ଭୁବନେଶ୍ବର: ଗୋଟିଏ ବର୍ଷରେ ୩ ଦଫାରେ ଖର୍ଚ୍ଚ କରିଦେଲେ ଦେଢ଼ କୋଟିରୁ ଅଧିକ ଟଙ୍କା। ନବୀକରଣ ନାଁରେ ଏତେଗୁଡ଼ାଏ ଟଙ୍କା ଖର୍ଚ୍ଚ ହେଲା ସିନା କାଣିଚାଏ ଲାଭ ମିଳିଲାନି। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ସବୁ ଚଳୁ ହୋଇଗଲା। ଅସାଧୁମେଣ୍ଟର କ୍ଷମତା ବଳରେ ଅନ୍ଧାରରେ ରହିଗଲା ବିଏମ୍ସିର ବେଆଇନ କାରବାର। ପୋଖରୀର ପୁନରୁଦ୍ଧାର ହେବ କ’ଣ, ଏବେ ଆବର୍ଜନା କୁଣ୍ଡକୁ ବଳେଇପଡ଼ିଛି। ଗୋଡ଼ ବୁଡ଼ାଇବାକୁ ବି ଲୋକେ ଯାଉନାହାନ୍ତି। ସେତେବେଳେ ଲୋକଙ୍କ ଅଭିଯୋଗକୁ ଦଳିଚକଟି ଚାପି ଦିଆଗଲା। ମାତ୍ର ଅଡିଟ୍ ଆଖିରୁ ଖସିପାରିଲାନି ହିସାବ। ମିଳିଲାନି ଭାଉଚର୍। ଅଡିଟ୍ ଅଭିଯୋଗ କଲା। ଏହା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକଙ୍କୁ ମଉକା ମିଳିଗଲା। ସେମାନେ ଏତେବଡ଼ ଦୁର୍ନୀତି ବିରୋଧରେ ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହେଲେ। ଫଳରେ ଏବେ ବିଏମ୍ସିର ମୁଣ୍ଡବିନ୍ଧା ବଢ଼ିଯାଇଛି। ଚିନ୍ତାମଣିଶ୍ବର ମାଛ ପୋଖରୀ ପୁନରୁଦ୍ଧାର ମାମଲା ଲୋକାୟୁକ୍ତଙ୍କ ବିଚାରାଧୀନ ଥିବା ବେଳେ ବିଏମ୍ସି ଲୋକାୟୁକ୍ତଙ୍କୁ କି ଜବାବ୍ ଦେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ସୂଚନାଯୋଗ୍ୟ, ବିଏମ୍ସି ୪୩ ନମ୍ବର ୱାର୍ଡ ଅନ୍ତର୍ଗତ ଚିନ୍ତାମଣିଶ୍ବର ମାଛ ପୋଖରୀ ରାଜଧାନୀର ଅନ୍ୟତମ ପ୍ରାଚୀନ ଐତିହ୍ୟସଂପନ୍ନ ପୁଷ୍କରିଣୀ। ୨୦ ଏକର ପରିମିତ ଏହି ବିଶାଳ ଜଳାଶୟ ରାଜଧାନୀର ଏକ ପ୍ରମୁଖ ଜଳ ଉତ୍ସ। ତେଣୁ ଏହାର ପୁନରୁଦ୍ଧାର କରି ଓଡ଼ିଶାରେ ଏକ ରୋଲ୍ ମଡେଲ୍ ଭାବେ ଉପସ୍ଥାପନ କରିବା ପାଇଁ ବିଏମ୍ସି ଯୋଜନା ପ୍ରସ୍ତୁତ କରିଥିଲା। ବିଏମ୍ସିର ଏହି ଯୋଜନା ସ୍ଥାନୀୟ ବାସିନ୍ଦାଙ୍କୁ ବହୁ ସୁନେଲି ସ୍ବପ୍ନ ଦେଖାଇଥିଲା। ପ୍ରଥମତଃ ଦଳ ସଫେଇ ଓ ପଙ୍କ ସଫେଇ କରି ପୋଖରୀର ଜଳକୁ ସ୍ବଚ୍ଛ ତଥା ନିର୍ମଳ କରିବାକୁ ଯୋଜନା କରାଗଲା। ସେହିଭଳି ସୌନ୍ଦର୍ଯ୍ୟୀକରଣ ପାଇଁ ହୁଡ଼ା ଚାରିକଡ଼ରେ ପାଦଚଲା ରାସ୍ତା ନିର୍ମାଣ, ରାସ୍ତାରେ ଷ୍ଟିଲ୍ ରେଲିଙ୍ଗ୍ ଲଗାଇବା, ଜଳାଶୟର ପାଣିକୁ ବାହାରକୁ ଛାଡ଼ିବା ପାଇଁ ଡ୍ରେନ୍ ନିର୍ମାଣ, ଚାରିପଟେ ତାର ଜାଲି ଘେରାଇବା, ବୋଟିଂ ବ୍ୟବସ୍ଥା କରିବା, ହୁଡ଼ାରେ ଫୁଲ ବଗିଚା କରିବା, ଚାରିକଡ଼ରେ ଆଲୋକୀକରଣ କରିବା, ବସିବା ପାଇଁ ସିମେଣ୍ଟ ବେଞ୍ଚ ଏବଂ ଶୌଚାଳୟ ଆଦି ନିର୍ମାଣ କରିବାକୁ ସୂଚନା ଫଳକରେ ଉଲ୍ଲେଖ କରାଗଲା। ଏଥିପାଇଁ ୩ଟି ପର୍ଯ୍ୟାୟରେ ଦେଢ଼ କୋଟିରୁ ଅଧିକ ଟଙ୍କା ବ୍ୟୟ କରାଗଲା। ୨୦୧୮ ଏପ୍ରିଲ୍ ୨୬ତାରିଖରେ ୩୭ଲକ୍ଷ ୭୧ ହଜାର ୭୩୯ ଟଙ୍କା, ଜୁନ୍ ୨୫ରେ ୩୬ଲକ୍ଷ ୬୩ହଜାର ୪୩୯ ଟଙ୍କା ଏବଂ ନଭେମ୍ବର ୧୯ତାରିଖରେ ୨୮ଲକ୍ଷ ୨୫ହଜାର ୯୯୫ଟଙ୍କା ବିଲ୍ କରାଗଲା। ଏବେ ଏହି ପୋଖରୀର ଉତ୍ତର ପାର୍ଶ୍ବରେ ପାଦ ଚଲା ରାସ୍ତା, ଲୁହା ତାର ଜାଲି, ବସିବା ପାଇଁ ସିମେଣ୍ଟ୍ ବେଞ୍ଚ ଓ ଶୌଚାଳୟ ନିର୍ମାଣ ହୋଇଛି। ଏହା ବ୍ୟତୀତ ଅନ୍ୟ କୌଣସି କାମ କରାଯାଇନାହିଁ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଯେତିକି କାମ ହୋଇଛି, ସେଥିପାଇଁ ଅତି ବେଶିରେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ବଡ଼ କଥା ହେଉଛି, ମୁଖ୍ୟତଃ ସ୍ବଚ୍ଛ ପୋଖରୀ ପାଇଁ ହୋଇଥିବା ଯୋଜନା କାମରେ ଆସିନାହିଁ। ଏବେ ପୋଖରୀ ପାଣିରେ ବିଭିନ୍ନ ପ୍ରକାର ଆବର୍ଜନାଠାରୁ ଆରମ୍ଭ କରି ପ୍ରଚୁର ଦଳ ଭର୍ତ୍ତି ହୋଇରହିଛି। ଜଳ ଅବସ୍ଥା ଏତେ କଦର୍ଯ୍ୟ ଯେ କେହି ଶୌଚ କରିବାକୁ ବି ଇଛା କରୁନାହିଁ। ଏମିତିକି ଗୋଡ଼ ବୁଡ଼ାଇଲେ ଚର୍ମ ରୋଗ ହୋଇଯାଉଛି ବୋଲି ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ସେହିଭଳି ଭଲରେ ପଙ୍କ ଉଦ୍ଧାର ହୋଇନଥିବାରୁ କୂଳ ବି ପୋତି ହୋଇଯାଇଛି। ତେଣୁ କୋଟି କୋଟି ଟଙ୍କା ପାଣିରେ ଗଲା ବୋଲି ସେମାନେ କ୍ଷୋଭର ସହ ଜଣାଇଛନ୍ତି।
ଚିନ୍ତା ବଢ଼ାଇଲା ଚିନ୍ତାମଣିଶ୍ବର ପୋଖରୀ : ପାଣିରେ ଗଲା ଦେଢ଼ କୋଟି

Share Now: