ବର୍ଷା ପାଇଁ ବାତିଲ ହେଲା ‘ରାଜାରାଣୀ ସଙ୍ଗୀତ ଉତ୍ସବ’

ବାତିଲ ହେଲା ‘ରାଜାରାଣୀ ସଙ୍ଗୀତ ଉତ୍ସବ’

ଭୁବନେଶ୍ବର : ମଞ୍ଚ ଓ କଳାକାର ଉଭୟ ପ୍ରସ୍ତୁତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥା’ନ୍ତେ। କିନ୍ତୁ ଠିକ୍‌ ସମୟରେ ବର୍ଷା ସବୁ ବିଗାଡ଼ି ଦେଲା। ସଂଧ୍ୟା ବେଳକୁ ଖୁବ୍‌ ଜୋର୍‌ରେ ବର୍ଷା ହେବାରୁ ମନ୍ଦିର ପରିସରସ୍ଥିତ ମୁକ୍ତାକାଶ ମଞ୍ଚରେ କାର୍ଯ୍ୟକ୍ରମ ପରିବେଷଣ ସମ୍ଭବ ହୋଇ ପାରିନଥିଲା। ଫଳରେ ରାଜାରାଣୀ ମନ୍ଦିର ପରିସରରେ ହେବାକୁ ଥିବା ୩ ଦିନିଆ ‘ରାଜାରାଣୀ ସଂଗୀତ ଉତ୍ସବ’କୁ ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଛି। ଆସନ୍ତା ୪ ଦିନ ରାଜ୍ୟରେ ଲଘୁଚାପଜନିତ ବର୍ଷା ସମ୍ଭାବନା ଥିବାରୁ ୧୪ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ବାତିଲ ରହିଛି। ଉତ୍ସବ କେବେ ଆୟୋଜନ ହେବ, ସେ ନେଇ ଆଗୁଆ ସୂଚନା ଦିଆଯିବ ବୋଲି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି। ଏହି ସଙ୍ଗୀତ ଉତ୍ସବର ପ୍ରଥମ ଦିନରେ ବଂଶୀବାଦକ ଜବାହର୍‌ ମିଶ୍ର ଓ ତାଙ୍କ ଦଳ ପକ୍ଷରୁ ହିନ୍ଦୁସ୍ତାନୀ ବଂଶୀବାଦନ ଓ କଣ୍ଠଶିଳ୍ପୀ ଅଶ୍ବୀନୀ ଭିଡ଼େ ଦେଶ୍‌ପାଣ୍ଡେ ଓ ତାଙ୍କ ଦଳ ପକ୍ଷରୁ ହିନ୍ଦୁସ୍ତାନୀ ସଙ୍ଗୀତ ପରିବେଷଣର କାର୍ଯ୍ୟକ୍ରମ ରହିଥିଲା। ସେହିଭଳି ଦ୍ବିତୀୟ ସଂଧ୍ୟାରେ ଶବୀର ଖାନ୍‌ ଓ ଦଳ ପକ୍ଷରୁ ସାରଙ୍ଗୀ, ଚେନ୍ନାଇର ଦୁଇ ଭଉଣୀ ବି. ରଞ୍ଜନୀ ଓ ବି. ଗାୟତ୍ରୀ କର୍ଣ୍ଣାଟକୀ ସଙ୍ଗୀତ ଏବଂ ତୃତୀୟ ସଂଧ୍ୟାରେ ବିଜୟ କୁମାର ଜେନା ଓ ସାଥୀ ଓଡ଼ିଶୀ ସଙ୍ଗୀତ ଗାୟନ ଓ ଚେନ୍ନାଇର ଆକ୍କାରାଇ ଶୁଭଲକ୍ଷ୍ମୀ ଓ ସାଥୀ କର୍ଣ୍ଣାଟକୀ ବେହେଲା ବାଦନ କରିବାର କାର୍ଯ୍ୟକ୍ରମ ଥିଲା। ଆଜି ଉତ୍ସବ ଆରମ୍ଭ ହେବାକୁ ଥିବାରୁ ସବୁ କଳାକାର ଭୁବନେଶ୍ବରରେ ପହଞ୍ଚି ସାରିଥିଲେ। କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ଆଜି ରାଜାରାଣୀ ମନ୍ଦିର ମୁକ୍ତାକାଶ ମଞ୍ଚରେ କାର୍ଯ୍ୟକ୍ରମ ପରିବେଷଣ ସମ୍ଭବ ହୋଇପାରିନଥିଲା। ଫଳରେ କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବାଧ୍ୟ ହୋଇ ବାତିଲ କରିବାକୁ ପଡ଼ିଥିଲା। ଏଥିଯୋଗୁଁ ବିଭାଗର ଲକ୍ଷାଧିକ ଟଙ୍କା ଆଜି ପାଣିରେ ପଡ଼ିଛି।
ସୂଚନାଯୋଗ୍ୟ, ପ୍ରତିବର୍ଷ ଜାନୁଆରି ମାସରେ ରାଜାରାଣୀ ସଙ୍ଗୀତ ଉତ୍ସବ ଆୟୋଜିତ ହୁଏ। ତେବେ ଜାନୁଆରିରେ ଆଉ ଏକ ଉତ୍ସବ ‘ମୁକ୍ତେଶ୍ବର ନୃତ୍ୟ ଉତ୍ସବ’ ବି ଆୟୋଜନ ହେଉଥିବାରୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର ବାର୍ଷିକ କ୍ୟାଲେଣ୍ଡର୍‌ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ହୋଇଥିଲା। ପର୍ଯ୍ୟଟନ ଋତୁ ଆରମ୍ଭରୁ ‘ରାଜାରାଣୀ ସଙ୍ଗୀତ ଉତ୍ସବ’ ଆୟୋଜନ କରି ଏହା ପରେ ‘ମୁକ୍ତେଶ୍ବର ନୃତ୍ୟ ଉତ୍ସବ’ ଓ ଫେବ୍ରୁଆରି ଶେଷ ଆଡ଼କୁ ‘ଧଉଳି କଳିଙ୍ଗ ମହୋତ୍ସବ କରିବାର ଯୋଜନା ହୋଇଥିଲା। ଫଳରେ ପର୍ଯ୍ୟଟନ ଋତୁତମାମ ପର୍ଯ୍ୟଟକମାନେ ନୃତ୍ୟ, ସଙ୍ଗୀତ ଉତ୍ସବରେ ଆପ୍ୟାୟିତ ହୋଇପାରିଥା’ନ୍ତେ। କିନ୍ତୁ ଆଜିର ବର୍ଷା ପର୍ଯ୍ୟଟନ ବିଭାଗର ଏହି ସବୁ ଯୋଜନାରେ ପାଣି ପକାଇ ଦେଇଛି।

Share Now:

Kalinga News Beuro

Next Post

ଡିସେମ୍ବର ୧ ତାରିଖ ଠାରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ

Sun Nov 14 , 2021
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ ଡିସେମ୍ବର ୧ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଡିସେମ୍ବର ୩୧ ଯାଏଁ ଜାରି ରହିବ। ଏହି ସମୟ ମଧ୍ୟରେ ମୋଟ୍‌ ୨୬ଟି କାର୍ଯ୍ୟ ଦିବସ ରହିବ। ମୋଟ୍‌ ୫ଟି ଛୁଟି ଦିବସ ରହିବ। ଛୁଟି ଦିବସ ଗୁଡ଼ିକ ହେଲା ଯେ, ଡିସେମ୍ବର ୫, ୧୨, ୧୯ ଓ ୨୬ (୪ଟି ରବିବାର)। ଏଥି ସହିତ ଡିସେମ୍ବର ୨୫ରେ […]
ବିଧାନସଭା ଶୀତ ଅଧିବେଶନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial