ଅପରାଧର ରାଜଧାନୀ : ନୂଆବର୍ଷର ପ୍ରଥମ ଦିନରେ ବୀଭତ୍ସ ହତ୍ୟାକାଣ୍ଡ

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ

ଖଣ୍ଡାରେ ଆକ୍ରମଣ କରି ଯୁବକଙ୍କୁ ହାଣିଲେ

ଭୁବନେଶ୍ୱର: ନୂଆବର୍ଷର ପ୍ରଥମ ଦିନରେ ରାଜଧାନୀରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ଏୟାରଫିଲଡ ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁସାରେ ନୁଆସାହି ଅଞ୍ଚଳର କିଛି ଯୁବକ ରାତିରେ ନୂଆବର୍ଷ ଭୋଜି କରୁଥିଲେ। ସେହି ସମୟରେ କପିଳେଶ୍ୱର ଅଞ୍ଚଳର କିଛି ଯୁବକ ଆସି ନିଶାସକ୍ତ ଅବସ୍ଥାରେ ପାଟିତୁଣ୍ଡ କରିଥିଲେ। ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପରେ କପିଳେଶ୍ଵର ଅଞ୍ଚର କିଛି ଯୁବକ ଅତର୍କିତ ଭାବେ ଆସି ଖଣ୍ଡା ସାହାଯ୍ୟରେ ଆକ୍ରମଣ କରିଥିଲେ। ଦୁର୍ବୁତ୍ତମାନଙ୍କ ଆକ୍ରମଣରେ ଦିପୁ ରାଉତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଖବରପାଇ ଘଟଣାସ୍ଥଳରେ ଏୟାରଫିଲଡ ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
ଏଣେ ଗୁରୁବାର ରାତିରେ ରାଜଧାନୀରେ ଘଟିଥିଲା ଏକ ଚାଞ୍ଚଲ୍ୟକର ଓ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଭଉଣୀ ଆଖି ଆଗରେ ଭାଇ ଖଣ୍ଡାରେ ହାଣି ହତ୍ୟା କରିଛି ଭିଣୋଇକୁ। ସାବତ ଭଉଣୀ ମଥାରୁ ସିନ୍ଦୁର ପୋଛିଦେଇଥିଲା ଭାଇ। ସ୍ୱାମୀକୁ ବଞ୍ଚାଇବାକୁ ଯାଇ ସାବତ ଭାଇର ଖଣ୍ଡା ଚୋଟରେ ଗୁରୁତର ହୋଇଛି ଭଉଣୀ। ପ୍ରତିଶୋଧ ପାଇଁ ଘଟିଥିବା ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ମଞ୍ଚେଶ୍ବର ଥାନା ଧିରିକୁଟି ବସ୍ତି ପାତ୍ରସାହିରେ। ମୃତକ ହେଲେ ନୟାଗଡ଼ ଅଞ୍ଚଳର ସୁଶାନ୍ତ ଘଡ଼େଇ। ପୁଲିସ ହତ୍ୟାକାରୀ ବାପୁନି ନାୟକକୁ ଗିରଫ କରିଥିବା ବେଳେ ତା’ର ୨ ସହଯୋଗୀ ଫେରାର୍ ହୋଇଯାଇଛନ୍ତି। ଏକ ଭୋଜିରୁ ସୁଶାନ୍ତ ବିଳମ୍ବିତ ରାତିରେ ଘରକୁ ଫେରିଥିଲେ। ସ୍ତ୍ରୀ ବର୍ଷା କବାଟ ଖୋଲିବା ପରେ ସୁଶାନ୍ତ ଭିତରକୁ ପଶିଥିଲେ ଓ ବର୍ଷା କବାଟ ବନ୍ଦ କରିବାକୁ ଯାଉଥିଲେ। ଠିକ୍‌ ଏତିକିବେଳେ ହଠାତ୍ ୩ ଜଣ ଖଣ୍ଡାଧାରୀ ଯୁବକ ତାଙ୍କୁ ଠେଲି ଦେଇ ଘର ଭିତରକୁ ଧସେଇ ପଶିଥିଲେ। ସେମାନଙ୍କ ମଧ୍ୟରେ ଥିଲା ବାପୁନି। କେହି କିଛି ବୁଝିବା ପୂର୍ବରୁ ସେମାନେ ଖଣ୍ଡାରେ ସୁଶାନ୍ତଙ୍କୁ ନୃଶଂସ ଭାବେ ହାଣିବାରେ ଲାଗିଥିଲେ। ଖଣ୍ଡା ଚୋଟରେ ସୁଶାନ୍ତ ରକ୍ତ ଜୁଡ଼ୁବୁଡ଼ୁ ହୋଇ ତଳେ ଟଳି ପଡ଼ିଥିଲେ। ବିକଳରେ ବର୍ଷା ଦେଢ଼ ବର୍ଷର ଝିଅକୁ କାଖରୁ ତଳେ ରଖି ସ୍ବାମୀକୁ ବଞ୍ଚାଇବାକୁ ବାପୁନିକୁ ପ୍ରତିରୋଧ କରିଥିଲେ। ମାତ୍ର ସେ ବି ବାପୁନିର ଖଣ୍ଡା ଚୋଟରୁ ବର୍ତ୍ତିନଥିଲେ। ସୁଶାନ୍ତ ସଂଜ୍ଞାହୀନ ହୋଇଯିବା ପରେ ବାପୁନି ଓ ତା’ର ଦୁଇ ସହଯୋଗୀ ଘଟଣାସ୍ଥଳରୁ ପଳାଇଥିଲେ। ପାଟି ଶୁଣି ପାଖପଡ଼ୋଶୀ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। କିନ୍ତୁ ସେତେବେଳକୁ ସୁଶାନ୍ତଙ୍କ ମୃତ୍ୟୁ ହୋଇସାରିଥିଲା। ବାପୁନି ଏହି ହତ୍ୟାକାଣ୍ଡ ଭିଆଇଥିବା ଜାଣି ବସ୍ତି ଲୋକେ ତାକୁ ଖୋଜିଥିଲେ। ସେମାନେ ବାପୁନିକୁ ତା’ ଘରୁ କାବୁ କରିଥିବା ବେଳେ ଅନ୍ୟ ଦୁଇ ସହଯୋଗୀଙ୍କୁ ପାଇନଥିଲେ। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଲୋକେ ବାପୁନିକୁ ପୁଲିସ ଜିମା ଦେଇଥିଲେ।

Share Now:

Kalinga News Beuro

Next Post

‘ମୋ ସ୍କୁଲ୍ ଅଭିଯାନ’ ଅର୍ଥ ଫେରାଇବେ ପ୍ରଧାନ ଶିକ୍ଷକ

Sat Jan 1 , 2022
ଭୁବନେଶ୍ବର : ‘ମୋ ସ୍କୁଲ୍ ଅଭିଯାନ’ ଅଧୀନରେ ଆର୍ଥିକ ଅନୁଦାନ ପାଇ ମଧ୍ୟ କାମ ଆରମ୍ଭ କରିନଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ ଆର୍ଥିକ ଅନୁଦାନ ଫେରାଇବେ। ଆଜି ଏଭଳି ଚେତାବନୀ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ। ଶୁକ୍ରବାର ଦିନ ଭର୍ଚୁଆଲ୍‌ ମୋଡ୍‌ରେ ହୋଇଥିବା ‘ମୋ ସ୍କୁଲ୍ ଅଭିଯାନ’ର ୩୧ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ସେ ଅର୍ଥ ଖର୍ଚ୍ଚ ନ […]
ଖର୍ଚ୍ଚ କରିପାରି ନଥିବା ଅର୍ଥ ଫେରାଇବେ ପ୍ରଧାନ ଶିକ୍ଷକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial