ତେଲ ପ୍ୟାକେଟ୍‌ରେ ଠକାମୀ : ହାଇକୋର୍ଟ ଯିବ ଓଡ଼ିଶା ବ୍ୟବସାୟୀ ମହାସଂଘ

ତେଲ ପ୍ୟାକେଟ୍‌ରେ ଧୋକା

୯୧୦ ଗ୍ରାମ୍‌ ବଦଳରେ ୮୫୦ରୁ କମ୍‌ ରହୁଛି

ଭୁବନେଶ୍ବର: ଖାଇବା ତେଲର ପାଉଚ୍‌ କିଣିବା ବେଳେ ଗ୍ରାହକମାନେ ଯେତିକି ଟଙ୍କା ଗଣୁଛନ୍ତି ତାଙ୍କୁ ସେତିକି ତେଲ ମିଳୁନାହିଁ। ଏକ ଲିଟର ପାଉଚ୍‌ର ଓଜନ ୯୧୦ ଗ୍ରାମ ରହିବା କଥା। ମାତ୍ର ରାଜ୍ୟରେ ବିକ୍ରି ହେଉଥିବା କେତେକ ଖାଇବା ତେଲ ପାଉଚ୍‌ର ଓଜନ ୮୫୦ ଗ୍ରାମରୁ ବି କମ୍ ରହୁଛି। ଏହାକୁ ନେଇ ଓଡ଼ିଶା ବ୍ୟବସାୟୀ ମହାସଂଘ ଚିନ୍ତା ପ୍ରକଟ କରିବା ସହ ଖାଉଟି ଅଦାଲତର ଦ୍ବାରସ୍ଥ ହୋଇଛି। କମ୍ ଓଜନର ତେଲ ବିକ୍ରି କରୁଥିବା ବିଭିନ୍ନ କଂପାନି ବିରୋଧରେ ଭୁବନେଶ୍ବରର ଖାଉଟି ଅଦାଲତରେ ମାମଲା ରୁଜୁ କରାଯାଇଛି। ଆସନ୍ତା ୨-୩ ଦିନ ମଧ୍ୟରେ ଏନେଇ ହାଇକୋର୍ଟରେ ମାମଲା ରୁଜୁ କରାଯିବ ବୋଲି ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି। ହାଇକୋର୍ଟରେ ରୁଜୁ କରାଯିବାକୁ ଥିବା ମାମଲାରେ ବିଭିନ୍ନ କଂପାନିକୁ ପକ୍ଷଭୁକ୍ତ କରାଯିବ। ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି ଯେ ସର୍ବଭାରତୀୟ ସ୍ତରରେ ଖାଇବା ତେଲକୁ ନେଇ ଏକ ନିର୍ଦ୍ଦିଷ୍ଟ ମାନକ ଧାର୍ଯ୍ୟ କରିବା ଲାଗି‌ କୋର୍ଟଙ୍କୁ ନିବେଦନ କରାଯାଇଛି। ଯେଉଁ ଖାଇବା ତେଲ ପାଉଚ୍‌ଗୁଡ଼ିକର ଓଜନ ୮୫୦ ଗ୍ରାମରୁ କମ୍ ସେଗୁଡ଼ିକୁ ନରଖିବା ଲାଗି ଡିଲର ଓ ବିତରକମାନଙ୍କୁ ମହାସଂଘ ପକ୍ଷରୁ ଆହ୍ବାନ ଦିଆଯାଇଛି। ବିଶେଷ କରି ପାମୋଲିନ ତେଲର ଓଜନରେ ଅଧିକ ତାରତମ୍ୟ ରହୁଥିବା ଜଣାପଡ଼ିଛି। ପାଉଚ୍‌ରେ ୮୭୦ ଗ୍ରାମ ଲେଖା ହୋଇଥିବା ତେଲ କିଣିବା ଲାଗି ମହାସଂଘ ପକ୍ଷରୁ ଗ୍ରାହକଙ୍କୁ କୁହାଯାଇଛି। ଏହା ପଛର ଆଭିମୁଖ୍ୟ ସମ୍ପର୍କରେ କୁହାଯାଇଛି ଯେ ଯେହେତୁ ଏବେ ୯୧୦ ଗ୍ରାମ ଲେଖାଥିବା ପାଉଚ ବିଶେ‌ଷ ଉପଲବ୍ଧ ନାହିଁ, ତେଣୁ ସେଗୁଡ଼ିକର ବିକ୍ରି କିମ୍ବା କିଣାକିଣିକୁ ରୋକିବା ଲାଗି ଆହ୍ବାନ ଦେଲେ ବଜାରରେ ଖାଇବା ତେଲର ଅଭାବ ଦେଖାଦେବ। ଏହାଦ୍ବାରା ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ। କିନ୍ତୁ କଂପାନିଗୁଡ଼ିକ ଯେଭଳି ଗ୍ରାହକମାନଙ୍କୁ ସଠିକ ଓଜନର ଖାଇବା ତେଲ ଦେବା ଉପରେ ଧ୍ୟାନ ଦେବେ ତାହାକୁ ସୁନିଶ୍ଚିତ କରିବା ଲାଗି କୋର୍ଟଙ୍କ ସହାୟତା ଲୋଡ଼ାଯାଇଛି।
ସାରା ଦେଶରେ ବର୍ଷକୁ ୧ କୋଟି ୯୦ ଲକ୍ଷ ଟନ୍‌ରୁ ଅଧିକ ଖାଇବା ତେଲ ବିକ୍ରି ହେଉଥିବା ବେଳେ ସେଥିରୁ ୫.୬୦ ଲକ୍ଷ ଟନ୍ ତେଲ ଓଡ଼ିଶାରେ ବିକ୍ରି ହେଉଛି। ଓଡ଼ିଶା ହେଉଛି ଦୁଇ ପ୍ରକାର ତେଲ ବ୍ୟବହାର କରୁଥିବା ରାଜ୍ୟ। ଏହାର ଅର୍ଥ ହେଉଛି ଲୋକଙ୍କ ଘରେ ଦୁଇଟି ଭିନ୍ନ ଭିନ୍ନ ଖାଇବା ତେଲ ରହୁଛି। ଗୋଟିଏକୁ ସ୍ବାଦ ଏବଂ ଅନ୍ୟଟିକୁ ଛାଣିବା ଉଦ୍ଦେଶ୍ୟରେ ଲୋକମାନେ ବ୍ୟବହାର କରୁଛନ୍ତି। ସ୍ବାଦ ଲାଗି ସେମାନେ ସୋରିଷ ତେଲକୁ ବାଛିଥିବା ବେଳେ ଛାଣିବା ଏବଂ ଅନ୍ୟାନ୍ୟ ରୋଷେଇ ଲାଗି ପାମୋଲିନ କିମ୍ବା ସନଫ୍ଲାୱାର କିମ୍ବା ରାଇସ୍‌ ବ୍ରାନ୍ ତେଲକୁ ଚୟନ କରୁଛନ୍ତି।

Share Now:

Kalinga News Beuro

Next Post

ନଭେମ୍ବର ୨୧ରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ନିର୍ବାଚନ

Tue Nov 14 , 2023
ଭୁବନେଶ୍ବର: ନଭେମ୍ବର ୨୧ ତାରିଖରେ ହେବ ଓଡ଼ିଶା ବିଧାନସଭାର ଉପବାଚସ୍ପତି ନିର୍ବାଚନ। ୨୧ ତାରିଖ ସକାଳ ୯ଟା ୩୦ରେ ଉପବାଚସ୍ପତି ନିର୍ବାଚନ ହେବାନେଇ ସମସ୍ତ ସଦସ୍ୟଙ୍କୁ ଚିଠି ଜରିଆରେ ସୂଚୀତ କରିଛନ୍ତି ବିଧାନସଭା ସଚିବ। ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଏହି ପଦ।ସୂଚନାଯୋଗ୍ୟ, ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ କିଛି ଦିନ ତଳେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ସେ ବାଚସ୍ପତିଙ୍କୁ ଭେଟି ନିଜ ଇସ୍ତଫାପତ୍ର ଦେଇଥିଲେ। […]
ନଭେମ୍ବର ୨୧ରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ନିର୍ବାଚନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial