ଝାରପଡ଼ା ଜେଲ୍‌ରେ ବିଷାକ୍ତ ନିଶାଖାଇ କଏଦୀ ଗୁରୁତର

ଭୁବନେଶ୍ୱର : ଗତକାଲି ରାତିରେ ଝାରପଡ଼ା ଜେଲ୍‌ରେ ଜଣେ ବିଚାରାଧୀନ କଏଦୀ ନିଶା ସେବନ କରି ଗୁରୁତର ହୋଇଥିବା ଜଣାପଡ଼ିଛି। ଗଞ୍ଜେଇ ଟାଣି ଗୁରୁତର ହୋଇଥିବା ଏହି କଏଦୀ ହେଲା ରଞ୍ଜନ ବେହେରା (୧୯)। ତାକୁ କର୍ତ୍ତୃପକ୍ଷ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଛନ୍ତି। କେବଳ ଗଞ୍ଜେଇ ନିଶାରେ ସେ ଏଭଳି ଗୁରୁତର ହୋଇନାହାନ୍ତି, ଗଞ୍ଜେଇ ସହିତ ସେ ବ୍ରାଉନ୍‌ସୁଗାର ଭଳି କିଛି ବଡ଼ ନିଶା ସେବନ କରି ଗୁରୁତର ହୋଇଥିବା ଚର୍ଚ୍ଚା ହେଉଛି। ଖବରକୁ ଚାପି ଦେବାକୁ ଜେଲ୍‌ କର୍ତ୍ତୃପକ୍ଷ ଯଥାସମ୍ଭବ ଚେଷ୍ଟା କରିଥିଲେ ବି ତାହା ସମ୍ଭବ ହୋଇନାହିଁ। ତେଣୁ ଅଡ଼ୁଆରେ ପଡ଼ିଯାଇଛନ୍ତି ଜେଲ୍‌ କର୍ତ୍ତୃପକ୍ଷ। କିଛିଦିନ ପୂର୍ବେ ଜଣେ ବିଚାରପତି ଜେଲ୍‌ ପରିଦର୍ଶନ କଲାବେଳେ ଉଦ୍‌ବେଗ ପ୍ରକାଶ କରିଥିଲେ। ଜେଲ୍‌ ଭିତରେ ବେଧଡ଼କ ନିଶା କାରବାର ହେଉଛି। ତା’ ଉପରେ କର୍ତ୍ତୃପକ୍ଷ କଡ଼ା ନଜର ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏବେ ଘଟଣାଟି ସତ ପ୍ରମାଣିତ ହୋଇଥିବାରୁ ଜେଲ୍‌ କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧା ବଢ଼ିଯାଇଛି। ତେଣୁ ଏହି ଘଟଣା ତାଙ୍କ ନଜରକୁ ଆସିନାହିଁ ବୋଲି ଜେଲର୍‌ ସଫେଇ ଦେଇଛନ୍ତି। ଗତକାଲି ରାତି ପ୍ରାୟ ୮ଟା ବେଳେ ବିଚାରାଧୀନ କଏଦୀ ରଞ୍ଜନ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା। ଛାତିକୁ ଚାପି ଧରି ଯନ୍ତ୍ରଣାରେ ଛଟପଟ ହୋଇଥିଲା। ତା’ ପାଖରେ ରହୁଥିବା କଏଦୀମାନେ ତୁରନ୍ତ ୱାର୍ଡର୍‌ଙ୍କୁ ଜଣାଇଥିଲେ। ରଞ୍ଜନ ଗଞ୍ଜେଇ ଟାଣିଥିଲା ବୋଲି ୱାର୍ଡର୍‌ଙ୍କୁ ଜଣେ କଏଦୀ କହିଥିଲେ। କିନ୍ତୁ କେବଳ ଗଞ୍ଜେଇ ସେବନ କରି ଏମିତି ଛଟପଟ ହେବା ନଜିର ନଥିବାରୁ ୱାର୍ଡର୍‌ଙ୍କର ସନ୍ଦେହ ହୋଇଥିଲା। ଗଞ୍ଜେଇ ସହ ସେ ଆଉ କିଛି ବିଷାକ୍ତ ନିଶା ସେବନ କରିଥିବା ସନ୍ଦେହ ହୋଇଥିଲା। ୱାର୍ଡର୍‌ଙ୍କ ଏହି ସନ୍ଦେହ ସହ ଜେଲ୍‌ ଡାକ୍ତରଙ୍କ ସନ୍ଦେହ ମେଳ ଖାଇଥିଲା। ତେଣୁ ଜେଲ୍‌ ଡାକ୍ତରଙ୍କ ପରାମର୍ଶକ୍ରମେ ରଞ୍ଜନକୁ ତୁରନ୍ତ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।
ଝାରପଡ଼ା ଜେଲ୍‌ରେ ନିଶା କାରବାର ହେଉଥିବା କିଛି ନୂଆକଥା ନୁହେଁ। ପୂର୍ବରୁ ଏଠାରୁ ଚଢ଼ଉ କରି ଏକାଧିକ ଥର ବିପୁଳ ନିଶାଦ୍ରବ୍ୟ ଜବତ କରା ଯାଇଛି। ତେବେ କେବଳ ଝାରପଡ଼ା ନୁହେଁ, ଓଡ଼ିଶାର ବହୁ ଜେଲ୍‌ରେ ନିଶାଦ୍ରବ୍ୟ ପଶୁଥିବା ଉଦାହରଣ ରହିଛି। ଗତ ସପ୍ତାହରେ ଖୋର୍ଦ୍ଧା ଜେଲ୍‌ରେ ଚଢ଼ଉ ହୋଇଥିଲା ଏବଂ ବିପୁଳ ନିଶାଦ୍ରବ୍ୟ ଜବତ କରାଯାଇଥିଲା। ଜେଲ୍‌କୁ ନିଶା ଯୋଗାଣ କରୁଥିବା ଅଭିଯୋଗରେ ପୁଲିସ ଜଣେ ମହିଳାଙ୍କ ସମେତ ୬ ଜଣଙ୍କୁ ବାନ୍ଧିଥିଲା। ନିଶା ଯୋଗାଣ ପଛରେ କିଛି କର୍ମଚାରୀଙ୍କର ପ୍ରଚ୍ଛନ୍ନ ହାତ ରହିଛି ବୋଲି ପୂର୍ବରୁ ଅଭିଯୋଗ ହୋଇଆସିଛି। କଡ଼ା କଟକଣା ଭିତରେ କଏଦୀମାନଙ୍କ ପାଖରେ ନିଶା ପହଞ୍ଚିପାରୁଥିବାରୁ ଜେଲ୍‌ କର୍ତ୍ତୃପକ୍ଷଙ୍କ ଅଗୋଚରରେ ଏହା ହେଉଛି ବୋଲି କେହି ବିଶ୍ୱାସ କରିବେ ନାହିଁ। କାରଣ ଜେଲ୍‌ ଭିତରକୁ ବିଚାରାଧୀନ କଏଦୀଙ୍କ ପାଖକୁ ଯାଉଥିବା ସବୁ ଜିନିଷପତ୍ରକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଇଥାଏ। ତେଣୁ ଜେଲ୍‌ କର୍ମଚାରୀମାନେ ଜାଣିଶୁଣି ନିଶା କାରବାରକୁ ପ୍ରୋତ୍ସାହନ ଦେଇଥାଆନ୍ତି ବୋଲି ଅଭିଯୋଗ ରହିଛି। ଏସବୁ ଜେଲ୍‌ ଭିତରର ସୁରକ୍ଷାକୁ ପ୍ରଶ୍ନ କରୁଛି।

Share Now:

Kalinga News Beuro

Next Post

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ

Mon Mar 4 , 2024
ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ। ରାଜନୀତି ସରଗରମ। Share Now:

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial