କଟକ: ମାଟିରୁ ୩ ଫୁଟ୍ ୬ ଇଞ୍ଚ ଉପରକୁ ଉଠିଛି ଶିବ ମନ୍ଦିର। କଟକର ଫ୍ରେଣ୍ଡସ କଲୋନି ଠାରେ ଥିବା ୪୫ ବର୍ଷ ପୁରୁଣା ସର୍ପେଶ୍ୱର ମନ୍ଦିରକୁ ଆଜି ବୈଷୟିକ ଜ୍ଞାନ କୌଶଳକୁ ଉପଯୋଗ କରାଯାଇ ୪୦ଟି ଜଗ୍ ସାହାଯ୍ୟରେ ଉଠା ଯାଇଛି। ବର୍ଷାଦିନେ ମନ୍ଦିର ପରିସରେ ପାଣି ପଶୁଥିବା ବେଳେ ଏହି ସମସ୍ୟାକୁ ଦୂର କରିବା ପାଇ ସର୍ପେଶ୍ୱର ମନ୍ଦିର କମିଟି ଓ ଫ୍ରେଣ୍ତସ କଲୋନି ଡେଭଲପମେଣ୍ଟ କମିଟିର ମିଳିତ ଉଦ୍ୟମରେ ଏପରି ପଦକ୍ଷେପ ନିଆଯାଇଛି। ଏହି ଲିଫ୍ଟିଙ୍ଗ କାମ ପାଇଁ ପ୍ରାୟ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଜାନୁଆରି ପ୍ରଥମ ସପ୍ତାହରେ କାମ ଶେଷ ହେବ। ଏହି ମନ୍ଦିରରେ ବଜ୍ରକବାଟୀର ମୁଖ୍ୟ ନାଳ ପାଣି ପଶୁ ଥିବାରୁ ଏହାକୁ ଏବେ ମାଟିରୁ ୩ ଫୁଟ୍ ୬ ଇଞ୍ଚ ଉପରକୁ ଉଠାଇବାକୁ ପଦକ୍ଷେପ ନିଆଯାଇଛି।
ଏଭଳି କାମ ହେବାରେ କଟକ ସହର ଏମିତିକି ରାଜ୍ୟରେ ଏହା ପ୍ରଥମ ମନ୍ଦିର ବୋଲି କୁହାଯାଉଛି। ୨୨ ନଭେମ୍ବର ୨୦୨୨ରେ ଏହି ମନ୍ଦିର ଲିଫ୍ଟିଙ୍ଗ କାମ ଆରମ୍ଭ ହୋଇଥିବାବେଳେ ହରିୟାଣାର ଶ୍ରୀରାମ ବିଲ୍ଡ଼ିଂ ଆଣ୍ତ ଲିଫ୍ଟିଙ୍ଗ ସଂସ୍ଥାର ବିକ୍ରମ ସିଂହଙ୍କ ନେତୃତ୍ବରେ ୪ ଜଣିଆ କାରିଗର ଟିମ ଏହି କାମ କରୁଛନ୍ତି। ଏକ ମାସ ମଧ୍ୟରେ ଏହି କାମ ସାରିବାକୁ ଏହି ସଂସ୍ଥା ଲକ୍ଷ୍ୟ ରଖିଥିବା ବେଳେ ଆଜି ମନ୍ଦିରକୁ ଲିଫ୍ଟିଙ୍ଗ କରାଯାଇଛି। ଅଞ୍ଚଳରେ ଥିବା ମୁଖ୍ୟ ଡ଼୍ରେନ୍ ଯୋଗୁ ବର୍ଷା ହେଲା ମାତ୍ରେ ମନ୍ଦିର ପରିସରରେ ପାଣି ଜମି ରହୁଥିଲା। ଏହି ସମସ୍ୟାର ସମାଧାନ ପାଇଁ ସର୍ପେଶ୍ବର ମନ୍ଦିର କମିଟି ସମ୍ପାଦକ ଜ୍ୟୋତି ରଞ୍ଜନ ରାଉତଙ୍କ ସମେତ ଅନ୍ୟ ସଦସ୍ୟଙ୍କ ସହ ଆଲୋଚନା କରି ଏହି ଲିଫ୍ଟିଙ୍ଗ ସଂସ୍ଥା ବିଷୟରେ ଅବଗତ ହେବା ପରେ ଏହି ସଂସ୍ଥା ସହ ଯୋଗାଯୋଗ କରିଥିଲୁ। ହରିୟାଣାରୁ କାରିଗର ପ୍ରଥମେ ଆସି ମନ୍ଦିର ପରିସର ଯାଞ୍ଚ କରିଥିଲେ। ପରେ ନଭେମ୍ବର ୨୨ ତାରିଖରୁ ଏହି କାମ ଆରମ୍ଭ ହୋଇଛି। ମନ୍ଦିର ଭାଙ୍ଗି ପୁନଃ ନିର୍ମାଣ କରିବାକୁ ବହୁ ସମୟ ଲାଗିଥାଏ। ହେଲେ ଏହି କାମ ସ୍ୱଳ୍ପ ସମୟରେ ଶେଷ ହୋଇ ପାରୁଥିବାରୁ ଏଥି ପାଇଁ ଆମେ ଇଚ୍ଛା ପ୍ରକାଶ କରିଥିଲୁ ବୋଲି କହିଛନ୍ତି ଫ୍ରେଣ୍ତସ କଲୋନି ଡେଭଲପମେଣ୍ଟ କମିଟିର ସମ୍ପାଦକ ଚନ୍ଦନ କୁମାର ସିଂହ। ଜାନୁଆରି ସୁଦ୍ଧା ମନ୍ଦିରର ସଂପୂର୍ଣ୍ଣ ନବୀକରଣ କାର୍ଯ୍ୟ ଶେଷ ହୋଇଯିବ ବୋଲି କହିଛନ୍ତି କାରିଗର ପାଲଟୁ କୁମାର।
ହରିୟାଣା କାରିଗରଙ୍କ ଦ୍ୱାରା ମାଟିରୁ ୩ ଫୁଟ୍ ୬ଇଞ୍ଚ୍ ଉପରକୁ ଉଠିଲା ମନ୍ଦିର

Share Now: