ଗାଁରେ ପଶିଲା କ୍ରିକେଟ୍‌ ପଡ଼ିଆ ପିଟାପିଟି : ରଣକ୍ଷେତ୍ର ପାଲଟିଲା ପଦ୍ମକେଶରପୁର

ରଣକ୍ଷେତ୍ର ପାଲଟିଲା ପଦ୍ମକେଶରପୁର

ଉଭୟ ପକ୍ଷର ୧୦ ଆହତ, ୨ ପ୍ଲାଟୁନ୍‌ ପୁଲିସ ମୁତୟନ

ଚନ୍ଦ୍ରଶେଖରପୁର: ୩ ଦିନ ତଳେ କ୍ରିକେଟ୍‌ ପଡ଼ିଆରେ ପିଲାମାନେ ପିଟାପିଟି ହୋଇଥିଲେ। କ୍ରିକେଟ୍‌ ପଡ଼ିଆର ପିଟାପିଟି ଶେଷରେ ଆଜି ଗାଁକୁ ପଶିଆସିଥିଲା। ପତିଆରା ବଜାୟ ରଖିବାକୁ ଗୋଟିଏ ସାହିର ଲୋକେ ପ୍ରତିଶୋଧପରାୟଣ ହୋଇ ମିଳିତ ଭାବେ ଅନ୍ୟ ସାହି ଉପରେ ଆକ୍ରମଣ କଲେ। ପ୍ରତିପକ୍ଷ ବି ପ୍ରତିଆକ୍ରମଣ କଲେ। ଉଭୟ ପକ୍ଷ ଠେଙ୍ଗାବାଡ଼ିରେ ପିଟାପିଟି ହେବା ସହ ଢେଲା ପଥର ଫୋପଡ଼ା ଫୋପଡ଼ି ହେଲେ। ପୁରୁଷମାନଙ୍କ ସହ ମହିଳା, ଏମିତିକି ଛୋଟ ପିଲାମାନେ ବି ଦାଣ୍ଡକୁ ବାହାରି ଆସି ଗଣ୍ଡଗୋଳରେ ସାମିଲ ହୋଇଗଲେ। ପ୍ରାୟ ଘଣ୍ଟାକ ପାଇଁ ମଞ୍ଚେଶ୍ୱର ଥାନା ଇଞ୍ଜିଣା ପଞ୍ଚାୟତର ପଦ୍ମକେଶରପୁର ଗାଁ ଦାଣ୍ଡ ରଣକ୍ଷେତ୍ର ପାଲଟିଗଲା। ଉଭୟ ପକ୍ଷରୁ ୧୦ରୁ ଅଧିକ ଲୋକ ଆହତ ହେଲେ। ଏବେ ବି ଗାଁରେ ଉତ୍ତେଜନା ଲାଗିରହିଛି ଏବଂ ୨ ପ୍ଲାଟୁନ୍‌ ପୁଲିସ ଗାଁକୁ ଜଗି ରହିଛନ୍ତି। ସନ୍ଧ୍ୟାରେ ଶାନ୍ତି କମିଟି ବସି ଉଭୟ ପକ୍ଷଙ୍କ ସହ ଆଲୋଚନା କରୁଥିବା ଜଣାପଡ଼ିଛି। ଏଣେ ପୁଲିସ ମଧ୍ୟ କାହାକୁ ଗିରଫ କରିନାହିଁ। ତେବେ ଘଟଣା ପଛରେ କ୍ରିକେଟ୍‌ ଖେଳ ପିଟାପିଟି କେବଳ ବାହାନା ବୋଲି କୁହାଯାଉଛି। ଏହା ପଛରେ ପୁରୁଣା ରାଜନୈତିକ ଶତ୍ରୁତା ବଡ଼ କାରଣ ବୋଲି ଚର୍ଚ୍ଚା ହେଉଛି।
ଆଜି ସକାଳ ପ୍ରାୟ ୯ଟା ବେଳେ ପଦ୍ମକେଶରପୁର ହଠାତ୍ ଅଶାନ୍ତ ହୋଇପଡ଼ିଥିଲା। ଗୋଟିଏ ସାହିର ଶତାଧିକ ପୁରୁଷ ଓ ମହିଳା ହାତରେ ଠେଙ୍ଗାବାଡ଼ି ଧରି ପାଖ ସାହିକୁ ମାଡ଼ି ଯାଇଥିଲେ। ସେମାନଙ୍କ ସହ ଛୋଟ ପିଲାମାନେ ବି ଟେକାପଥର ଧରି ମାଡ଼ି ଆସିଥିଲେ। ସେମାନେ ପ୍ରତିପକ୍ଷ ସାହି ଭିତରେ ପଶି ଲୋକଙ୍କୁ ଅତର୍କିତ ଆକ୍ରମଣ କରିବା ସହ କିଛି ଲୋକଙ୍କ ଘରେ ପଶି ଭଙ୍ଗାରୁଜା କରିଥିଲେ। ଏମିତିକି ରୋଷେଇ କରୁଥିବା ଜଣେ ମହିଳାଙ୍କୁ ଚୁଲିମୁଣ୍ଡରୁ ଟେକି ନେଇ ଦାଣ୍ଡରେ କଚାଡ଼ି ଦେଇଥିଲେ। ଆକ୍ରମଣ ପାଇଁ ପ୍ରସ୍ତୁତ ନଥିବା ଉକ୍ତ ସାହିର ଲୋକେ କିନ୍ତୁ ସଙ୍ଗେସଙ୍ଗେ ପ୍ରତିଆକ୍ରମଣ କରିବା ଆରମ୍ଭ କଲେ। ଏମିତି ମୁହାଁମୁହିଁ ଅବସ୍ଥାରେ ଦୁଇ ପକ୍ଷରୁ ୧୦ରୁ ଅଧିକ ଆହତ ହୋଇଥିଲେ। ଖବର ପାଇ ମଞ୍ଚେଶ୍ୱର ଥାନା‌ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ଏତେ ଲୋକଙ୍କ ପିଟାପିଟି ଓ ଢେଲାମାଡ଼ ଦେଖି ପଛଘୁଞ୍ଚା ଦେଲା। ଦୁଇ ପକ୍ଷଙ୍କ ଭିତରେ ପ୍ରବଳ ଢ଼େଲାମାଡ଼ ଚାଲିଥିବାରୁ ପୁଲିସ ପ୍ରଥମେ ଭିତରେ ପଶି ପାରି ନଥିଲା। ଶେଷରେ ୫ ଓ ୬ ନମ୍ବର ଜୋନ୍‌ ଏସିପିଙ୍କ ସହିତ ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନାର ଅଧିକାରୀମାନେ ୨ ପ୍ଲାଟୁନ୍ ପୁଲିସ୍ ଧରି ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ଦୁଇ ପକ୍ଷର ଗଣ୍ଡଗୋଳକାରୀମାନେ ଛତ୍ରଭଙ୍ଗ ଦେଇସାରିଥିଲେ। ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ, ଗତ ବୁଧବାର ଦିନ ପଟିଆ ଷ୍ଟେସନ୍ ହାଟ ପଡ଼ିଆରେ ପଦ୍ମକେଶରପୁର ଗାଁ ପିଲାଙ୍କ ମଧ୍ୟରେ କ୍ରିକେଟ୍ ଖେଳ ହେଉଥିଲା। ହାରିଯାଇଥିବା ପିଲାମାନେ ରାଗରେ ଅମ୍ପାୟାରଙ୍କୁ ମାଡ଼ ମାରିଥିଲେ। ଏହି ଘଟଣାକୁ ନେଇ ଦୁଇ ସାହିର ପିଲାଙ୍କ କଳି ଶେଷରେ ବଡ଼ଲୋକଙ୍କୁ ଡେଇଁଥିଲା। ଏମିତିକି ଏହି କ୍ରିକେଟ୍‌ କଳି ରାଜନୈତିକ ରୂପ ନେବାକୁ ଆରମ୍ଭ କଲା। ଗତ ପଞ୍ଚାୟତ ନିର୍ବାଚନ ବେଳର ଗଣ୍ଡଗୋଳ ସେଥିରେ ପଶିଗଲା। ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ସରପଞ୍ଚଙ୍କ ନିକଟକୁ କିଛି ଲୋକ ଯାଇଥିଲେ। ଏମିତିକି ମଞ୍ଚେଶ୍ୱର ଥାନା ପୁଲିସ୍‌କୁ ମଧ୍ୟ ଏନେଇ ସୂଚନା ଦିଆଯାଇଥିଲା। କିନ୍ତୁ ପୁଲିସ ଠିକଣା ସମୟରେ ପଦକ୍ଷେପ ଗ୍ରହଣ କଲାନାହିଁ। ତେଣୁ ଆଜି ସକାଳୁ ବଡ଼ଧରଣର ଗଣ୍ଡଗୋଳ ଘଟିଗଲା।

Share Now:

Kalinga News Beuro

Next Post

ୟୁକ୍ରେନର ଡାନୁବ ବନ୍ଦର ଉପରେ ଡ୍ରୋନ ଆକ୍ରମଣ କଲା ରୁଷ୍

Sun Sep 3 , 2023
ମସ୍କୋ : କୃଷ୍ଣ ସାଗରରେ ଥିବା ୟୁକ୍ରେନର ଡାନୁବ ବନ୍ଦର ଉପରେ ଭୟଙ୍କର ଡ୍ରୋନ ଆକ୍ରମଣ କରିଛି ରୁଷିଆ। ରୁଷ ସେନା ଏକାସାଙ୍ଗରେ ୨୫ଟି ଡ୍ରୋନ୍ ମାଧ୍ୟମରେ ୟୁକ୍ରେନ ବନ୍ଦରକୁ ଟାର୍ଗେଟ କରିଥିଲା। ଏହି ଆକ୍ରମଣରେ ଡାନୁବ ବନ୍ଦର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ସମୟରେ ୨ ଜଣ ଗୁରୁତର ଆହତ ହୋଇଥିଲେ। ଏହି ଆକ୍ରମଣ ପରେ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ୍ସ (ଟ୍ୱିଟର) ଉପରେ ଡ୍ରୋନ ଆକ୍ରମଣର ଫଟୋ […]
ୟୁକ୍ରେନର ଡାନୁବ ବନ୍ଦର ଉପରେ ଡ୍ରୋନ ମାଧ୍ୟମରେ ଆକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial