ଭୁବନେଶ୍ବର : ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଆରମ୍ଭ ହୋଇଯାଇଛି। ନିର୍ଦ୍ଧାରିତ ସମୟର ଘଣ୍ଟାଏ ବିଳମ୍ବରେ ରଥଟଣା ଆରମ୍ଭ ହୋଇଛି । ପୂର୍ବରୁ ଅପରାହ୍ଣ ସାଢେ ୩ଟାରେ ରଥଟଣା ହେବ ବୋଲି ନୀତିନିଘଣ୍ଟ କରାଯାଇଥିଲା। କିନ୍ତୁ ଆଜି ପ୍ରାୟ ସାଢେ ୪ଟା ବେଳେ ରଥଟଣା ଆରମ୍ଭ ହୋଇଥିଲା। ଆଜି ଦିନ ସାଢେ ୧ଟା ବେଳେ ଲିଙ୍ଗରାଜ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଠାକୁର ରଥାରୁଢ ହେବା ପରେ ରଥ ଉପରେ ପୂଜାର୍ଚ୍ଚନା ଓ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଆଜି ରାମେଶ୍ବର ମନ୍ଦିରରେ ରଥ ଲାଗିବା ପରେ ଠାକୁର ବିଜେ କରି ଅନ୍ୟାନ୍ୟ ନୀତିକାନ୍ତି କରାଯିବ। ଗତକାଲି ଅର୍ଥାତ ଶୁକ୍ରବାର ସଂଧ୍ୟାରେ ମହାପ୍ରଭୁଙ୍କ ରୁକୁଣା ରଥକୁ ପ୍ରତିଷ୍ଠା କରାଯାଇଥିଲା। ମୁକ୍ତେଶ୍ବର ମନ୍ଦିର ନିକଟ ମରୀଚି କୁଣ୍ଡରୁ ରଥ ପ୍ରତିଷ୍ଠା ପାଇଁ ଜଳ ଯିବା ପରେ ପରମ୍ପରା ଅନୁସାରେ ମରୀଚି କୁଣ୍ଡ ପାଣି ନିଲାମ ହୋଇଥିଲା। କରୋନା ମହାମାରୀ ଯୋଗୁଁ ୨୦୨୦ରେ ଏହି ରଥଯାତ୍ରା ସ୍ଥଗିତ ରହିଥିଲା। ସେହିପରି ୨୦୨୧ରେ ଏହା ବିନା ଭକ୍ତରେ ହୋଇଥିଲା। ଏଣୁ ଏବର୍ଷ ଭକ୍ତଙ୍କୁ ଅନୁମତି ଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି।
ଆଜି ଅଶୋକାଷ୍ଟମୀ : ଗଡ଼ିଲା ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ରୁକୁଣା ରଥ

Share Now: