ରୁକୁଣା ରଥ ବିଭ୍ରାଟ : ରାସ୍ତା ଦବି ଚକ ଭାଙ୍ଗିବାରୁ ବଡ଼ଶଙ୍ଖ ନିକଟରେ ଅଟକିଲା ରୁକୁଣା ରଥ

ବଡ଼ଶଙ୍ଖ ନିକଟରେ ଅଟକିଲା ରୁକୁଣା ରଥ

ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ବି ମାଉସୀ ମା’ ମନ୍ଦିରରେ ପହଞ୍ଚି ପାରିନାହିଁ। ଆଜି ଅପରାହ୍ନ ୩ଟାରେ ରଥଟଣା ଆରମ୍ଭ ହୋଇଥିଲେ ହେଁ ରଥ ବଡ଼ଶଙ୍ଖ ନିକଟରେ ଅଟକିଥିଲା। ରାସ୍ତା ଦବିଯିବାରୁ ଗୋଟିଏ ପଟକୁ ରଥ ଅଣେଇ ହୋଇ ଚକ ଦବି ଯାଇଥିଲା। ଫଳରେ ରଥ ଆଗକୁ ଯାଇପାରିନଥିଲା। ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ବହୁ ଚେଷ୍ଟା କରି ବିଫଳ ହେବା ପରେ ରଥଟଣା ବନ୍ଦ ହୋଇଥିଲା। ଆସନ୍ତାକାଲି ଅପରାହ୍ନ ୩ଟା‌ରେ ପୁଣି ରଥ ଟଣା ‌‌ହେବ ବୋଲି ଜଣାପଡ଼ିଛି। ଆଜି ସକାଳେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ରଥ ଉପରେ ଶ୍ରୀଜିଉଙ୍କ ମଙ୍ଗଳ ଅଳତି ଓ ଅବକାଶ ନୀତି କରାଯାଇଥିଲା। ପୂର୍ବାହ୍ନରେ ରଥ ଉପରେ ମହାପ୍ରଭୁଙ୍କୁ ସ୍ନାନ କରାଯାଇ ବେଶ ଓ ସକାଳ ଧୂପ କରାଯାଇଥିଲା। ତିନି ମୁଣ୍ଡିଆ ଛକ ନିକଟରେ ରଥ ରହିଥିବା ବେଳେ ସକାଳୁ ରଥରେ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଧାଡ଼ି ବନ୍ଧିଥିଲେ। ସେଠାରେ ପ୍ରବଳ ଭିଡ଼ ହୋଇଥିଲା। ଆଜି ରଥ ଟଣା ପାଇଁ ଅପରାହ୍ନ ୩ଟାରେ ପୁଲିସ, ମନ୍ଦିର ପ୍ରଶାସନ, ସେବାୟତଗଣ ରଥ ପାଖକୁ ଆସିଥିଲେ।
ପ୍ରାୟ ସାଢ଼େ ୩ଟାରେ ରଥଟଣା ଆରମ୍ଭ ହୋଇଥିଲା। କିଛି ବାଟ ଯିବା ପରେ ଅସୁଲକିଆରି ଠାରେ ପହଞ୍ଚିବା ପରେ ରଥରେ ମହାପ୍ରଭୁଙ୍କ ଦ୍ୱିପ୍ରହର ଧୂପ କରାଯାଇଥିଲା। ହେଲେ ଏହାର କିଛି ବାଟ ଯିବା ପରେ ରଥ ଅଟକିଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସ୍ବେରେଜ୍‌ କାମ କରାଯିବା ପରେ ରାସ୍ତା ମରାମତି ଠିକ୍‌ ଭାବେ ହୋଇନଥିଲା‌। କେବଳ ପିଚୁରେ ତାଳି ପକା କାମ ହୋଇଥିଲା। ବାମ ପାର୍ଶ୍ବରେ ସ୍ବେରେଜ୍‌ କାମ ପରେ ପିଚୁ ପଡ଼ିଥିବାରୁ ବାମ ପଟ ଚକ ଦବିଯାଇଥିଲା। ରଥର ଭାର ସେହିପଟକୁ ପଡ଼ିବାରୁ ଆଗ ବାମ ଚକର କିଛି ଅଂଶ ଭାଙ୍ଗି ଯାଇଥିଲା। ଏନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ରଥ ରହିବା ପରେ ମହାରଣା ସେବାୟତ ଓ ବେହେରା ସେବାୟତ ଚକ ମରାମତି କରିଛନ୍ତି।
ରଥରେ କେବଳ ପାଳିଆ ସେବାୟତ ରହିବେ
ରଥ ଉପରେ ଭିଡ଼ ହେଉଥିବାରୁ ରଥ ଅଧିକ ଲୋଡ୍‌ ହେଉଛି। ସୋମବାର ରଥ ଉପରେ କେବଳ ପାଳିଆ ସେବାୟତ ରହିବେ ବୋଲି ମନ୍ଦିର ଟ୍ରଷ୍ଟି ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି। ଆଜି ଚକ ଦବିବା ପରେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସଂଯୋଜନାରେ ରାମେଶ୍ବର କ୍ଲବ ନିକଟରେ ଏକ ଜରୁରୀ ବୈଠକ କରାଯାଇଥିଲା। ଏଥିରେ ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଥାନା ଅଧିକାରୀ ଓ ସେବାୟତମାନେ ସାମିଲ ହୋଇଥିଲେ। ରଥକୁ ହାଲୁକା କରିବା ଓ ଶୀଘ୍ର ଟାଣି ଆଣିବାକୁ କେବଳ ପାଳିଆ ସେବାୟତ ଉପସ୍ଥିତ ରହିବେ ବୋଲି କୁହାଯାଇଛି। ଏହା ନକଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Share Now:

Kalinga News Beuro

Next Post

ପାରିବାରିକ କଳହରୁ ବଡ଼ଭାଇର ପରିବାରକୁ ନିଶ୍ଚିହ୍ନ କଲା ସାନଭାଇ : ଏସ୍‌ପି

Tue Apr 12 , 2022
କଟକ: ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗାଁରେ ହୋଇଥିବା ନାରକୀୟ ହତ୍ୟାକାଣ୍ଡ ପୂରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପାରିବାରିକ କଳହ ହେତୁ ବଡ଼ଭାଇର ପୂରା ପରିବାରକୁ ନିଶ୍ଚିହ୍ନ କରିଦେଇଛି ସାନଭାଇ। କଟକ ଗ୍ରାମାଞ୍ଚଳ ଏସ୍‌ପି ଯୁଗଳ କିଶୋର ପ୍ରାଥମିକ ତଦନ୍ତ ପରେ ଘଟଣା ସଂପର୍କରେ ପ୍ରତିକ୍ରିୟା ଦେଇଛନ୍ତି। ଏସ୍‌ପି କହିଛନ୍ତି, ପାରିବାରିକ କଳହକୁ କେନ୍ଦ୍ରକରି ମାହାଙ୍ଗାରେ ହତ୍ୟାକାଣ୍ଡ ହୋଇଛି। ବଡଭାଇର ପରିବାରର ସମସ୍ତ ସଦସ୍ୟଙ୍କୁ ହାଣି ହତ୍ୟା କରିଛି […]
ବଡ଼ଭାଇର ପରିବାରକୁ ନିଶ୍ଚିହ୍ନ କଲା ସାନଭାଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial