ଶ୍ରୀଲିଙ୍ଗରାଜଙ୍କ ବିବାହ: କେଦାରଗୌରୀରେ ପଡ଼ିଲା ହାତଗଣ୍ଠି

ଶ୍ରୀଲିଙ୍ଗରାଜଙ୍କ ବିବାହ

ଆଜି ଶୀତଳଷଷ୍ଠୀରେ ଫେରିବେ ଦେବଦମ୍ପତି

ପୁରୁଣା ଭୁବନେଶ୍ୱର: କରୋନା କଟକଣା କୋଳାହଳ ଓ ଜନ ସମାବେଶକୁ କମାଇ ଦେଇଥିଲା। କିନ୍ତୁ ବିବାହ ବିଧି‌ରେ ଟିକିଏ ବି ଊଣା ହୋଇନଥିଲା। ବରଯାତ୍ରୀ ପଟୁଆର ନେଇ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଶ୍ବଶୁର ଘର କେଦାରଗୌରୀ ମନ୍ଦିର ଅଭିମୁଖେ ବାହାରିଥିଲେ ଓ ସେଠାରେ ଯଥାରୀତି ମା’ ପାର୍ବତୀଙ୍କ ସହ ତାଙ୍କ ଶୁଭପରିଣୟ ଅନୁଷ୍ଠିତ ହୋଇଥିଲା। ମା’ଙ୍କ ପାଣିଗ୍ରହଣ ଉତ୍ସବ ପରେ ଜ୍ବାଇଁ ଓ ବରଯାତ୍ରୀଙ୍କୁ ପାରମ୍ପରିକ ରୀତିରେ ଶ୍ବଶୁର ଘର ପକ୍ଷରୁ ଅଭ୍ୟର୍ଥନା ଦିଆଯାଇଥିଲା। ଆଜି ଶୀତଳଷଷ୍ଠୀ ଅବସରରେ ଦେବଦମ୍ପତି ଶ୍ବଶୁର ଘରୁ ମେଲାଣି ନେଇ ସ୍ବଗୃହ ପ୍ରତ୍ୟାବର୍ତ୍ତନ କରିବେ। ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଗତକାଲି ପ୍ରଭୁଙ୍କ ବରଯାତ୍ରୀରେ କେବଳ ସେବାୟତମାନେ ସାମିଲ୍ ହୋଇଥିଲେ। ଲିଙ୍ଗରାଜ ମନ୍ଦିରରେ ପ୍ରଥମେ ବରାନୁଗମନର ପୂର୍ବ ସମସ୍ତ ବିଧି ସମ୍ପନ୍ନ ହୋଇଥିଲା।
ପରେ ରାତି ୧୦ଟା ୫୫ ରେ ପାଳିଆ ସେବାୟତଙ୍କ ଗହଣରେ ଜ୍ବାଇଁ ବେଶରେ ସଜେଇ ହୋଇ ସୁସଜ୍ଜିତ ବିମାନରେ ବସି ପ୍ରଭୁ ଲିଙ୍ଗରାଜ ବାହାରିଥିଲେ। କେବଳ ଘଣ୍ଟ, ଘଣ୍ଟି, ତୂରୀ ଓ କାହାଳୀ ବାଜା ବଜେଇ ବରଯାତ୍ରୀ ଦଳ କେଦାରଗୌରୀ ମନ୍ଦିରରେ ପହଞ୍ଚିଥିଲେ। ପୂର୍ବଭଳି ବାଜା, ବାଣ ଓ ରୋଷଣି ନଥିଲେ ବି ପ୍ରଭୁଙ୍କ ବରଯାତ୍ରା ଦୃଶ୍ୟ ଓ ପରିବେଶ ବେଶ୍ ଭକ୍ତିମୟ ଓ ଆବେଗପୂର୍ଣ୍ଣ ଥିଲା। ବଢ଼େଇବାଙ୍କ ଛକ, ତିନିମୁଣ୍ଡିଆ ଛକ ଓ ଏକାମ୍ର ବନ ଦେଇ ବରଯାତ୍ରୀ ଦଳ ଯାଉଥିବା ‌ବେଳେ ଘର ବାରଣ୍ଡାରେ ଓ ଛାତରେ ଠିଆ ହୋଇ ସ୍ଥାନୀୟ ଲୋକେ ଏହି ଦିବ୍ୟ ଦୃଶ୍ୟ ଦେଖିବା ମଉକା ଛାଡ଼ିନଥିଲେ। କେଦାରଗୌରୀ ମନ୍ଦିରଠାରେ ଉପସ୍ଥିତ ସେବାୟତମାନେ ବର ଓ ବରଯାତ୍ରୀଙ୍କୁ ଭବ୍ୟ ସ୍ବାଗତ କରି ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ପରେ ବିଧି ମୁତାବକ ବେଦୀରେ ବରକନ୍ୟାଙ୍କ ହାତଗଣ୍ଠି ପଡ଼ିଥିଲା ଓ ବନ୍ଦାପନା କାର୍ଯ୍ୟ ବି ସମାହିତ ହୋଇଥିଲା।
ନିରାଡ଼ମ୍ବର ଶୀତଳଷଷ୍ଠୀ
ମା’ ପାର୍ବତୀଙ୍କୁ ସାଙ୍ଗରେ ଧରି ଶ୍ରୀଲିଙ୍ଗରାଜ ନିରାଡ଼ମ୍ବର ଭାବେ ଫେରିବେ ମନ୍ଦିର। ନବଦମ୍ପତି କେଦାରଗୌରୀ ମନ୍ଦିରରୁ ବିଦାୟ ନେଇ ଗୋସାଗରେଶ୍ୱର ଛକ ନିକଟ ଶୀତଳଷଷ୍ଠୀ ରାସ୍ତା, ତିନିମୁଣ୍ଡିଆ ଛକ, ବଢ଼େଇବାଙ୍କ ଛକ, ମହାଖଳା ଛକ ଦେଇ ନଗର ପରିକ୍ରମା କରିବା ସହ ଲିଙ୍ଗରାଜ ମନ୍ଦିରକୁ ଫେରିବେ। ବର ଶୋଭାଯାତ୍ରା ଭଳି ଏହି ଶୀତଳଷଷ୍ଠୀ ଯାତ୍ରା ମଧ୍ୟ ନିରାଡ଼ମ୍ବର ସହକାରେ ସମ୍ପନ୍ନ ହେବ। ତେବେ ଏହା ଦିନ ବେଳା ହେବାକୁ ଥିବାରୁ ଭକ୍ତ ବା ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିବା ସମ୍ଭାବନା ରହିଛି। ତେଣୁ ଦୁଇ ପ୍ଲାଟୁନ୍‌ ପୁଲିସ ବଳ ନିୟୋଜିତ ହୋଇଛନ୍ତି। ସେମାନେ ସେବାୟତଙ୍କୁ ବାଦ୍‌ ଦେଇ ଅନ୍ୟ କାହାକୁ ଏହି ଯାତ୍ରାରେ ସାମିଲ୍ ହେବାକୁ ଦେବେ ନାହିଁ।

Share Now:

Kalinga News Beuro

Next Post

ରାଉରକେଲା ଷ୍ଟେସନରୁ ୮ ନାବାଳକ ଉଦ୍ଧାର

Wed Jun 16 , 2021
ରାଉରକେଲା: ରାଉରକେଲା ଷ୍ଟେସନରୁ ଜଣେ ସାବାଳକ ସମେତ ଆଠ ନାବାଳକକୁ ଉଦ୍ଧାର କରିଛି ରେଳବାଇ ପୁଲିସ l ଜଣେ ଦଲାଲ ଏମାନଙ୍କୁ ବିହାରର ଜେସିଡିରୁ ରାଉରକେଲା ସେକ୍ଟର ୧୫ ନେଉଥିଲା। କାହିଁକି ଓ କଣ ପାଇଁ ଏମାନଙ୍କୁ ନିଆଯାଉଥିଲା ସ୍ପଷ୍ଟ ହୋଇନି l ସମସ୍ତଙ୍କୁ ବିଶ୍ରା ଆସିୟାନା ସ୍ଥିତ ଚାଇଲଡ ଲାଇନ ଦିଶାରେ ରଖାଯାଇଛି l ଦଲାଲକୁ ପୁଲିସ ଅଟକ ରଖି ପଚରାଉଚୁରା କରୁଥିବା ଜଣା ପଡିଛି l ଆଜି […]
ରାଉରକେଲା ଷ୍ଟେସନରୁ ୮ ନାବାଳକ ଉଦ୍ଧାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial