ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଛି ରାଜଧାନୀ : ଫେଲ୍ ମାରୁଛି ପୁଲିସ ଯୋଜନା

ନିଶା ପାଇଁ ଅଶାନ୍ତ ରାଜଧାନୀ

ଭୁବନେଶ୍ବର: ଗତ କିଛି ବର୍ଷ ହେଲା ଭୁବନେଶ୍ବରରେ ବ୍ରାଉନ୍‌ସୁଗାର, କୋକେନ୍‌ ଓ ଚରସ୍ ଭଳି ନିଶା କାରବାର ବଢ଼ିବାରେ ଲାଗିଛି। ଫଳରେ ଚୋରି, ଛିନ୍‌ତାଇ ଓ ଲୁଟ୍‌ ଭଳି ମାଳମାଳ ଅପରାଧ ଦିନକୁ ଦିନ ବଢ଼ିଚାଲିଛି। ଏବେ ନୂଆ ଓ ସଂଗିନ୍ ଅପରାଧ ଘଟିବା ଆରମ୍ଭ ହେଲାଣି। କଥା ମୁଣ୍ଡ ଗଡ଼ିବା ଯାଏ ଗଲାଣି। ତେଣୁ ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଥିବା ରାଜଧାନୀ ଆଗକୁ ଆହୁରି ଭୟଙ୍କର ଚିତ୍ର ଦେଖିବାକୁ ମିଳିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ଏଣେ ପୁଲିସ ରାଜଧାନୀକୁ ନିଶାମୁକ୍ତ ସହର କରିବାକୁ କରୁଥିବା ସବୁ ଉଦ୍ୟମ ତଥା ଯୋଜନା ଫେଲ୍‌ ମାରୁଛି। ପୁଲିସ ମିତ୍ର, ବସ୍ତିକୁ ଚାଲ ଭଳି ପୁଲିସ ଯୋଜନା ବି କିଛି କାମ କରୁନି ବୋଲି ଅଭିଯୋଗ ଉଠିଲାଣି। ଏକଦା ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ବସ୍ତି ଥିଲା ବ୍ରାଉନ୍‌ସୁଗାର କାରବାରର ପେଣ୍ଠ। କିନ୍ତୁ ଏବେ ଏହି କାରବାର ପୂରା ରାଜଧାନୀକୁ ବ୍ୟାପି ଯାଇଛି। ଗତ କିଛି ବର୍ଷ ଭିତରେ ଏହି କାରବାରର କାୟା ରାଜଧାନୀର ସୀମା ସରହଦ ଡେଇଁ ଉପକଣ୍ଠ ଗାଁଗହଳିକୁ ମାଡ଼ି ଯାଇଛି। ଏବେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ, ବରମୁଣ୍ଡା ଗାଁ, ଟେଲ୍‌କୋ ଛକ, ସାଲିଆସାହି, ନାରାୟଣୀ ବସ୍ତି, ରୁଚିକା ମାର୍କେଟ୍, ମୁଣ୍ଡା ବସ୍ତି, ଫାଳିକିଆ ବସ୍ତି, ଫାୟାରଷ୍ଟେସନ୍ ବସ୍ତି, ପଣ୍ଡାକୁଦିଆ, ତାରିଣୀ ବସ୍ତି, ନୀଳଚକ୍ରନଗର, ଗୋଦାମ ସାହି, ସୁଗାର୍ କଲୋନି, ଲେପ୍ରୋସି କଲୋନି, ୟୁନିଟ୍-୬ ପିଚୁକୁଳି ବସ୍ତି, ନୀଳପାଣିଟାଙ୍କି ବସ୍ତି, ଭରତପୁର, କପିଳପ୍ରସାଦ ଉପରସାହି, ଚକେଇସିଆଣି, ସୁନ୍ଦରପଦା, କାକରୁଦ୍ରପୁର, କେଦାରପଲ୍ଲୀ, ଲିଙ୍ଗିପୁର, କାର୍ଗିଲ ବସ୍ତି, କଳ୍ପନାସ୍ଥିତ ପିଏଚ୍‌ଡି ବସ୍ତି, ଆଦିବାସୀ ଗାଁ, ଘାଟିକିଆ, ଡୁମୁଡୁମା ରଘୁନାଥନଗର ଓ ଖଣ୍ଡଗିରି ବରବାରି ବସ୍ତି ଭଳି ବହୁ ଅଞ୍ଚଳରେ ବ୍ରାଉନ୍‌ସୁଗାର କାରବାର ହେଉଛି।
ସୂଚନା ମୁତାବକ ଗତ ୨ବର୍ଷ ମଧ୍ୟରେ ରାଜ୍ୟରୁ ପ୍ରାୟ ୫୭କେଜି ବ୍ରାଉନ୍‌ସୁଗାର ଓ ୧୧୧ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ ହୋଇଛି। ଏହି ସମୟ ଭିତରେ କେବଳ ଭୁବନେଶ୍ବରରୁ ୧୫ କେଜିରୁ ଅଧିକ ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଏହାଛଡ଼ା ପୁଲିସ ଓ ଅବକାରୀ ବିଭାଗ ମଧ୍ୟ ବହୁ ପରିମାଣର ବ୍ରାଉନ୍‌ସୁଗାର ଜବତ କରିଛି। ତେଣୁ ଏସ୍‌ଟିଏଫ୍‌ର ତଥ୍ୟରୁ ସ୍ପଷ୍ଟ ଯେ ରାଜଧାନୀରେ ବ୍ରାଉନ୍‌ସୁଗାର କାରବାର ବହୁ ମାତ୍ରାରେ ବଢ଼ିଛି। ବଡ଼ କଥା ହେଉଛି, ଏହି ନିଶା କାରବାରର ପେଣ୍ଠ ହେଉଛି ବସ୍ତି। ନିଶାମାଫିଆମାନେ ବସ୍ତିରେ ଡେରା ପକାଉଛନ୍ତି। ଏବେ ବସ୍ତିରେ ମହିଳାମାନେ ଏହି ବେପାରର ମଙ୍ଗ ଧରିଥିବା ବିଭିନ୍ନ ସମୟରେ ହୋଇଥିବା ଚଢ଼ଉରୁ ଦେଖିବାକୁ ମିଳିଛି। ମାତ୍ର ପରିତାପର କଥା, କମିସନରେଟ୍‌ ପୁଲିସ ନିଶା ମାଫିଆଙ୍କୁ ସାବାଡ୍‌ କରିବାକୁ ପ୍ରସ୍ତୁତ କରୁଥିବା ଯୋଜନା କାମ କରୁନାହିଁ।

Share Now:

Kalinga News Beuro

Next Post

ଚର୍ଚ୍ଚାରେ ରାଜଧାନୀ ପରିମଳ ବ୍ୟବସ୍ଥା : ସୁଲଭ ଶୌଚାଳୟ ସିଲ୍‌, ରାସ୍ତାରେ ଭାସୁଛି ପାଇଖାନା ଆବର୍ଜନା

Sun Sep 11 , 2022
ଭୁବନେଶ୍ବର: ବିଏମ୍‌ସି ପରିମଳ ଉପବିଭାଗକୁ ବିବାଦ ପିଛା ଛାଡ଼ୁନି। ଏମ୍‌ସିସିରୁ ଆରମ୍ଭ କରି ଭୁଆସୁଣି ପର୍ଯ୍ୟନ୍ତ ବିବାଦରେ ଛନ୍ଦି ହୋଇପଡ଼ିଥିବା ଏହି ଉପବିଭାଗ ପୁଣିଥରେ ଚର୍ଚ୍ଚାକୁ ଆସିଛି। ବିଏମ୍‌ସିର ଅବହେଳା ପାଇଁ ଏକ ସୁଲଭ ଶୌଚାଳୟ ସିଲ୍‌ ହୋଇଛି। ନାଳ ଜାମ୍‌ ହୋଇ ପାଇଖାନା ଆବର୍ଜନା ରାସ୍ତା ଉପରେ ଭାସିବାରୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ନିକଟରେ ଥିବା ଏକ ସୁଲଭ ଶୌଚାଳୟକୁ ସ୍ମାର୍ଟ ସିଟି ପକ୍ଷରୁ ସିଲ୍‌ କରାଯାଇଛି। ଫଳରେ […]
ସୁଲଭ ଶୌଚାଳୟ ସିଲ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial