ଖାଁ ଖାଁ ପୂଜା ମଣ୍ତପ : ଆବଦ୍ଧ ଭିତରେ ଚାଲିଛି ମହାମାୟାଙ୍କ ପୂଜାର୍ଚ୍ଚନା

ଖାଁ ଖାଁ ପୂଜା ମଣ୍ତପ

କୋଭିଡ ଗାଇଡଲାଇନ୍ ମଧ୍ୟରେ ଚାଲିଛି ମା’ଙ୍କ ପୂଜା

ଭୁବନେଶ୍ୱର: ବେଦ, ମନ୍ତ୍ର ପାଠରେ କମ୍ପୁଛି ଚତୁର୍ଦ୍ଦିଗ। ଧୂପ, ଦୀପ, ନୈବେଦ୍ୟରେ ମହକି ଉଠୁଛି ପୂଜା ମଣ୍ଡପ। ମହାଅଷ୍ଟମୀରେ ମହାମାୟାଙ୍କ ଚାଲିଛି ପୂଜାର୍ଚ୍ଚନା। କୋଭିଡ କଟକଣାରେ ମଣ୍ଡପର ତିନିପଟ ଆବଦ୍ଧ କରାଯାଇ ସୀମିତ ସଂଖ୍ୟକ ପୂଜକ ଓ କର୍ମକର୍ତ୍ତାଙ୍କୁ ନେଇ ଚାଲିଛି ପୂଜାର୍ଚ୍ଚନା। ଜଗଜ୍ଜନନୀ ମା’ ଦୁର୍ଗାଙ୍କର ଆରାଧନା କୋଭିଡ୍ କଟକଣା ଭିତରେ ପାଳନ ହେଉଛି। ମା’ ଦଶଭୂଜାଙ୍କର ସମସ୍ତ ନୀତିକାନ୍ତି ମଧ୍ୟରେ ପୂଜା କରାଯାଉଛି। ଏପଟେ ଶକ୍ତିପୀଠରେ ମାଆଙ୍କ ମହାଷ୍ଟମୀ ପୂଜା ବେଳେ ପୂଜା ମଣ୍ତପରେ ମା’ଙ୍କର ସପ୍ତମୀ ପୂଜା କରାଯାଉଛି। କଟକ ଜିଲ୍ଲାର ମା ଭଟ୍ଟାରିକାଙ୍କ ପୀଠରେ ମହାଷ୍ଟମୀ ଅବସରରେ ସ୍ବତନ୍ତ୍ର ନୀତିକାନ୍ତି କରାଯାଇଛି। ରାତିରେ ନେତବନ୍ଧା ପରେ ମାଆଙ୍କୁ ଲାଗି ହେବ ଖିରି ଭୋଗ। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜା ଆଜି ଶ୍ରଦ୍ଧାଳୁଙ୍କୁ ଦ୍ୱିଭୂଜା ଦୁର୍ଗା ବେଶରେ ଦର୍ଶନ ଦେଉଛନ୍ତି। ସେହିପରି ମାଆ କଟକ ଚଣ୍ଡୀ ଏବଂ ଗଡଚଣ୍ଡୀଙ୍କ ମହାକାଳୀ ଓ ସରସ୍ବତୀ ବେଶ ଦର୍ଶନ କରିଛନ୍ତି ଭକ୍ତ। ରାତିରେ ଅନୁଷ୍ଠିତ ହେବ ମାଆଙ୍କ ସନ୍ଧି ପୂଜା। ମହାଷ୍ଟମୀରେ ଶ୍ରୀମନ୍ଦିରରେ ମା ବିମଳାଙ୍କ ପ୍ରତିନିଧି କାକୁଡିଖାଇଙ୍କ ପାଖରେ କାଚ, ସିନ୍ଦୁର ଓ ବ୍ରତ ପୂଜା କରିଛନ୍ତି ଶ୍ରଦ୍ଧାଳୁ। ଶାରଦୀୟ ଦୁର୍ଗାପୂଜା ଅବସରରେ ଯାଜପୁରର ମିର୍ଜାପୁରରେ ଏବେବି ପାଳିତ ହେଉଛି ଶହ ଶହ ବର୍ଷର ପରମ୍ପରା। ନଦୀ କୂଳରେ କଳସ ପୂଜା ପରେ ପୂଜା ମଣ୍ଡପ ଯାଏଁ ରାସ୍ତାରେ ନୂଆ ଶାଢି ବିଛାଯାଇ ମା’ଙ୍କୁ ସ୍ବାଗତ କରାଯାଉଛି। ଗାଁର ବୁଣାକାର ପରିବାର ମାଆଙ୍କୁ ନୂଆ ଶାଢି ସମର୍ପଣ କରିଥାନ୍ତି। ସେପଟେ ନୀଳଗିରି ରାଜବାଟି ସ୍ଥିତ କନକ ଦୁର୍ଗା ପୀଠରେ ଚାଲିଛି ମାଆଙ୍କ ମହାଷ୍ଟମୀ ପୂଜା ଡ଼ାଲାରେ ଫଳ, ଫୁଲ ନେଇ ମାଆଙ୍କ ଆରାଧନା କରିଛନ୍ତି ମହିଳା। ପୁରୀ ବେଳାଭୂମିରେ ବାଲୁକା କଳାରେ ମାଆଙ୍କ ଆରାଧନା କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସିପ ଓ ଶାମୁକାରେ ନିର୍ମାଣ କରିଛନ୍ତି ମାଆ ଦୁର୍ଗାଙ୍କ ଅପରୂପ କଳାକୃତି। ରାଜ୍ୟର ଅନେକ ସ୍ଥାନରେ ମା’ଙ୍କର ରୀତିନୀତି ନେଇ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଭକ୍ତଙ୍କ ମନରେ ଭରି ରହିଛି ଅସନ୍ତୋଷ। କୋଭିଡକୁ ନେଇ ମା’ଙ୍କର ପୂଜା ଆଡମ୍ବରରେ ହେଉନଥିବାରୁ ରାଜ୍ୟରେ ଦୁର୍ଗା ପୂଜାର ଶୋର ଶବ୍ଦ ବି ମିଳୁନାହିଁ।

Share Now:

Kalinga News Beuro

Next Post

ବି.ଆର.ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ : ପୋଡ଼ି ହୋଇଗଲେ ୨ କର୍ମଚାରୀ

Wed Oct 13 , 2021
ସମ୍ବଲପୁର: ସମ୍ବଲପୁର ସିକିର୍ଡିରେ ଥିବା ବି.ଆର.ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ ଘଟିଛି। ଦୁଇ ନମ୍ବର ବ୍ଲାଷ୍ଟ୍ ଫର୍ଣ୍ଣେସରେ ହଠାତ୍‌ ବିସ୍ଫୋରଣ ହେବା ଫଳରେ ୨ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଆହତ କର୍ମଚାରୀ ଦ୍ୱୟ ହେଲେ ରଞ୍ଜୟ କୁମାର ଯାଦବ ଓ ଗୋଲୁ କୁମାର ଯାଦବ। ରଞ୍ଜୟଙ୍କ ଶରୀରର ଅଧିକାଂଶ ଭାଗ ପୋଡ଼ି ଯାଇଛି। ଉଭୟଙ୍କ ଘର ବିହାରରେ। ରଞ୍ଜୟଙ୍କ ଘର ବିହାରର ଔରଙ୍ଗାବାଦ ହୋଇଥିବା ବେଳେ ଗୋଲୁ କୁମାରଙ୍କ […]
ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial