ବାଲିଅନ୍ତା: କୁମାର ପୂର୍ଣ୍ଣିମା ଅବ୍ୟବହିତ ପୂର୍ବରୁ ବାଲିଅନ୍ତା ବ୍ଲକ୍ ସରକଣା ପଞ୍ଚାୟତ ରଣପୁର ଗାଁରେ ଅନୁଷ୍ଠିତ ହୁଏ କୁମାରୀ ବିବାହ। ବହୁ ବର୍ଷ ଧରି ପରମ୍ପରା ପାଲଟିଥିବା ଏହି ବିବାହରେ ବିଧି ସବୁ ସତ ହୋଇଥିଲେ ହେଁ ବାହାଘରଟି କୁନିପିଲାଙ୍କ ଖେଳ ହୋଇଥାଏ। ବାଡ଼ୁଅ ପାଣିରେ ଗାଧୋଇବାଠାରୁ ଆରମ୍ଭ କରି ବରଯାତ୍ରୀ ଶୋଭାଯାତ୍ରା, ହାତଗଣ୍ଠି, ବେଦିରେ ହୋମଯଜ୍ଞ, ବନ୍ଦାପନା ଓ ଭୋଜିଭାତ ସବୁ ବିଧି ମୁତାବକ ହୋଇଥାଏ। କିନ୍ତୁ ଦୁଇ କୁନି ଝିଅ ବର-କନ୍ୟା ସାଜି ବାହାଘର ନାଟକର ନାୟକ ନାୟିକା ହୋଇଥାଆନ୍ତି।
ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଗାଁ ଉତ୍ସବମୁଖର ହୋଇପଡ଼ିଥିଲା। ଏହି ଅବସରରେ ଗାଁ ଦାଣ୍ଡରେ ଟେଣ୍ଟ ବନ୍ଧା ଯାଇଥିଲା। ରଙ୍ଗ ବେରଙ୍ଗର ଆଲୋକମାଳାରେ ବେଦି ସଜ୍ଜିତ ହୋଇଥିଲା। କୁନି ଝିଅ ଲିକିନା ବରବେଶ ଓ ଡୁଡୁଲି କନ୍ୟା ବେଶରେ ସଜେଇ ହୋଇଥିଲେ। ମଧ୍ୟାହ୍ନରେ ମା’ କ୍ଷେତ୍ରପାଳୀ ଠାକୁରାଣୀଙ୍କ ମନ୍ଦିରରେ ଦିଅଁ ମଙ୍ଗୁଳା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ରାତିରେ ବାଜା, ବାଣ, ରୋଶଣି କରି ବରଯାତ୍ରୀଙ୍କୁ ସାଙ୍ଗରେ ନେଇ ବର ଲିକିନା ମା’ କ୍ଷେତ୍ରପାଳୀ ଠାକୁରାଣୀଙ୍କଠାରୁ ଶୋଭାଯାତ୍ରାରେ ବାହାରିଥିଲେ। କନ୍ୟାପକ୍ଷରୁ ଡୁଡୁଲିଙ୍କ ବାପାମା’ ସାଜିଥିବା କୁମାରୀମାନେ ବରଯାତ୍ରୀଙ୍କୁ ସ୍ବାଗତ କରିଥିଲେ। ବାଟ ବରଣି ବିଧି ସରିବା ପରେ ବେଦିରେ ପୁରୋହିତ ମନ୍ତ୍ର ଉଚ୍ଚାରଣ କରିଥିଲେ। ଅଭି ପୁରୋହିତ ଭୂମିକାରେ ଥିବା ବେଳେ ସତ୍ୟଭାମା ବାରିକିଆଣି ଓ ପପୁ ଶଙ୍ଖୁଆ ଭୂମିକା ନିଭାଇଥିଲେ। ବେଦିରେ ଗାଁର ମହିଳା ଓ ନିମନ୍ତ୍ରିତ ବନ୍ଧୁ ବାନ୍ଧବ ବନ୍ଦାପନା କରିଥିଲେ। ବର-କନ୍ୟାଙ୍କୁ ଟଙ୍କା ଏବଂ ବିଭିନ୍ନ ଆକର୍ଷଣୀୟ ଉପହାର ଦେଇ ବନ୍ଦାପନା କରିଥିଲେ। ବିଧି ଅନୁସାରେ ଶାଳି ହାତଗଣ୍ଠି ଫିଟାଇବା ପରେ ବିବାହ କାର୍ଯ୍ୟ ଶେଷ ହୋଇଥିଲା। ଚୁମି, ସୁମି, କୁନି, ଲୋରି, ଚୁଇନା, ରାନୁ, ଗୁଗୁଙ୍କ ସମେତ ଅନ୍ୟ ଝିଅ ଓ ମହିଳାମାନେ ସାମିଲ ହୋଇଥିଲେ। ଶେଷରେ ଭୋଜିଭାତର ଆସର ଜମିଥିଲା।
କୁମାରୀ ବାହାଘରରେ କମ୍ପିଲା ରଣପୁର ଗାଁ : ସତ ବିଧିରେ ବିବାହ ଖେଳ

Share Now: