ବଢ଼ୁଛି ଅଦା, ରସୁଣ ଦର : ଖାଉଟି ହନ୍ତସନ୍ତ

ବଢ଼ୁଛି ଅଦା, ରସୁଣ ଦର

ଭୁବନେଶ୍ୱର: ରାଜ୍ୟରେ ଅଦା ଓ ରସୁଣ ଦର କମିବାର ନାଁ ଧରୁନି। ଉଭୟ ଅଦା ଓ ରସୁଣ ଦର ଗ୍ରାହକଙ୍କୁ ବାଧୁଛି। ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ପରିବାର ଏହି ସାମଗ୍ରୀ କିଣିବା ବେଳେ ପକେଟ୍‌କୁ ଚାହୁଁଥିଲା ବେଳେ ଖଟିଖିଆ ଦିନ ମଜୁରିଆଙ୍କ କଥା ନକହିବା ଭଲ। ରାଜ୍ୟରେ ବର୍ତ୍ତମାନ ଦରବୃଦ୍ଧିରେ ରସୁଣ ଓ ଅଦା ପରସ୍ପରକୁ ଟକ୍କର ଦେଉଛନ୍ତି। ଏପରିକି ନିର୍ବାଚନ ସମୟରେ ମଧ୍ୟ ଏହାକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ଅର୍ଥାତ ପାଇକାରୀରେ ରସୁଣ କିଲୋ ପିଛା ୧୦୦ରୁ ୧୪୦ (ଖୁଚୁରାରେ ୧୭୦) ଏବଂ ଅଦା ୯୦ରୁ ୧୩୦ ଟଙ୍କାରେ ବିକ୍ରି ହେଉଛି।
ସୂଚନା ଅନୁଯାୟୀ, ଭୁବନେଶ୍ୱରକୁ ଦୈନିକ ୧ ଟ୍ରକ ରସୁଣ ଆସିଥାଏ। ଯାହା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଗୁଜରାଟରୁ ଆସୁଛି। ଏହାର ସ୍ବାଭାବିକ ଦର ୨୦ରୁ ୩୦ ଟଙ୍କା ରହିଥାଏ। ଅନ୍ୟ ଦିଗରେ ଅଦା ଉତ୍ପାଦନରେ କୋରାପୁଟର ସ୍ୱତନ୍ତ୍ର ପରିଚୟ ରହିଛି। ଏହା ସତ୍ତ୍ୱେ କେବଳ ବର୍ଷା ଦିନରେ ହିଁ କୋରାପୁଟ ଅଦା ଭୁବନେଶ୍ୱର ବଜାରକୁ ଆସିପାରେ। ବର୍ଷତମାମ ବେଙ୍ଗାଲୁରୁ ଓ ମହାରାଷ୍ଟ୍ର ଉପରେ ହିଁ ଭୁବନେଶ୍ୱର ନିର୍ଭରଶୀଳ। ଅଦାର ସ୍ବାଭାବିକ ଦର କିଲୋ ପିଛା ୨୦ରୁ ୪୦ ଟଙ୍କା ରହିଥାଏ। କିନ୍ତୁ ଦୁଇ ବର୍ଷ ହେଲା ଉଭୟ ଅଦା ଓ ରସୁଣ କିଲୋ ପିଛା ୧୦୦ ଟଙ୍କାକୁ ଅତିକ୍ରମ କରିଛି। ଉତ୍ପାଦିତ ରାଜ୍ୟର ଉଚ୍ଚ ଦର ଯୋଗୁଁ ଏଠାକାର ବ୍ୟବସାୟୀ ଅଧିକ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଥିବା ନେଇ ସ୍ଥାନୀୟ ପାଇକାରୀ ବ୍ୟବସାୟୀମାନେ ମତ ଦିଅନ୍ତି। ସେଥିରେ ପୁଣି ଗାଡ଼ି ଭଡ଼ା ଯୋଡ଼ି ହୋଇଯାଏ। ଓଡ଼ିଶାରେ ଚା’, ତରକାରୀ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟଗତ କାରଣରୁ ମଧ୍ୟ ଲୋକେ ଅଦା ବ୍ୟବହାର କରୁଥିବାରୁ ଦର ଯେତେ ବଢ଼ିଲେ ମଧ୍ୟ ଅନେକ ଏହାକୁ କ୍ରୟ କରିବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟ ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି, ଫସଲ ନଷ୍ଟ ହେଲେ ଦର ୧ରୁ୨ ପ୍ରତିଶତ ବଢ଼ିପାରେ। ତାହା ମଧ୍ୟ ସାମୟିକ ସମୟ ପାଇଁ ଥାଏ। ପୂର୍ବରୁ ଅତି ବେଶିରେ ୨୦ ଟଙ୍କା ବଢ଼ୁଥିଲା। ପରବର୍ତ୍ତୀ ସମୟରେ ସ୍ଥିତି ନିୟନ୍ତ୍ରିତ ହୋଇଯାଏ। କିନ୍ତୁ ବର୍ତ୍ତମାନ ଏକାଥରକେ ୧୦୦ ପ୍ରତିଶତ ଦର ବଢ଼ୁଛି। ୨୦୨୩ ମସିହାରୁ ଲଗାତାର ଯେଉଁଭଳି ଭାବରେ ଅଦା, ରସୁଣ, ଡାଲି, ତେଲ ଭଳି ଅତ୍ୟାବଶକୀୟ ସାମଗ୍ରୀର ଦର ବଢ଼ୁଛି ଏହା ପଛରେ ବଡ଼ କର୍ପୋରେଟ ଲବି କାର୍ଯ୍ୟ କରୁଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ଏହି ଅତ୍ୟାବଶକୀୟ ସାମଗ୍ରୀ ବିକ୍ରି ବଡ଼ ବଡ଼ କର୍ପୋରେଟ୍‌ କବ୍‌ଜାରେ ରହିଛି। ତେଣୁ ସମ୍ଭବତଃ ନିର୍ବାଚନ ସମୟରେ ମଧ୍ୟ ସରକାର ଏହାର ଦରକୁ କମ କରିପାରୁ ନାହାନ୍ତି। ବର୍ତ୍ତମାନ ସ୍ଥିତି ଯେଉଁଭଳି ରହିଛି ଚଳିତ ବର୍ଷ ମଧ୍ୟ ଏହି ଦର ପୂର୍ବାବସ୍ଥାକୁ ଫେରିବାର ଆଶା କ୍ଷୀଣ ବୋଲି ଅଧିକାଂଶ ବ୍ୟବସାୟୀମାନେ ମତ ଦେଉଛନ୍ତି।ଆଇଗିଣିଆ ପାଇକାରୀ ରସୁଣ ବ୍ୟବସାୟୀ ସତ୍ୟନାରାୟଣ ସାହୁଙ୍କ କହିବା ମୁତାବକ, କିଛି ମାସ ପୂର୍ବରୁ ରସୁଣ କିଲୋପ୍ରତି ଦର ୪୦୦ ଟଙ୍କା ଛୁଇଁଥିଲା। ଏହାର ପ୍ରଭାବ କେବଳ ଗ୍ରାହକ ନୁହେଁ ପାଇକାରୀ ବ୍ୟବସାୟୀଙ୍କ ଉପରେ ମଧ୍ୟ ପଡ଼ୁଛି। ଏଥିଯୋଗୁଁ ପୂର୍ବରୁ ଦୈନିକ ୧୦୦ ପ୍ୟାକେଟ ରସୁଣ ବିକ୍ରି ହେଉଥିଲା ବେଳେ ବର୍ତ୍ତମାନ ଏହା ୩୦ରୁ ୪୦ ପ୍ୟାକେଟରେ ସୀମିତ ରହିଛି।

Share Now:

Kalinga News Beuro

Next Post

ଚଳିତ ବର୍ଷର ସର୍ବାଧିକ ଦିନ ତାପମାତ୍ରା ରେକର୍ଡ : ୪୪.୩ ଡିଗ୍ରିରେ ସିଝିଲେ ବୌଦ୍ଧବାସୀ

Fri Apr 19 , 2024
ଭୁବନେଶ୍ୱର: ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ୩୨ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ୪୩ ଡିଗ୍ରି ଉପରେ ୧୦ଟି ସହର ଥିବା ବେଳେ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୪.୩ ଡିଗ୍ରି‌ ରେକର୍ଡ ହୋଇଛି। ସେହିପରି ବାରିପଦାରେ ପାରା ୪୪.୨ ଡିଗ୍ରି ପହଞ୍ଚିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଝାରସୁଗୁଡ଼ାରେ ୪୩.୮, […]
୪୪.୩ ଡିଗ୍ରିରେ ସିଝିଲେ ବୌଦ୍ଧବାସୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial