ତିନି ମୁଣ୍ଡିଆରେ ପୁଣି ଅଟକିଲା ରୁକୁଣା ରଥ : ରାମ ନବମୀରେ ହେଲାନି ଭେଟ ଆଳତି

ତିନି ମୁଣ୍ଡିଆରେ ପୁଣି ଅଟକିଲା ରୁକୁଣା ରଥ

ସେବାୟତମୟ ରଥ ପାଇଁ ପ୍ରଭୁଙ୍କୁ ଦେଖିପାରିଲେନି ଭକ୍ତ

ଭୁବନେଶ୍ୱର: ବ୍ରହ୍ମହତ୍ୟା ଦୋଷରୁ ମୁକ୍ତି ପାଇବା ପାଇଁ ପ୍ରଭୁ ରାମଚନ୍ଦ୍ର ଏକାମ୍ରବନ ଆସିଥିଲେ। ଏଠାରେ ଶିବଲିଙ୍ଗ ପ୍ରତିଷ୍ଠା କରି ଶ୍ରୀ ଲିଙ୍ଗରାଜଙ୍କୁ ଆରାଧନା କରିଥିଲେ। ଲିଙ୍ଗରାଜ ରାମଚନ୍ଦ୍ରଙ୍କ ପୂଜାରେ ପ୍ରସନ୍ନ ହୋଇ ବ୍ରହ୍ମହତ୍ୟା ଦୋଷରୁ ମୁକ୍ତି ପ୍ରଦାନ କରିବା ସହ ପ୍ରତିବର୍ଷ ଚୈତ୍ର ଶୁକ୍ଳ ଅଷ୍ଟମୀ ତିଥି‌ ପୁନଃବସୁ ନକ୍ଷତ୍ରରେ ରଥରେ ବସି ରାମେଶ୍ୱର ତୀର୍ଥ ଆସିବାକୁ କଥା ଦେଇଥିଲେ। ଉକ୍ତ ପ୍ରଥା ଓ ପରମ୍ପରା ଅନୁସାରେ ରୁକୁଣା ରଥଯାତ୍ରା ହୋଇ ଆସୁଛି। ଅଶୋକାଷ୍ଟମୀରେ ରଥଯାତ୍ରା ହେଉଥିବା ବେଳେ ନବମୀ ଦିନ ସନ୍ଧ୍ୟାରେ ପ୍ରଭୁ ରାମେଶ୍ୱରଙ୍କ ଆଗରେ ଶ୍ରୀଲିଙ୍ଗରାଜ, ମା’ ରୁକୁଣା ଓ ଶ୍ରୀଦୋଳଗୋବିନ୍ଦଙ୍କୁ ବିଜେ କରାଯାଇ ଭେଟ ଆଳତି କରାଯା‌ଏ। କିନ୍ତୁ ଆଜି ପରମ୍ପରା ଭାଙ୍ଗିଛି। ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଚରମ ଅବହେଳାର ଶିକାର ହୋଇଛନ୍ତି ଶ୍ରୀଜୀଉ। ରଥ ମାଉସୀ ମା’ ମନ୍ଦିରରେ ପହଞ୍ଚି ନପାରିବାରୁ ଭେଟ ଆଳତି ସମ୍ଭବ ହୋଇ ପାରିନାହିଁ। ଶ୍ରୀରାମ ନବମୀରେ ଏହି ଅପୂର୍ବ ମୁହୂର୍ତ୍ତକୁ ଦର୍ଶନ କରିବାଲାଗି ଆସିଥିବା ଅଗଣିତ ଭକ୍ତ ଦୁଃଖରେ ଫେରିଛନ୍ତି। ଗତକାଲି ଅପରାହ୍ଣ ସାଢ଼େ ୩ଟାରେ ରଥଟଣା ଆରମ୍ଭ ହେବବୋଲି ନିଷ୍ପତ୍ତି ହୋଇଥିଲା। ହେଲେ ପ୍ରାୟ ଦେଢ଼ଘଣ୍ଟା ବିଳମ୍ବରେ ରଥଟଣା ଆରମ୍ଭ ହୋଇଥିଲା। ମୈ‌ତ୍ରେଶ୍ୱର ମନ୍ଦିର ନିକଟରେ ରଥର ଡାହାଣ ପାଖ ଦୁଇଟି ଚକ ରାସ୍ତାରେ ଦବି ଯାଇଥିଲା। ଏପଟେ ସନ୍ଧ୍ୟା ହୋଇଯିବାରୁ ୬ଟା ୨୦ରେ ରଥଟଣା ବନ୍ଦ ହୋଇଥିଲା। ସନ୍ଧ୍ୟାରେ ରଥ ଉପରେ ଦ୍ୱିପ୍ରହରଧୂପ ଓ ସନ୍ଧ୍ୟାଧୂପ ହୋଇ ପହୁଡ଼ ପଡ଼ିଥିଲା। ଆଜି ସକାଳଧୂପ ନୀତି ସରିବା ପରେ ଦିନ ୨ଟାରୁ ରଥ ଟଣା ହେବ ବୋଲି କୁହାଯାଇଥିଲା। ୧ଟା ୪୫ ସୁଦ୍ଧା ସକାଳ ଧୂପ ‌ଶେଷ ହୋଇଥିଲା। ତେବେ ପ୍ରବଳ ଖରା ଯୋଗୁ ରଥଟଣା ୩ଟା ୪୫ ହୋଇ ଯାଇଥିଲା। ଗତକାଲି ଦବିଥିବା ଡାହାଣ ଚକକୁ ଉଠାଇବାରେ ପ୍ରାୟ ଘଣ୍ଟାଏ ସମୟ ଲାଗି ଯାଇଥିଲା। ଏହା ଭିତରେ ସ୍ୱରେଜ ସ୍ଲାବ୍‌ ଓ ଆଗକୁ ବାହାରିଥିବା ଦୁଇଟି ଟିଣଘର ରଥ ଲାଗି ଭାଙ୍ଗିଥିଲା। ୪ଟା ୪୫ରେ ରଥ ଗଡ଼ିଥିଲା। ୫ଟା୧୦ ରେ ବଢ଼େଇ ବାଙ୍କ ଛକ ବୁଲିଥିଲା। ୫ଟା ‌୧୫ରେ ବାମପାଖକୁ ମାଡ଼ି ଯିବାରୁ ଏକ ଗଛର ଡାହି ଭାଙ୍ଗି ତଳେ ପଡ଼ିଥିଲା। ଏଥିରେ ଦୁଇଜଣ ପୁଲିସ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ୫ଟା ୩୦ୟରେ ପୂଜାପଣ୍ଡା ସେବାୟତ ସମିତି ନିକଟରେ ରଥ ଥିବା ସମୟରେ ସାମାନ୍ୟ ବର୍ଷା ହୋଇଥିଲା। ଏହାପରେ ରଥ ଡାହାଣ ପାଖକୁ ଚଢ଼ିଯାଇ ରାସ୍ତା ତଳକୁ ଖସି ଯାଇଥିଲା। ଖରୁଡା ସେବାୟତମାନେ କୈଶଳକ୍ରମେ ପୁଣି ରଥକୁ ପିଚୁ ଉପରକୁ ଉଠାଇଥିଲେ। ହେଲେ ଚକ ଯାଉଥିବା ସ୍ଥାନରେ ପିଚୁରାସ୍ତା ଦବିଯାଇ ଶେଷରେ ୬ଟା ବେଳେ ବ୍ରାହ୍ମଣ ନିଯୋଗ କାର୍ଯ୍ୟାଳୟ ତଥା ତିନିମୁଣ୍ଡିଆ ଛକ ନିକଟରେ ରଥର ଡାହାଣ ଚକ ଫସି ରହିଥିଲା। ଫଳରେ ମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁସାରେ ୬ଟା ୩୦ରେ ରଥଟଣା ବନ୍ଦ ରହିଥିଲା ଏବଂ ଆସନ୍ତା କାଲି ଦିନ ୨ଟାରୁ ପୁଣି ରଥଟଣା ହେବ ବୋଲି ଘୋଷଣା କରିଥିଲେ ରଥ ଡାହୁକ।
ଦୁର୍ଭାଗ୍ୟର କଥା ହେଉଛି, ଗତକାଲି ଏତେ ଅଭିଯୋଗ ହେବା ପରେ ମଧ୍ୟ ଆଜି ରଥରେ ତଳ ଉପର ସେବାୟତରେ ଭରି ଯାଇଥିଲା। ସେମାନେ ମନଇଚ୍ଛା ଚଢ଼ିଥିଲେ। ଫଳରେ ଭକ୍ତ ଠାକୁରଙ୍କୁ ଦର୍ଶନ କରି ପାରିନଥିଲେ। ରଥ ଚକ ଫସିବା ପରେ କିଛି ସେବାୟତ ତଳକୁ ଓହ୍ଲାଇ ଆସିବାକୁ ଅନୁରୋଧ କରାଯାଇଥିଲେ ହେଁ କିଛି ଲାଭ ହୋଇନଥିଲା। ଏମିତିକି ଆଜି ରଥର ତଳପାଖରେ ଅତି ବିପଦପୂର୍ଣ୍ଣ ଭାବେ ଛୋଟ ଛୋଟ ପିଲା ମଧ୍ୟ ବସି ରହିଥିଲେ। ପ୍ରଶାସନ କିମ୍ବା ପୁଲିସ କେହି ବାରଣ କରି ନଥିଲେ। ରୁକୁଣା ରଥର ମୁଖ୍ୟ ମହାରଣା ବଟକୃଷ୍ଣ ମହାରଣାଙ୍କ କହିବା ଅନୁସାରେ, ପୂର୍ବରୁ ରଥ କମ୍‌ ଓଜନ ଥିଲା। ଏବେ ରଥକୁ ମଜବୁତ କରିବା ପାଇଁ ମୋଟା ମୋଟା କାଠ ଦିଆଯାଉଛି। ତେଣୁ ରଥର ଓଜନ ଅଧିକ ରହୁଛି। ଅନ୍ୟପଟେ ରଥ ଉପରେ ସେମାୟତମାନେ ମଧ୍ୟ ରହୁଛନ୍ତି। ୨୦୨୧ ମସିହାରେ କୋଭିଡ ଥିବାରୁ ରଥରେ କେବଳ ସେବାଧାରୀ ଥିଲେ। ବାହୁଡାରେ ଗୋଟିଏ ଦିନରେ ରଥ ମାଉସୀ ମା’ଠାରୁ ମନ୍ଦିର ନିକଟକୁ ଚାଲି ଆସିଥିଲା। ପରମ୍ପରା ଭଙ୍ଗ ହେବାନେଇ ରାମେଶ୍ୱର ମନ୍ଦିର ପୂଜକ ନକୁଳ ମହାପାତ୍ର ଓ ଆଚାର୍ଯ୍ୟ ମହାପାତ୍ର କହିଛନ୍ତି, ପରମ୍ପରା ଅନୁସାରେ ଆଜି ଦିଅଁ ପହଞ୍ଚିଥିଲେ ରାମେଶ୍ୱରଙ୍କ ଆଗରେ ଭେଟ ଆଳତି ହୋଇଥାନ୍ତା। କିନ୍ତୁ ଦୁଃଖର ବିଷୟ ଠାକୁର ପହଞ୍ଚି ପାରିନାହାନ୍ତି। ରାମେଶ୍ୱରରେ ଆଜି ହଜାର ହଜାର ଶ୍ରଦ୍ଧାଳୁ ଭେଟ ଆଳତି ଦର୍ଶନ ପାଇଁ ଆସି ନିରାଶ ହୋଇ ଫେରିଗଲେ।

Share Now:

Kalinga News Beuro

Next Post

ବଢ଼ୁଛି ଅଦା, ରସୁଣ ଦର : ଖାଉଟି ହନ୍ତସନ୍ତ

Thu Apr 18 , 2024
ଭୁବନେଶ୍ୱର: ରାଜ୍ୟରେ ଅଦା ଓ ରସୁଣ ଦର କମିବାର ନାଁ ଧରୁନି। ଉଭୟ ଅଦା ଓ ରସୁଣ ଦର ଗ୍ରାହକଙ୍କୁ ବାଧୁଛି। ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ପରିବାର ଏହି ସାମଗ୍ରୀ କିଣିବା ବେଳେ ପକେଟ୍‌କୁ ଚାହୁଁଥିଲା ବେଳେ ଖଟିଖିଆ ଦିନ ମଜୁରିଆଙ୍କ କଥା ନକହିବା ଭଲ। ରାଜ୍ୟରେ ବର୍ତ୍ତମାନ ଦରବୃଦ୍ଧିରେ ରସୁଣ ଓ ଅଦା ପରସ୍ପରକୁ ଟକ୍କର ଦେଉଛନ୍ତି। ଏପରିକି ନିର୍ବାଚନ ସମୟରେ ମଧ୍ୟ ଏହାକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। […]
ବଢ଼ୁଛି ଅଦା, ରସୁଣ ଦର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial