ୍ୟବହୃତ କଂକ୍ରିଟ ଖଣ୍ଡକୁ ପୁଲିସ ଜବତ କରିଛି। କ୍ୟାପିଟାଲ ଥାନା ପୁଲିସ ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜୁ କରିଥିବାବେଳେ ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ସପ୍ତାହେ ମଧ୍ୟରେ ରାଜଧାନୀର ରାସ୍ତାକଡ଼ରେ ୩ଟି ହତ୍ୟାକାଣ୍ଡ ଘଟିଲାଣି। ରାଜଧାନୀରେ ଏବେ ଲକଡାଉନ୍, ସଟଡାଉନ୍ ଚାଲିଥିବା ବେଳେ ଛକ ଛକରେ ପୁଲିସ ଜଗିଛି। ଚାରିଆଡ଼େ ପଇଁତରା ମାରୁଛି ପାଟ୍ରୋଲିଂ ଗାଡ଼ି। ଏସବୁ ସତ୍ତ୍ବେ କିପରି ରାଜରାସ୍ତା କଡ଼ରେ ତିନି ତିନିଟି ହତ୍ୟାକାଣ୍ଡ ଘଟିଲାଣି ତାହା ରାଜଧାନୀର ଆଇନଶୃଙ୍ଖଳା ଉପରେ ପ୍ରଶ୍ନଚିହ୍ନ ଲଗାଇଛି।
ମିଳିଥିବା ସୂଚନା ଅନୁସାରେ, ଶନିବାର ସନ୍ଧ୍ୟା ପ୍ରାୟ ୬ଟାରେ ସ୍ମାର୍ଟ ଜନପଥର ବାପୁଜୀନଗରର ଅପରପାର୍ଶ୍ବରେ ଥିବା ସରକାରୀ କ୍ବାର୍ଟର୍ସ ଆଗରେ ଜଣେ ଯୁବକ ଅନ୍ୟ ଜଣଙ୍କୁ ପଥରରେ ନିର୍ମମ ଭାବେ ଛେଚି ଚାଲିଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହି ବାଟ ଦେଇ ଯାଉଥିବା ଲୋକ ମଧ୍ୟ ଏହି ଛାତିଥରା ଦୃଶ୍ୟକୁ ଦେଖି କିଛି ସମୟ ପାଇଁ ସ୍ତବ୍ଧ ହୋଇ ଯାଇଥିଲେ। ବ୍ୟକ୍ତି ଜଣକ ଘଟଣା ସମ୍ପର୍କରେ ପୁଲିସ କଣ୍ଟ୍ରୋଲ ରୁମକୁ ଖବର ଦେବାରୁ କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ପିସିଆର୍‌ ଭ୍ୟାନ୍‌ ପହଞ୍ଚି ହତ୍ୟାକାରୀ ନାରାୟଣକୁ କାବୁ କରିଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତ୍ରିନାଥଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଟଙ୍କା ଭାଗବଣ୍ଟାରୁ ପ୍ରାଣ ଗଲା
ତ୍ରିନାଥ ଓ ନାରାୟଣ ଉଭୟ ଲୋଡିଂ, ଅନଲୋଡିଂ ଠିକା ଶ୍ରମିକ ଭାବେ କାମ କରନ୍ତି। ପ୍ରାୟ ୭ ମାସ ହେଲା ଉଭୟଙ୍କ ମଧ୍ୟରେ ଚିହ୍ନା ପରିଚୟ ରହିଛି। ସେମାନେ ଯେଉଁ ଅଞ୍ଚଳରେ କାମ କରନ୍ତି; ସେଠାରେ ଫୁଟପାଥ କିମ୍ବା ଦୋକାନ ବାରଣ୍ଡା ଦେଖି ଶୋଇ ପଡ଼ନ୍ତି। ପ୍ରାୟ ୫ ଦିନ ତଳେ ସେମାନେ ଗୋଟିଏ ଜାଗାକୁ କାମ କରିବାକୁ ଯାଇଥିଲେ। ନାରାୟଣ ସେଠାରୁ ଟଙ୍କା ଆଣିଥିଲା। ଏହି ଟଙ୍କା ସମାନ ଭାବରେ ନ ବାଣ୍ଟି ନାରାୟଣ କୁଆଡ଼େ ଅଧିକ ନେଇ ଯାଇଥିଲା। ତ୍ରିନାଥଙ୍କୁ କମ୍ ଟଙ୍କା ଦେଇଥିଲା। ଗତକାଲି ଆଉ ଏକ କାମ ମିଳିବାରୁ ନାରାୟଣ ତ୍ରିନାଥକୁ ଡାକିଥିଲା। କିନ୍ତୁ ତ୍ରିନାଥ ଯିବ ବୋଲି ହଁ କରିଥିଲେ ମଧ୍ୟ ଯାଇ ନ ଥିଲା। ନାରାୟଣ ଅନ୍ୟ ଜଣଙ୍କୁ ନେଇ କାମକୁ ଯାଇଥିଲା। ଶନିବାର ସନ୍ଧ୍ୟାରେ ଉଭୟ ସେଠାରେ ଏକାଠି ବସିଥିଲେ। ଗତକାଲି ତ୍ରିନାଥ ହଁ ମାରିବା ପରେ କାହିଁକି କାମକୁ ଗଲା ନାହିଁ ବୋଲି ନାରାୟଣ ପଚାରିଥିଲା। ସେହି କଥାରୁ ଆରମ୍ଭ ହୋଇଥିଲା ବଚସା। ପୂର୍ବ କାମର ପୂରା ଟଙ୍କା ନ ମିଳିବାରୁ ତ୍ରିନାଥ ଯାଇ ନ ଥିବା ରୋକଠୋକ୍ ଶୁଣାଇ ଦେଇଥିଲା। ଉଭୟଙ୍କ ମଧ୍ୟରେ ବଚସା ଉଗ୍ରରୂପ ନେବାରୁ ନିକଟରେ ଇଟା ସହ କଂକ୍ରିଟ ମିଶା ପଡ଼ିଥିବା ଖଣ୍ଡକୁ ନାରାୟଣ ଧରି ତ୍ରିନାଥଙ୍କ ମୁଣ୍ଡକୁ ଛେଚି ଦେଇଥିଲା। ଆଉ ସେଠାରେ ହିଁ ତ୍ରିନାଥଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

Share Now:

Kalinga News Beuro

Next Post

ସାରାରାଜ୍ୟକୁ ଲମ୍ବିଛି ନକଲି ଔଷଧ ଚେର

Mon Jun 14 , 2021
ପରୀକ୍ଷଣ, ରିପୋର୍ଟ ଆଳରେ ମାମଲା ପ୍ରଭାବିତ ହେବା ଆଶଙ୍କା! କଟକ : କରୋନା କାଳରେ ନକଲି ଔଷଧ କାରବାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କଟକରୁ ୭୦ ଲକ୍ଷ ଟଙ୍କାର ଔଷଧ ଜବତ ହେବାପରେ ରାଜ୍ୟର କେତେକ ସ୍ଥାନରେ ଯେଉଁ ଚଢ଼ାଉ କରାଯାଇଥିଲା, ସେଥିରୁ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ନକଲି କାରବାରର ଚେର କଟକରୁ ସାରାରାଜ୍ୟକୁ ଲମ୍ବିଥିବା ସ୍ପଷ୍ଟ ହେବାରେ ଲାଗିଛି। ଗତ ଶୁକ୍ରବାର ଦିନ କଟକ ତୁଳସୀପୁର […]
ସାରାରାଜ୍ୟକୁ ଲମ୍ବିଛି ନକଲି ଔଷଧ ଚେର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial