ଆଜି ବିଶ୍ବ ଐତିହ୍ୟ ଦିବସ: ଅବହେଳିତ ଐତିହ୍ୟ ପୁଷ୍କରିଣୀ

ଐତିହ୍ୟ ପୁଷ୍କରିଣୀ ଅବହେଳିତ

ପୁରୁଣା ଭୁବନେଶ୍ୱର: ପ୍ରତିବର୍ଷ ଏପ୍ରିଲ ୧୮ ତାରିଖରେ ପାଳନ ହେଉଛି ବିଶ୍ବ ଐତିହ୍ୟ ଦିବସ। ସଭା ସମିତି ଭାଷଣବାଜିରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ହେଲେ ଐହିହ୍ୟସ୍ଥଳ ଓ ଐତିହ୍ୟ ପୁଷ୍କରିଣୀର ସୁରକ୍ଷା ତଥା ସଂରକ୍ଷଣ ଦିଗରେ ସେତେଟା ଉଦ୍ୟମ ହେଉଥିବା ପରିଲକ୍ଷିତ ହେଉନାହିଁ। କେବଳ ଦିବସ ପାଳନରେ ସୀମିତ ରହିଯାଉଛି ଐତିହ୍ୟ ଦିବସ। ଏକାମ୍ର କ୍ଷେତ୍ରର ଐତିହ୍ୟ ପୁଷ୍କରିଣୀର ଅବସ୍ଥାରୁ ଏହା ସ୍ପଷ୍ଟ ଅନୁମେୟ। ମନ୍ଦିରମାଳିନୀ ସହର ଭୁବନେଶ୍ୱର ମହାନ ଐତିହ୍ୟକୁ ନେଇ ସମୃଦ୍ଧ। ଏଠାରେ ଥିବା କୀର୍ତ୍ତିରାଜି ସହ ଐତିହ୍ୟ ପୁଷ୍କରିଣୀର ରହିଛି ପୁରାତନ କିଂବଦନ୍ତି। ଏହି ଐତିହ୍ୟ ପୁଷ୍କରିଣୀ ଗୁଡ଼ିକ ଏବେ ଅବହେଳିତ ଅବସ୍ଥାରେ ରହିଛି। ସେଗୁଡ଼ିକ ମଧ୍ୟରୁ କେଉଁଠାରେ ଜବରଦଖଲ ହେଉଛି ତ କେଉଁଠାରେ ପରିତ୍ୟକ୍ତ ଅବସ୍ଥାକୁ ଆସିଗଲାଣି। ପାପନାଶିନୀ ପୁଷ୍କରିଣୀର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପାଦୁକ କୁଣ୍ଡ ସହ ସଂଯୋଗ ରହିଛି। ଏଠାରେ ସ୍ନାନ କଲେ ପାପନାଶ ହୁଏ ବୋଲି କୁହାଯାଏ। ହେଲେ ଏଥିରେ ଦଳ ଭାସିବା ସହ ଚାରିପଟ ମରଣାଯନ୍ତା ପାଲଟିଛି।
ସେହିପରି ଏକାମ୍ର କ୍ଷେତ୍ରରେ ଦେବୀ ପାଦହରା ପୁଷ୍କରିଣୀ ଅନ୍ୟତମ। ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜ ମନ୍ଦିରର ପୂର୍ବ-ଉତ୍ତର କୋଣରେ ରହିଛି ଏହି ପୁଷ୍କରିଣୀ। ଏହାର ଚାରିପଟେ ରହିଛି ୧୦୮ଶିବଲିଙ୍ଗ ମନ୍ଦିର। ଏଥିମଧ୍ୟରୁ ପ୍ରାୟ ୪୦ଟି ମନ୍ଦିରର ଶିବଲିଙ୍ଗ ନଥିବା ବେଳେ ୨୨ଟି ଭଗ୍ନ ଅବସ୍ଥାରେ ପଡ଼ିରହିଛି। ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ଏଏସ୍‌ଆଇ ଏବେ କାମ ଆରମ୍ଭ କରିଥିଲେ ହେଁ ଏହାର ଚାରିପଟେ ଥିବା ଭଗ୍ନ ମନ୍ଦିରର ଉନ୍ନତିକରଣ ହେବ ନାହିଁ ବୋଲି ଏଏସ୍ଆଇ ମନା କରିଛି। ସେହିପରି ପ୍ରସିଦ୍ଧ ପୁଷ୍କରିଣୀ ବିନ୍ଦୁସାଗର ଅବସ୍ଥା ସମସ୍ତଙ୍କୁ ଜଣା। ପ୍ରାୟ ଦେଢ଼ କିଲୋମିଟର ପରଧିରେ ଥିବା ଏହି ପୁଷ୍କରିଣୀକୁ ପ୍ରତ୍ୟେକ ଦିନ ପର୍ଯ୍ୟଟକ ଆସିଥା’ନ୍ତି। ହେଲେ ଏହି ପୁଷ୍କରିଣୀ ଦଳ ଭର୍ତ୍ତି ଯୋଗୁଁ ବହୁ ପର୍ଯ୍ୟଟକ ନାକ ଟେକନ୍ତି। ୨୦୨୧ ଜାନୁଆରି ୯ରେ ଇଣ୍ଡିଆନ ଅଏଲର ସିଏସ୍‍ଆର ପାଣ୍ଠିରୁ ଟଙ୍କା ବ୍ୟୟରେ ଚତୁପାର୍ଶ୍ବରେ ୪ଟି ପାଣି ମଟର ଲଗାଯାଇଥିଲା। ଯାହା ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡ୍ ଏବଂ ଓବିସିସି ସହଯୋଗରେ କରାଯାଇଥିଲା। ବିଏମ୍‌ସି ପକ୍ଷରୁ ଦଳକୁ ସଫେଇ କରାଯାଇଥିଲା। ତେବେ ପୁଣି ବିନ୍ଦୁସାଗରରେ ଚୁଙ୍ଗୁଡ଼ିଆ ଦଳ ଭର୍ତ୍ତି ହୋଇଗଲାଣି। ସେହିପରି ଦୟାନଦୀରେ ପାଣି ପମ୍ପ ଲାଗାଯାଇ ସାମନ୍ତରାପୁର ୱାଟ୍‌କୋ କାର୍ଯ୍ୟାଳୟକୁ ପ୍ରାୟ ୧୭୮୦ମିଟର ପାଇପ୍‌ ବିଛା ସରିଛି। ସେଠାରେ ପାଣି ବିଶୋଧନ କରାଯାଉଛି। ସେଠାରୁ ସାମନ୍ତରାପୁର, ଇଲେକ୍ଟ୍ରି ଅଫିସ୍‌, ନୂଆ ଲିଙ୍ଗରାଜ ମାର୍କେଟ ମଧ୍ୟ ଦେଇ ତୀର୍ଥେଶ୍ବର ରାସ୍ତାରେ ବିନ୍ଦୁସାଗର ଚାରିପଟକୁ ପାଇପ୍‌ ସଂଯୋଗ କାମ ସରିଛି। ବିନ୍ଦୁସାଗର ଚାରିପଟେ ପାଇପ୍‌ ବିଛା ସରିଛି। ହେଲେ ଏହା କାର୍ଯ୍ୟକାରୀ ହୋଇପାରିନାହିଁ। ଏହା ହେଲେ ପ୍ରତିଦିନ ୨୦ଲକ୍ଷ ଲିଟର ପାଣି ବିନ୍ଦୁସାଗରକୁ ଆସିବ।
କେଦାରଗୌରୀ ମନ୍ଦିର ପରିସରରେ ଥିବା ୪ଟି କୁଣ୍ଡର ପୁନରୁଦ୍ଧାର ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧କୋଟି ୩୦ଲକ୍ଷ ଟଙ୍କା ବ୍ୟୟ କରାଯାଇ କାମ ସରିଛି। ତେବେ ଏହାର ମୂଳ ସମସ୍ୟା କୁଣ୍ଡରେ ନୀଳ ପାଣି ଭାସିବା ସମାଧାନ ହୋଇନାହିଁ। ଏକାମ୍ର କ୍ଷେତ୍ରର ଐତହ୍ୟ ପୁଷ୍କରିଣୀ ରାମେଶ୍ବର ପୁଷ୍କରିଣୀ, କୋଟି ତୀର୍ଥେଶ୍ବର ପୁଷ୍କରିଣୀ, ସୂକ୍ଷ୍ମେଶ୍ବର ପୁଷ୍କରିଣୀ, ଗୋସାଗରେଶ୍ବର ପୁଷ୍କରିଣୀ, ଗୋଡ଼ିପୋଖରୀ ଏବେ ଅବହେଳିତ ଅବସ୍ଥାରେ ରହିଛି। ପୁଷ୍କରିଣୀ ଗୁଡ଼ିକର ପୁନରୁଦ୍ଧାର ପାଇଁ ସରକାର ଡିଣ୍ଡିମ ପିଟୁଥିବା ବେଳେ ଜନବସତି ମଧ୍ୟରେ ଏହା ମଶା ବଂଶ ବୃଦ୍ଧି କରୁଛି। ହେଲେ ଏଥିପ୍ରତି କର୍ତ୍ତୃପକ୍ଷଙ୍କ ନିଘା ନାହିଁ।
ଏଏସଆଇ ଭୁବନେଶ୍ବର ସଂଗ୍ରାଧୀକ୍ଷକ ଅରୁଣ କୁମାର ମଲ୍ଲିକ କୁହନ୍ତି, ମନ୍ଦିରମାଳିନୀ ଭୁବନେଶ୍ବରରେ ପ୍ରତିଟି ଦେବାଳୟ ସହିତ ଜଡ଼ିତ ହୋଇ ଥିବା ଐତିହ୍ୟ ପୁଷ୍କରିଣୀର ଜଳ ନିଷ୍କାସନ ଓ ଏହାର ପୁନରୁଦ୍ଧାର ନ ହୋଇପାରିଥିବାରୁ ବର୍ଷାଦିନେ ଅନେକ ମନ୍ଦିରର ଦିଅଁ ଜଳବନ୍ଦୀ ଅବସ୍ଥାରେ ରୁହନ୍ତି। ତେବେ ଉକ୍ତ ପୁଷ୍କରିଣୀ ଗୁଡ଼ିକର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର କାମ ବିଗତ ବର୍ଷରୁ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ତାହା ସମ୍ପୂର୍ଣ୍ଣ କରାଯିବ। ଦେବୀ ପାଦହରା ପୁଷ୍କରିଣୀ କାମ ଚାଲିଥିବା ବେଳେ ରାମେଶ୍ବର, ବ୍ରହ୍ମେଶ୍ୱର, ପାପନାଶିନୀର ପୁନରୁଦ୍ଧାର ହେବ। ସେହିପରି ଶୁକଶାରି ମନ୍ଦିର ଖନନ କାମ ଚାଲିଥିବା ବେଳେ ଆଗାମୀ ଦିନରେ ଏହା ଭବାନୀ ଶଙ୍କର ମନ୍ଦିର ଓ ଶୁକଶାରି ମନ୍ଦିର ମଝି ରାସ୍ତାଦେଇ ବିନ୍ଦୁସାଗର ଯାଏ ଖୋଳାଯାଇ ଅନ୍ୟ ମନ୍ଦିର କିଛି ଅଛି କି ନାହିଁ ଏବଂ ବିନ୍ଦୁସାଗର ଓ ଲିଙ୍ଗରାଜ ମନ୍ଦିର ସହିତ ତାହା କିପରି ଜଡ଼ିତ ସେ ବିଷୟରେ ଅଧିକ ଅନ୍ବେଷଣ କରାଯିବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

Share Now:

Kalinga News Beuro

Next Post

ମାଉଣ୍ଟ ଏଭରେଷ୍ଟ ଆରୋହଣ ପାଇଁ ୭୦ ଦେଶର ୭୦୦ରୁ ଅଧିକ ପର୍ବତାରୋହୀଙ୍କୁ ଅନୁମତି

Tue Apr 19 , 2022
ନୂଆଦିଲ୍ଲୀ: ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ହିମାଳୟର ମାଉଣ୍ଟ ଏଭରେଷ୍ଟ ଆରୋହଣ ପାଇଁ ବିଶ୍ୱର ୭୦ଟି ଦେଶର ୭୦୦ରୁ ଅଧିକ ପର୍ବତାରୋହୀଙ୍କୁ ଅନୁମତି ମିଳିଛି। ମଙ୍ଗଳବାର ନେପାଳ ସରକାର ୭୦ଟି ଦେଶର ୧୫୫ ଜଣ ମହିଳାଙ୍କ ସମେତ ୭୪୦ ଜଣ ପର୍ବତାରୋହୀଙ୍କୁ ନେପାଳର ପର୍ବତ ମାପିବାକୁ ଅନୁମତି ଦେଇଛନ୍ତି, ଯେଉଁଥିରେ ସର୍ବାଧିକ ସଂଖ୍ୟକ ଆବେଦନକାରୀ ଆମେରିକାରୁ ଆସିଛନ୍ତି। ନେପାଳର ପର୍ଯ୍ୟଟନ ବିଭାଗ କହିଛି ଯେ ଦ୍ୱିତୀୟ ସର୍ବାଧିକ ସଂଖ୍ୟକ ପର୍ବତାରୋହୀ ବ୍ରିଟେନର […]
ମାଉଣ୍ଟ ଏଭରେଷ୍ଟ ଆରୋହଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial