ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ଭୁବନେଶ୍ୱରର ୟୁନିଟ୍ ୧ସ୍ଥିତ ଆଦିବାସୀ ପଡ଼ିଆରେ ଆରମ୍ଭ ହୋଇଛି ଆଦିବାସୀ ମେଳା। ଏହି ମେଳା ଜାନୁଆରି ୨୬ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୯ ତାରିଖ ଯାଏଁ ଚାଲିବ। ଦିନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଲୋକମାନେ ଆଦିବାସୀ ମେଳା ବୁଲି ପାରିବେ। ଜନଜାତିଙ୍କ ଉତ୍ପାଦିତ ସାମଗ୍ରୀ ତଥା ଲଘୁ ବନଜାତ ସାମଗ୍ରୀକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ବିକ୍ରୟର ବ୍ୟବସ୍ଥା କରାଯାଇଛି। ଏହି ମେଳାରେ ଅଂଶଗ୍ରହଣ କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀମାନେ ୨୨ଟି ଆଇଟିଡିଏ ଓ ୧୭ଟି ଅଣୁ ପ୍ରକଳ୍ପର ଅଧିକାରୀଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି। କେବଳ ୯୦ଟି ଷ୍ଟଲ ମାଧ୍ୟମରେ ବିକ୍ରିବଟାର ସୁବିଧା କରାଯାଇଛି। ଏହି ମେଳାକୁ ଭର୍ଚୁଆଲ ମୋଡରେ ମଧ୍ୟ ଖୋଲାଯାଇଛି। ସୁରକ୍ଷା ଦୃଷ୍ଟିରୁ ଭିଡରୁ ରକ୍ଷା ପାଇବା ପାଇଁ ଦର୍ଶକମାନେ ୱେବସାଇଟ www.adivasimela2021.com ରେ ପଞ୍ଜିକରଣ କରୁଛନ୍ତି। ଏହା ମାଧ୍ୟମରେ ଦର୍ଶକମାନେ ଜନଜାତିଙ୍କ ସହ ସାଂସ୍କୃତିକ ଆଳାପ, ଜ୍ଞାନ ଆଦାନ ପ୍ରଦାନ, ଜନଜାତିଙ୍କ ପ୍ରସ୍ତୁତ କଳା, ସ୍ଥାପତ୍ୟ, ରନ୍ଧନକଳା ସଂପର୍କିତ ଦ୍ରବ୍ୟ ଦେଖିପାରିବେ। କୋଭିଡ କଟକଣା ଯୋଗୁଁ ସାମଗ୍ରୀର ଇ-ମାର୍କେଟିଂର ସୁବିଧା ମଧ୍ୟ କରାଯାଇଛି। ଆଗ୍ରହୀ ଗ୍ରାହକ ଘରେ ବସି ସାମଗ୍ରୀ ବରାଦ ଦେଇପାରିବେ। ଆଦିବାସୀ ପ୍ରବେଶ ଦ୍ୱାରରେ ସାନିଟାଇଜର ଓ ଥର୍ମାଲ ସ୍କାନିଂର ବ୍ୟବସ୍ଥା କରାଯାଇଛି। ଲୋକମାନଙ୍କୁ ମାସ୍କ ଓ ସାମାଜିକ ଦୂରତା ପାଳନ କରାଯିବାକୁ କୁହାଯାଇଛି। ଏହାସହ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।
ରାଜଧାନୀରେ ଆରମ୍ଭ ହେଲା ଆଦିବାସୀ ମେଳା: ଏଥର ଭର୍ଚୁଆଲ୍ ମାଧ୍ୟମରେ ବି ବୁଲିପାରିବେ ଲୋକେ

Share Now: