ଆଇଏଏସ୍ ପରୀକ୍ଷାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ବାଜିମାତ : ସର୍ବ ଭାରତୀୟ ସ୍ତରରେ ଦ୍ଵିତୀୟ ହେଲେ ଅନିମେଶ

ଆଇଏଏସ୍ ପରୀକ୍ଷାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ବାଜିମାତ୍

ଭୁବନେଶ୍ୱର: ଲୋକ ସେବା ଆୟୋଗ (ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ପରୀକ୍ଷା ୨୦୨୩ ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଆଦିତ୍ୟ ଶ୍ରୀବାସ୍ତବ ଏବଂ ଓଡ଼ିଶାର ଅନିମେଷ ପ୍ରଧାନ ଯଥାକ୍ରମେ ପ୍ରଥମ ଏବଂ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ସେହିପରି ତୃତୀୟ ସ୍ଥାନରେ ଡୋନୁରୁ ଅନନ୍ୟା ରେଡ୍ଡୀ ଅଛନ୍ତି। ୨୦୨୩ ବର୍ଷ ପାଇଁ ହୋଇଥିବା ପରୀକ୍ଷାରେ ମୋଟ ୧,୦୧୬ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଅନୁଗୁଳ ଜିଲ୍ଲା ତାଳଚେର ଭାଲୁଗଡ଼ିଆରେ ଅନିମେଶଙ୍କ ଘର। ବାପ-ମା’ ହରାଇଥିଲେ ମଧ୍ୟ ଅନିମେଶ ନିଜ ଲକ୍ଷ୍ୟ ପୂରଣ କରିପାରିଛନ୍ତି।
ସଂକ୍ଷେପରେ ଅନିମେଶ
ଅନିମେଶଙ୍କ ବାପା ସ୍ୱର୍ଗତ ପ୍ରଭାକର ପ୍ରଧାନ ହିଙ୍ଗୁଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଥିଲେ। ପ୍ରଭାକରଙ୍କ ୨୦୧୭ରେ ପରଲୋକ ହୋଇଯାଇଛି। ତାଙ୍କ ମା’ ଅରୁଣା ପାତ୍ର ଏମ୍‌ସିଏ୍‌ର କର୍ମଚାରୀ ଥିଲେ। ତାଙ୍କର ଗତ ଜାନୁଆରି ମାସରେ ପରଲୋକ ହୋଇଯାଇଛି। ଭଉଣୀ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାସ୍ଥିତ ଉଦ୍ୟାନ ବିଭାଗରେ କାର୍ଯ୍ୟରତ ଅଛନ୍ତି। ଅନିମେଷ ତାଳଚେରସ୍ଥିତ କଳିଙ୍ଗ ଡିଏଭି ସ୍କୁଲରେ ପାଠପଢ଼ା ଆରମ୍ଭ କରିଥିଲେ। ଏଠାରେ ସେ ଯୁକ୍ତ ୨ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ଏହା ପରେ ସେ ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଏନ୍‌ଆଇଟି)ରେ ଇଂଜିନିୟରିଂ ପାଠ ପଢ଼ିଥିଲେ। ଦଶମ ଶ୍ରେଣୀରେ ଭଲ ନମ୍ବର ରଖିଥିଲେ। ସେହିପରି ଯୁକ୍ତ ୨ରେ ୯୮.୪ ପ୍ରତିଶତ ନମ୍ବର ରଖିଥିଲେ। ସେ ଏବେ ଦିଲ୍ଲୀସ୍ଥିତ ଇଣ୍ଡିଆନ୍‌ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ୍‌)ରେ କାର୍ଯ୍ୟରତ ଅଛନ୍ତି।
ଅନ୍ୟମାନଙ୍କ ମଧ୍ୟରୁ ଓଡ଼ିଶାରୁ ପ୍ରଜ୍ଞାନନ୍ଦନ ଗିରି ୨୪ ତମ ସ୍ଥାନ ପାଇଥିବା ବେଳେ ୩୬ତମ ସ୍ଥାନରେ ଅଛନ୍ତି ଆୟୁଷି ପ୍ରଧାନ। ସେହିପରି ଜୟଶ୍ରୀ ପ୍ରଧାନ(୫୨), ଅଭିମନ୍ୟୁ ମଲ୍ଲିକ(୬୦), ଅମ୍ରିତାଂଶୁ ନାୟକ(୧୧୦), ଯଶୋବନ୍ତ ମଲ୍ଲିକ(୧୧୫), ୧୪୯ରେ କୃତୀ ତ୍ରିପାଠୀ, ପଦ୍ମନାଭ ମିଶ୍ର(୧୭୬), ୨୦୪ରେ ଶୁଭ୍ରା ପଣ୍ଡା ଓ ୨୫୯ କୁମୁଦ ମିଶ୍ର ଅଛନ୍ତି। ସେହିପରି ୨୬୯ତମ ସ୍ଥାନରେ ତାନିଆ ମିଶ୍ର, ୩୦୩ତମ ସ୍ଥାନରେ ତନିଷା ମିଶ୍ର, ୩୪୩ତମ ସ୍ଥାନରେ ବିଶ୍ବଜିତ ପଣ୍ଡା ଅଛନ୍ତି। କାଳହାଣ୍ଡିର ସିଦ୍ଧାର୍ଥ ବେଶ୍ରା ୮୦୦ତମ ସ୍ଥାନରେ ଅଛନ୍ତି। ସୂଚନାଯୋଗ୍ୟ, ୟୁପିଏସସି ପରୀକ୍ଷା ଗତବର୍ଷ ୨୮ ମଇରେ ଆୟୋଜିତ ହୋଇଥିଲା। ଯେଉଁମାନେ ପ୍ରିଲିମ୍ସରାଉଣ୍ଡରେ ପାସ୍ କରିଥିଲେ, ସେମାନେ ମେନ୍‌ ପରୀକ୍ଷା ଦେଇଥିଲେ। ମେନ୍‌ ପରୀକ୍ଷାର ଫଳାଫଳ ୮ ଡିସେମ୍ବର ୨୦୨୩ରେ ଘୋଷଣା ହୋଇଥିଲା।

Share Now:

Kalinga News Beuro

Next Post

ରାମନବମୀରେ ଶୋଭାଯାତ୍ରା ବେଳେ ଦୁର୍ଘଟଣା : ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

Wed Apr 17 , 2024
ସୁନ୍ଦରଗଡ଼: ପବିତ୍ର ରାମନବମୀ ଅବସରରେ ଆୟୋଜିତ ବାଇକ ଶୋଭାଯାତ୍ରାରେ ଅଘଟଣ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ତୁମୁଳିଆ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ସବଡେଗା ଅଞ୍ଚଳର ବାସ୍ତବ ମାଝୀ (୧୭) ଓ ଅଭିମନ୍ୟୁ ବାଆ(୧୮)।ସୂଚନା ଅନୁସାରେ ରାମନବମୀ ଅବସରରେ ଆଜି ବାଲିଶଙ୍କରା ଠାରୁ ସବଡେଗା ଅଭିମୁଖେ ଏକ ବାଇକ୍‌ ଶୋଭାଯାତ୍ରା ବାହାରିଥିଲା। ରାଲିରେ […]
ରାମନବମୀରେ ଶୋଭାଯାତ୍ରା ବେଳେ ଦୁର୍ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial