ମାମଲା କୋହଳ କରିବାକୁ ଲାଞ୍ଚ : ପୂର୍ବତନ ଭଷ୍ମା ଥାନାଧିକାରୀଙ୍କୁ ୨ ବର୍ଷ ଜେଲ୍

ପୂର୍ବତନ ଭଷ୍ମା ଥାନାଧିକାରୀଙ୍କୁ ୨ ବର୍ଷ ଜେଲ୍

ସୁନ୍ଦରଗଡ଼: ଏକ ଲାଞ୍ଚ ମାମଲାର ଶୁଣାଣି କରି ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଭଷ୍ମା ଥାନାର ପୂର୍ବତନ ପୁଲିସ ଅଧିକାରୀ ତଥା ଅଧୁନା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦାଦରାଘାଟି ଫାଣ୍ଡି ଏସଆଇ ଭାବେ କାର୍ଯ୍ୟରତ ସୁଜିତ କୁମାର ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୨ ବର୍ଷ ଜେଲ୍ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ ହୋଇଛି। ଜରିମାନା ଅନାଦାୟ ହେଲେ ଜେଲଦଣ୍ଡ ୧ ମାସ ବୃଦ୍ଧି ହେବ ବୋଲି କୋର୍ଟ ଆଦେଶରେ ଉଲ୍ଲେଖ କରିଛନ୍ତି। ପୁଲିସ ଅଧିକାରୀଙ୍କ ଘର ଅନୁଗୁଳ ସହର ତୁରଙ୍ଗାରେ। ୨୦୦୭ ଜୁଲାଇ ୧୮ରେ ସୁନ୍ଦରଗଡ଼ ସହରର ମହାନ୍ତିପଡ଼ାର ତ୍ରିବିକ୍ରମ ବକ୍ସିଙ୍କ ପୁଅଙ୍କ ନାମରେ ଥିବା ଏକ ମାମଲା କୋହଳ କରିବାକୁ ତତ୍କାଳୀନ ଥାନାଧିକାରୀ ସୁଜିତ କୁମାର ସାହୁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ସୁନ୍ଦରଗଡ଼ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତେବେ ମାମଲାର ବିଚାର ଚାଲିଥିବା ବେଳେ ଏକ ରୋଚକ ଘଟଣା ଘଟିଥିଲା। ସମସ୍ତଙ୍କୁ ଚକିତ କରି ଅଭିଯୋଗକାରୀ ତ୍ରିବିକ୍ରମ କୋର୍ଟରେ ବୟାନ ବଦଳାଇଥିଲେ। ଲାଞ୍ଚ ସମ୍ପର୍କରେ କିଛି ଜାଣି ନଥିବା କି ଲାଞ୍ଚ ଦେଇ ନଥିବା ସେ କହିଥିଲେ। କିନ୍ତୁ କୋର୍ଟ ତାକୁ ଗ୍ରହଣ ନକରି ଅଭିଯୁକ୍ତ ପୁଲିସ ଅଧିକାରୀଙ୍କୁ ଦଣ୍ଡିତ କରିଥିଲେ। ଅନେକ ସମୟରେ ଅଭିଯୋଗକାରୀଙ୍କୁ ଅଭିଯୁକ୍ତ ପ୍ରଭାବିତ କରି ବୟାନ ବଦଳାଇ ମାମଲାକୁ ନିଜ ପକ୍ଷରେ ନେବାକୁ ଉଦ୍ୟମ କରୁଥିବା ଦେଖାଯାଇଛି।
ତେବେ ଅଭିଯୋଗକାରୀ ଉଦ୍ଦେଶ୍ୟମୂଳକ ଭାବେ ବୟାନ ବଦଳାଉଥିବା କୋର୍ଟ ହୃଦୟଙ୍ଗମ କଲେ ଅଭିଯୁକ୍ତ ଛାଡ଼ ପାଇବା ଅସମ୍ଭବ। ଶୁକ୍ରବାର ପୁଲିସ ଅଧିକାରୀଙ୍କୁ ଜେଲ୍ ଦଣ୍ଡ ଶୁଣାଇ ତାର ଦୃଷ୍ଟାନ୍ତ ରଖିଛନ୍ତି କୋର୍ଟ। ସୁନ୍ଦରଗଡ଼ ପୂର୍ବତନ ଭିଜିଲାନ୍ସ ନିରୀକ୍ଷକ ପରମେଶ୍ୱର କିସାନଙ୍କ ନେତୃତ୍ୱରେ ଝାରସୁଗୁଡ଼ା ଭିଜିଲାନ୍ସ ନିରୀକ୍ଷକ ଧୀରେନ୍ଦ୍ର କୁମାର ଦାସ ମାମଲାର ତଦନ୍ତ କରି କୋର୍ଟର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲେ। ସ୍ୱତନ୍ତ୍ର ଭିଜିଲାନ୍ସ ପିପି ଶ୍ୟାମସୁନ୍ଦର ମିଶ୍ର ମାମଲାକୁ ପରିଚାଳନା କରିଥିଲେ।

Share Now:

Kalinga News Beuro

Next Post

କେମିକାଲ ଫ୍ୟାକ୍ଟ୍ରିରେ ବଡ଼ଧରଣର ବିସ୍ଫୋରଣ: ଖଣ୍ଡଖଣ୍ଡ ହୋଇଗଲେ ୪ଜଣ ଶ୍ରମିକ

Fri Mar 31 , 2023
ଲକ୍ଷ୍ନୌ: ଉତ୍ତରପ୍ରଦେଶର ବୁଲନ୍ଦଶାହରରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ମୃତକ ୪ଜଣ ଏହି ଫ୍ୟାକ୍ଟ୍ରିରେ ଶ୍ରମିକ ଭାବେ କାମ କରୁଥିଲେ। ବିସ୍ଫୋରଣ ଏତେ ଜୋରରେ ହୋଇଯାଇଥିଲା କି ମୃତକଙ୍କ ଶରୀର ଖଣ୍ଡଖଣ୍ଡ ହୋଇ ଏ‌ଣେତେଣେ ଝିଟିକି ପଡ଼ିଥିଲା।ସୂଚନାନୁଯାୟୀ, ବିସ୍ଫୋରଣ ଏତେ ଜୋର୍‌ ଥିଲା ଯେ, ପାଖାପାଖି ୨ କିଲୋମିଟର ଯାଏ […]
କେମିକାଲ ଫ୍ୟାକ୍ଟ୍ରିରେ ବଡ଼ଧରଣର ବିସ୍ଫୋରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial